ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଜାନୁଆରି ୨୪ ତାରିଖ ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଇଛି। କନ୍ୟାମାନଙ୍କ ସୁରକ୍ଷା ଏବଂ ଶିକ୍ଷାର ବିକାଶ ଓ ଅଧିକାର ପାଇଁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଏହି ଅବସରରେ ସୋମବାର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାୟଳ ଓ ୟୁନିସେଫ ସହଭାଗିତାରେ ‘‘କନ୍ୟା ମହୋତ୍ସବ’’ ଶୀର୍ଷକ ଅନଲାଇନ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ କନ୍ୟାମାନଙ୍କ ସୁରକ୍ଷା, ଅଧିକାର ଓ ଶିକ୍ଷାର ବିକାଶ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଆଲୋଚନାରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସଦସ୍ୟା ଓଡ଼ିଆ ଝିଅ ଅଳକା ପଣ୍ଡା ଭାଗ ନେଇ କେବଳ ବାଲ୍ୟ ବିବାହ ଅଟକାଇ ଦେଲେ ଝିଅମାନଙ୍କ ସମସ୍ୟାର ସମାଧାନ ହେବ ନାହିଁ, ବରଂ ସେମାନଙ୍କ ଶିକ୍ଷାର ବିକାଶ ଏବଂ ସୁରକ୍ଷା ପାଇଁ ପଦକ୍ଷେପ ଆବଶ୍ୟକ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ରାଜ୍ୟର ନାବାଳକ ନାବାଳିକାମାନଙ୍କ ସହ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ସ୍ମୃତି ଇରାନୀ ଆଲୋଚନା କରିଥିଲେ। ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

“କେନ୍ଦ୍ର ସରକାରଙ୍କ ସହ ଏ  ଦିଗରେ ଆଲୋଚନା କରି ଜାତୀୟ ସ୍ତରରେ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଦିଗରେ କାମ କରୁଥିବା ବିଭିନ୍ନ ରାଜ୍ୟର ନାବାଳିକା ନାବାଳକ ଯୋଗ ଦେଇ ନିଜ ନିଜର ମତାମତ ରଖିପାରବେ’’, କହିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

ରାଜ୍ୟ ସରକାରଙ୍କ ସଖୀ ସହେଲି ଏବଂ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଭଳି ଅନୁଷ୍ଠାନର ପ୍ରୟାସରେ ରାଜ୍ୟର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ଵ ଗାଁକୁ ବାଲ୍ୟ ବିବାହ ମୁକ୍ତ କରାଯାଇପାରିଛି। ବାଲ୍ୟ ବିବାହ ରୋକିବା ଝିଅମାନଙ୍କ ସମସ୍ୟାର ସମାଧାନ ନୁହେଁ। ଏଥିରୁ ରକ୍ଷା ପାଉଥିବା ଝିଅମାନଙ୍କ ଶିକ୍ଷାର ବିକାଶ ଏବଂ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଳକା ପଣ୍ଡା।

“ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ କେବଳ ବାଲ୍ୟ ବିବାହ ରୋକେ ନାହିଁ। ବାଲ୍ୟ ବିବାହରୁ ରକ୍ଷା ପାଇଥିବା ଝିଅମାନଙ୍କ ଶିକ୍ଷା ଏବଂ ସୁରକ୍ଷା ପାଇଁ କାମ କରିଥାଏ। ପୁରଷ ପ୍ରାଧାନ୍ୟ ସମାଜରେ ଝିଅମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରିଥାଏ’’ ଅଳକା କୁହନ୍ତି।

ଏହି ଆଲୋଚନାରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ସ୍ମୃତି ଇରାନୀ, ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ତନିଷ୍ଠା ଦତ୍ତା, ୟୁନିସେଫ ରୋସାର ରିଜିଓନାଲ ଡାଇରେକ୍ଟର ଜର୍ଜ ଲାର୍ୟା ଆଡଜେଇ, ୟୁନିସେଫ୍ ଇଷ୍ଟ ଏସିଆ ଆଣ୍ଡ ପ୍ୟାସିଫିକର ରିଜିଓନାଲ ଅଫିସର ୟୁସୁମାସା କିମୁରା ଓ ଅନ୍ୟ ସଦସ୍ୟ, ବାଲ୍ୟ ବିବାହ ବିରୋଧରେ କାମ କରୁଥିବା ବିଭିନ୍ନ ରାଜ୍ୟର ନାବାଳକ ନାବାଳିକା ଯୋଗ ଦେଇ ଝିଅମାନଙ୍କ ସୁରକ୍ଷା, ଶିକ୍ଷାର ବିକାଶ ଏବଂ ଅଧିକାର ସଂପର୍କରେ ଆଲୋଚନା କରିଥିଲେ।

କନ୍ୟା ସନ୍ତାନମାନଙ୍କ ସୁରକ୍ଷା, ଅଧିକାର ଏବଂ ବିକାଶ ଉଦ୍ଦେଶ୍ୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ୨୦୦୮ ମସିହା ଜାନୁଆରି ୨୪ ତାରିଖଠାରୁ ଦେଶରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଆସୁଛି। ଏହି ଦିବସରେ କନ୍ୟାମନାଙ୍କର ସୁରକ୍ଷା, ଶିକ୍ଷାର ବିକାଶ ଓ ଅଧିକାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here