ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ବୁଧବାର ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ପାଳନ କରାଯାଇଛି। ଏହି ଜିଲ୍ଲାସ୍ତରୀୟ ସମାରୋହରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ ଭାରତର ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ମହାମନିଷୀଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହାସହ ସ୍ୱାଧୀନତା ସଂଗ୍ରାମ ବେଳେ ସୁନ୍ଦରଗଡ଼ର ଅବଦାନ ସମ୍ପର୍କରେ ଶ୍ରମ ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ବିଶିଷ୍ଟ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ପ୍ରତି ତତ୍କାଳୀନ ସୁନ୍ଦରଗଡ଼ବାସୀଙ୍କର ଅକୁଣ୍ଠ ସମର୍ଥନ ରହିଥିଲା। ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱରେ ବିରମିତ୍ରପୁର ପ୍ରଜା ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନରେ ଦ୍ୱାରିକାନାଥ କୁସୁମଙ୍କ ଯୋଗଦାନ, ଲବଣ ସତ୍ୟାଗ୍ରହରେ ମହାନ ସତ୍ୟାଗ୍ରହୀ ବଳଭଦ୍ର ତନ୍ତୀଙ୍କ ସହଯୋଗ, ସାରଙ୍ଗଧର ଦାସଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ଅଧିକ ବ୍ୟାପକ କରିଥିଲା ବୋଲି ସେ କହିଥିଲେ।ଏହି ଅବସରରେ ସେ ସୁନ୍ଦରଗଡ଼ ଅଞ୍ଚଳର ସଂଗ୍ରାମୀ ଧନଞ୍ଜୟ ମହାନ୍ତି, ଚିରଞ୍ଜିଲାଲ ଶର୍ମା, ଶଶିଭୂଷଣ ପାଣିଗ୍ରାହୀ, ଗଙ୍ଗା ସିଂହ ଏବଂ ଫତେଚାନ୍ଦ ପ୍ରମୁଖଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

‘‘ସୁନ୍ଦରଗଡ଼ ହେଉଛି ଏକ ଅଗ୍ରଣୀ ଜିଲ୍ଲା। ବିଭିନ୍ନ କ୍ଷେତ୍ରରେ ଏହି ଜିଲ୍ଲା ଆଗକୁ ଯାଉଛି। ତେଣୁ ଏହି ଜିଲ୍ଲାର ଆହୁରି ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଏବଂ ଉଦ୍ୟମର ଆବଶ୍ୟକତା ରହିଛି। ସଂକୀର୍ଣ୍ଣତାକୁ ଭୁଲି ସମସ୍ତେ ଏକାଠି ହୋଇ ଜିଲ୍ଲାର ବିକାଶରେ ସାମିଲ ହେବାକୁ ପଡ଼ିବ’’, କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସପି ସାଗରିକା ନାଥ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ଡାକ୍ତର ଅନନ୍ତ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ। ରିଜର୍ଭ ପୋଲିସ ବାହିନୀ ପକ୍ଷରୁ ପରେଡ୍ ପ୍ରଦର୍ଶନ କରାଯାଇଥିଲା।

କୋଭିଡ୍ ମହାମାରୀ ସମୟରେ ଆଗଧାଡ଼ିର କୋଭିଡ୍ ଯୋଦ୍ଧାମାନଙ୍କୁ କାମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ନିଜ ଜୀବନକୁ ବାଜି ଲଗାଇ କୋଭିଡ୍ ଯୋଦ୍ଧାମାନେ ଯେପରି ସେବା ଯୋଗାଇ ଦେଇଥିଲେ ତାହା ସ୍ୱାଧୀନତା ସଂଗ୍ରାମଠାର କିଛି କମ୍ ନୁହେଁ ବୋଲି ମନ୍ତ୍ରୀ କହିଥିଲେ।ଏହି ସମାରୋହରେ କୋଭିଡ୍ କାଳରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସୁନ୍ଦରଗଡ଼ର କୋଭିଡ ଯୋଦ୍ଧା ଏବଂ ସଡ଼କ ଦୁର୍ଘଟଣା ସମୟରେ ଲୋକଙ୍କ ଜୀବନ ରକ୍ଷା କରି ସମାଜରେ ଦାୟିତ୍ଵବାନ ନାଗରିକ ଭାବେ ପରିଚୟ ପାଇଥିବା  ବ୍ୟକ୍ତିଙ୍କୁ ମାନପତ୍ର ଦେଇ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ସେହିପରି ସୁନ୍ଦରଗଡ଼ର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ୱର ଚନ୍ଦ୍ର ନାଏକଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ପରେ ଜିଲ୍ଲାପାଳ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) କାର୍ଯ୍ୟାଳୟ, ରେଡକ୍ରସ କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବୁଧବାର ସକାଳୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ କରାଯାଇଥିଲା। ଏହାସହ ସୁନ୍ଦରଗଡ଼ ସହର ଭିତରେ ଥିବା ବରପୂତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

Comment