ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ସକାଳେ କଟକଠାରୁ ଭୁବନେଶ୍ଵର ରାସ୍ତାକୁ ଗ୍ରୀନ କରିଡର କରାଯାଇଥିଲା। ଏଥିପାଇଁ ଆଜି ସକାଳ ୯ଟାରୁ ପ୍ରାୟ ୩୫ ମିନିଟ ପର୍ଯ୍ୟନ୍ତ କଟକରୁ ଭୁବନେଶ୍ଵରର ଜନଗହଳିପୂର୍ଣ୍ଣ ରାସ୍ତା ଶୂନଶାନ ହୋଇଯାଇଥିଲା। ଜଣେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରୁ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପର୍ଯ୍ୟନ୍ତ ଆଣିବା ପାଇଁ ଗ୍ରୀନ କରିଡର କରାଯାଇଥିଲା। କଟକ ଏସସିବି ମେଡିକାଲ ଛକଠାରୁ ରୋଗୀ ଜଣଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଓଏମପି ଛକ ତା’ ପରେ ନଖରା ଦେଇ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାରଲିପ୍ଟ ଯୋଗେ ସୁରତ ନିଆଯାଇଛି।

ଏହି ରୋଗୀ ଜଣକ ହେଉଛନ୍ତି ସୁରତ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ଇନ୍ଦ୍ରମଣି କିଡନୀ ରୋଗରେ ପୀଡ଼ିତ ହୋଇ ୧୦ ଦିନ ପୂର୍ବରୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ଆଜି ତାଙ୍କୁ ଏୟାର ଲିଫ୍ଟ ଯୋଗେ ସୁରତ ନିଆଯାଇଛି।

କଟକ ଏସିବିଠାରୁ ଭୁବନେଶ୍ଵର ବିମାନ ବନ୍ଦର ପର୍ଯ୍ୟନ୍ତ ହୋଇଥିବା ଗ୍ରୀନ କରିଡର ପାଇଁ କମିଶନରେଟ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଥିଲା। ସମସ୍ତ ଟ୍ରାଫିକ ପୋଲିସ ଏବଂ ଥାନା ଅଧିକାରୀଙ୍କୁ ରାସ୍ତା ଫାଙ୍କା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ପୂର୍ବରୁ ୨୦୨୧ ମସିହା ଜୁନ ୩ ତାରିଖରେ ଗ୍ରୀନ କରିଡର କରାଯାଇ ଅମ୍ରିତ ପ୍ରଧାନଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପର୍ଯ୍ୟନ୍ତ ନିଆଯାଇଥିଲା। ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲକୁ ଅମ୍ରିତଙ୍କୁ ଏୟାରଲିଫ୍ଟ ଯୋଗେ ନିଆଯାଇଥିଲା।କୋଭିଡ ଆକ୍ରାନ୍ତ ହୋଇ ଅମ୍ରିତଙ୍କର ଫୁସଫୁସ ନଷ୍ଟ ହୋଇଯାଇଥିବାରୁ ସେଠାରେ ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ କରାଯାଇଥିଲା।

Comment