ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିନ୍ନକ୍ଷମ ବ୍ୟକ୍ତି, ଶଯ୍ୟାଶାୟୀ ବରିଷ୍ଠ ନାଗରିକ ତଥା ପୂର୍ଣ୍ଣ ବିକଶିତ ହୋଇ ନଥିବା ଶିଶୁମାନଙ୍କୁ ସକ୍ଷମ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ରହିଛି। ଏହାରି ଜରିଆରେ ସେମାନଙ୍କୁ ବିଭିନ୍ନ ପ୍ରକାର ଆଧୁନିକ ଭୌତିକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦିଆଯାଉଛି। ତେବେ କୋଭିଡ୍‌କୁ ଦୃଷ୍ଟିରେ ରଖି ଉପରୋକ୍ତ ବର୍ଗର ରୋଗୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଟେଲି ପୁନର୍ବାସ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି।

ଯଦି କେହି ଫିଜିଓଥେରାପି ସେବା ନେବା ପାଇଁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରକୁ ଆସିପାରୁ ନାହାନ୍ତି, ତେବେ ସେ ସୁନ୍ଦରଗଡ଼ ଜିଲ୍ଲା ହେଲ୍‌ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧କୁ କଲ୍ କରୁଛନ୍ତି। ଜିଲ୍ଲା ହେଲ୍‌ପଲାଇନ୍ ରୋଗୀଙ୍କୁ ସେମାନଙ୍କର ନିକଟସ୍ଥ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ସହ ଯୋଡ଼ିଦେଉଛି। ଫଳରେ ରୋଗୀ ଘରେ ଥାଇ ମଧ୍ୟ ସେବା ପାଇପାରୁଛନ୍ତି।

ଉକ୍ତ କେନ୍ଦ୍ରରେ ନିଯୁକ୍ତ ଥିବା ଥେରାପିଷ୍ଟମାନେ ଥେରାପି ପାଇବାକୁ ଥିବା ରୋଗୀଙ୍କୁ ଭିଡିଓ କଲ୍ ଜରିଆରେ ଆବଶ୍ୟକ ପରାମର୍ଶ ଦେଉଛନ୍ତି ଏବଂ ଫିଜିଓଥେରାପି ଅଭ୍ୟାସ ମଧ୍ୟ କରାଉଛନ୍ତି। ଏଥିରେ ସେମାନଙ୍କୁ ଭୌତିକ ଚିକିତ୍ସା ସେବା (ଫିଜିଓଥେରାପି), ଆଶୁ ନିରାକରଣ ଚିକିତ୍ସା (ଆର୍ଲିଂ ଇଂଟରଭେନ୍‌ସନ ଥେରାପି), ବାକ୍ ଚିକିତ୍ସା (ସ୍ପିଚ୍ ଥେରାପି), ବ୍ୟାବହାରିକ ଚିକିତ୍ସା (ବିହେଭିୟରାଲ୍ ଥେରାପି) ଏବଂ ଶିକ୍ଷାଜନିତ ଚିକିତ୍ସା (ଲର୍ଣ୍ଣିଂ ଥେରାପି) ପ୍ରଦାନ କରାଯାଉଛି।

ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଭିନ୍ନକ୍ଷମମାନଙ୍କ ବ୍ୟତୀତ କରୋନା ଆକ୍ରାନ୍ତଙ୍କୁ ମଧ୍ୟ ଟେଲି ପୁନର୍ବାସ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଜିଲ୍ଲା ହେଲ୍‌ପଲାଇନ୍ ଟିମ୍ ଟ୍ରାକ୍ କରିଥିବା କରୋନା ଆକ୍ରାନ୍ତମାନଙ୍କୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରର ଥେରାପିଷ୍ଟମାନେ କଲ୍ କରୁଛନ୍ତି।

ଯଦି ସଂପୃକ୍ତ ବ୍ୟକ୍ତି ଥେରାପି ନେବାକୁ ଚାହୁଁଥାନ୍ତି, ତେବେ ତାଙ୍କୁ ଭିଡିଓ କଲ୍ ଯୋଗେ ଆବଶ୍ୟକ ପରାମର୍ଶ ଦିଆଯାଉଛି। କରୋନା ଆକ୍ରାନ୍ତମାନେ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିଲେ ବ୍ରିଦିଂ ଥେରାପି କିମ୍ବା ମାନସିକ ସମସ୍ୟା ଭୋଗୁଥିଲେ ମନସ୍ତାତ୍ତ୍ୱିକ ପରାମର୍ଶ, ବ୍ୟବହାରିକ ଚିକିତ୍ସା, ଅକୁପେସନାଲ୍ ଥେରାପି ଆଦି ପ୍ରଦାନ କରାଯାଉଛି।

“କୋଭିଡ୍‌ର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଟେଲି ମେଡିସିନ ସହ ପ୍ରଶାସନ ପକ୍ଷରୁ ଭୌତିକ ଚିକିତ୍ସା ସେବା ଯୋଗାଇଦେବାକୁ ଟେଲି ପୁନର୍ବାସ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଜିଲ୍ଲାର ୧୦ଟି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ରରେ ଅଭିଜ୍ଞ ଥେରାପିଷ୍ଟମାନଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତ୍ୟେକ ଦିନ ୩୦ରୁ ୪୦ ଜଣଙ୍କୁ ଟେଲି ଯୋଗାଯୋଗ ମାଧ୍ୟମରେ ଭୌତିକ ଚିକିତ୍ସା ସେବା ପ୍ରଦାନ କରାଯାଇପାରୁଛି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଟେଲି ପୁନର୍ବାସ ଚିକିତ୍ସା ସେବାର ଉପଯୁକ୍ତ ପରିଚାଳନା ପାଇଁ ଜିଲ୍ଲାରେ ଜଣେ ବରିଷ୍ଠ ଭୌତିକ ଚିକିତ୍ସକ, ୨ ଜଣ ବାକ୍ ଚିକିତ୍ସକ, ୩ ଜଣ ମନସ୍ତତ୍ତ୍ୱବିତ୍ ଓ ୪ ଜଣ ଅକୁପେସନାଲ ଥେରାପିଷ୍ଟ ନିଯୁକ୍ତ ହୋଇଛନ୍ତି। ସେମାନେ ବିଭିନ୍ନ ସମୟରେ ଜିଲ୍ଲାରେ ଖୋଲିଥିବା ୧୦ଟି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଗସ୍ତ କରି ସେଠାରେ ନିଯୁକ୍ତ ହୋଇଥିବା ଥେରାପିଷ୍ଟମାନଙ୍କୁ ଆବଶ୍ୟକ ପରାମର୍ଶ ଓ ତାଲିମ ଦେଉଛନ୍ତି।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଚିକିତ୍ସା ଯୋଗାଇ ଦେଇ ସେମାନଙ୍କୁ ସମାଜରେ ସକ୍ଷମ ଭାବେ ଛିଡ଼ା କରାଇବା ପାଇଁ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମନ୍ୱିତ ଭୌତିକ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି। ଏହା ସହ ମୁଖ୍ୟ ଚିକିତ୍ସାଳୟ ପରିସରରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆର୍‌ସି) ମଧ୍ୟ ରହିଛି, ଯେଉଁଠାରେ ମାଗଣାରେ ରୋବୋଟିକ୍ ଫିଜିଓ ଥେରାପି ସହ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଉଛି।

ପୂର୍ବରୁ ବିଭିନ୍ନ ଫିଜିଓଥେରାପି ସେବା ପାଇଁ ଗାଁ ଗହଳିର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ପଡୁଥିଲା। କିନ୍ତୁ ସେମାନଙ୍କ ହାତ ପାଆନ୍ତାରେ ଏଭଳି ଆଧୁନିକ ସେବା ଦେବା ପାଇଁ ସମନ୍ୱିତ ଭୌତିକ ଚିକିତ୍ସାସେବାକୁ ବ୍ଲକ ସ୍ତରକୁ ସଂପ୍ରସାରଣ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ସମେତ କୋଇଡ଼ା, ଲହୁଣିପଡ଼ା, ବୀରମିତ୍ରପୁର, ରାଜଗାଙ୍ଗପୁର, ବଡ଼ଗାଁ, ସର୍ଗିପାଲି, ହେମଗିରି, କିଞ୍ଜିରିକେଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଲାଠିକଟା ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର (ଆଇପିୟୁ ଆଣ୍ଡ ଟିସି) ରହିଛି।

Comment