ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଗାଁ ଗଣ୍ଡାରେ ସୃଷ୍ଟି ହୋଇଛି ନିର୍ବାଚନୀ ମାହୋଲ। ପଞ୍ଚାୟତ ବାଜି ଜିତିବାକୁ ବିଜେଡି, ବିଜେପି କମର କଷୁଥିବା ବେଳେ କଂଗ୍ରେସରେ ଫୁଟିଛି ପ୍ରସାଦ ବୋମା।

ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ୬ଟି ଜିଲ୍ଲା ପରିଷଦ ଜୋନ ରହିଛି। ମାତ୍ର ଏଥିମଧ୍ୟରୁ ଗୋଟିଏ ବି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ସକ୍ଷମ ହୋଇପାରି ନାହିଁ। ତେଣୁ ସତ୍ୟବାଦୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରସାଦ ହରିଚନ୍ଦନଙ୍କୁ ନେଇ ଏକ ଚର୍ଚ୍ଚାର ସୂତ୍ରପାତ ହୋଇଛି। ପ୍ରସାଦ କ୍ଷମତା ଆଶାରେ ଅନ୍ୟ ଦଳ ସହ ବୁଝାମଣା କରିଛନ୍ତି ତେଣୁ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇ ନପାରି ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଥିବା ନିକଟରେ ଚର୍ଚ୍ଚା ହୋଇଛି। ଶେଷରେ ନିରବତା ଭାଙ୍ଗିଛନ୍ତି ପ୍ରସାଦ। ଗୁରୁବାର ଏକ ସାମ୍ଵାଦିକ ସମ୍ମିଳନୀ କରି ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ

ପ୍ରସାଦ ରାଜନୈତିକ କ୍ଷମତା ଲୋଭରେ ଅନ୍ୟ ଦଳ ସହ ସମ୍ପର୍କ ଯୋଡୁଛନ୍ତି ବୋଲି ଚର୍ଚ୍ଚା ହେବା ପରେ ସାମ୍ଵାଦିକ ସମ୍ମିଳନୀରେ ପ୍ରସାଦ ସ୍ପଷ୍ଟ କହିଛନ୍ତି, “୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ।” ଏହି ନିଷ୍ପତ୍ତି ପଛର କାରଣ ତାଙ୍କୁ ଆକ୍ଷେପ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ତାଙ୍କର ଜବାବ ବୋଲି କହିଛନ୍ତି ପ୍ରସାଦ।

କଂଗ୍ରେସ ହାତରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଖସିଥିବା ବେଳେ ପ୍ରସାଦ ହରିଚନ୍ଦନ ନିରବତାକୁ ଆକ୍ଷେପ କରି ଏହା ଶୁଣିବାକୁ ମିଳିଥିଲା ଯେ, ପ୍ରସାଦ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା କିମ୍ଵା ମନ୍ତ୍ରୀ ହେବା ପାଇଁ ବିଜେଡିରେ ମିଶିପାରନ୍ତି। କିମ୍ଵା ଅନ୍ୟ କ୍ଷମତା ଲୋଭରେ ସେ କଂଗ୍ରେସ ଦଳ ସହ ରହୁନାହାନ୍ତି। ଆଜି ଗଣମାଧ୍ୟମ ଆଗକୁ ଆସି ଏହି ଚର୍ଚ୍ଚା ଉପରେ ପ୍ରସାଦ ବିରାମ ଲଗାଇଛନ୍ତି।

କାହିଁକି ୨୦୧୯ ନିର୍ବାଚନ ହାରିଥିଲେ ପ୍ରସାଦ?

୨୦୧୯ ସାଧାରଣ ନିର୍ବାଚନରେ ସତ୍ୟବାଦୀ ଆସନରୁ ପ୍ରସାଦ ହରିଚନ୍ଦନ ନିର୍ବାଚନ ଲଢ଼ିଥିବା ବେଳେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ଏ ବିଷୟରେ ପ୍ରସାଦ ଆଜି କହିଛନ୍ତି ଯେ, ୨୦୧୯ରେ ନିର୍ବାଚନ ଲଢ଼ିବାକୁ ସେ ପ୍ରସ୍ତୁତ ନଥିଲେ। ପିସିସି ସଭାପତି ଥିବା ବେଳେ ସେ ଅଞ୍ଚଳବାସୀଙ୍କୁ ସମୟ ଦେଇପାରି ନଥିଲେ। କିନ୍ତୁ ଶେଷ ସମୟରେ ଦଳ ତାଙ୍କୁ ଟିକେଟ ଦେଇଥିଲା। ଅତର୍କିତ ଭାବେ ନିର୍ବାଚନ ଲଢ଼ିଥିଲେ। ଫଳରେ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।   ମୁଁ ବେପାରୀ ନୁହେଁ

“ବେପାରୀମାନେ ଡିଲ୍ କରନ୍ତି। ସରକାରଙ୍କଠାରୁ ଫାଇଦା ପାଇଁ ସେମାନେ ଡିଲ୍ କରନ୍ତି। କିନ୍ତୁ ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର, ମୁଁ କାହାଠୁ ସାମାନ୍ୟତମ ଫାଇଦା ନେଇ ନାହିଁ। ମୁଁ କାହା ସହିତ ଡିଲ୍ କରି ନାହିଁ, କି କରିବି ନାହିଁ। କାରଣ ମୁଁ ବେପାରୀ ନୁହେଁ” ସାମ୍ଵାଦିକ ସମ୍ମିଳନୀରେ ଏପରି କହିଛନ୍ତି ପ୍ରସାଦ।

ଉପରୋକ୍ତ ଏହି ମନ୍ତବ୍ୟକୁ ଲେଖିକି ରଖିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରସାଦ କହିଛନ୍ତି। ଯଦି କେବେ କୌଣସି ଡିଲ୍‌ରେ ତାଙ୍କ ନାଁ ଆସିବ, ସେହିଦିନ ଏହି ମନ୍ତବ୍ୟକୁ ଉଦ୍ଧାର କରି ତାଙ୍କୁ ପ୍ରଶ୍ନ କରିବାକୁ ସେ ଆହ୍ଵାନ ଦେଇଛନ୍ତି।

କାନ୍ଦି କାନ୍ଦି ପ୍ରସାଦ କହିଛନ୍ତି, “ଖଣି ହେଉକି ପାଣି, ମୁଁ କୌଣସି ଦୁର୍ନୀତିରେ ନାହିଁ। ଆଜି ପର୍ଯ୍ୟନ୍ତ ମୋ ବିରୋଧରେ କୌଣସି ସ୍କାମ ଓ ସ୍କାଣ୍ଡାଲର ଅଭିଯୋଗ ଆସିନି। ଏହା ମୋତେ ଆକ୍ଷେପ କରୁଥିବା ବ୍ୟକ୍ତିମାନଙ୍କୁ ଅସହ୍ୟ କରୁଛି। ମୋ ନିରବତା ସେମାନଙ୍କୁ ଅସହ୍ୟ କରୁଛି। ମୁଁ ଦଳର ଓ ଲୋକଙ୍କ ସ୍ୱାର୍ଥ ପାଇଁ ନିରବ ରହୁଛି। ନହେଲେ ବହୁତ ଲୋକଙ୍କର ବହୁତ ଗୁମର ଖୋଲି ଯା’ନ୍ତା। ମୋ ପାଖରେ ସେ ନେଇ ଦସ୍ତାବିଜ୍ ବି ଅଛି। ନିର୍ବାଚନ ପରେ ଏହାର ଖୁଲାସା କରିବି।”କଂଗ୍ରେସ ଭବନ ମୋ ଘର

୨୦୧୯ ସାଧାରଣ ନିର୍ବାଚନରେ ହାରିବା ପରେ ୩ ବର୍ଷ ହେଲା ପ୍ରସାଦ ହରିଚନ୍ଦନ ନିରବ ରହି ଘରେ ବସିଥିବା କୁହାଯାଉଛି। ଏହି କଥାର ଜବାବ ରଖି ପ୍ରସାଦ କହିଛନ୍ତି ଯେ, ୩ ବର୍ଷ ନୁହେଁ ୩୩ ବର୍ଷ ହେଲା ସେ ଘରେ ବସିଛନ୍ତି, ଆଉ ସେ ଘରର ନାଁ ହେଉଛି କଂଗ୍ରେସ ଭବନ।

ସେ କଂଗ୍ରେସରେ ଥିଲେ, ଅଛନ୍ତି ଏବଂ ଆଗକୁ ରହିବେ ବୋଲି ଦୃଢ଼ତାର ସହ ପ୍ରସାଦ କହିଛନ୍ତି। ତେବେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ ମଧ୍ୟ ସେ ସବୁବେଳେ ଦଳ ସହ ରହିଛନ୍ତି। ଆଗକୁ ଦଳ ପାଇଁ ପ୍ରଚାର କରିବେ ବୋଲି ପ୍ରସାଦ କହିଛନ୍ତି।

ଏବେ ଏକାଠି ହେବାର ବେଳ ଆସିଛି

“କଂଗ୍ରେସ ଦଳ ଏକ ସଙ୍ଗିନ ସ୍ଥିତି ଦେଇ ଯାଉଛି, କର୍ମୀମାନେ ଗାଁଗଣ୍ଡାରେ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ଏଭଳି ସମୟରେ ଆମେ କଂଗ୍ରେସର ନେତାମାନେ ଏକାଠି ହୋଇ ଦଳକୁ କେମିତି ପୁଣି ଉଠାଇ ହେବ, ସେ କଥା ଚିନ୍ତା କରିବା ଉଚିତ। ଦଳ ପ୍ରତି ଲୋକଙ୍କର ଥିବା ଆସ୍ଥାକୁ କେମିତି ପୁଣିଥରେ ଭାଜନ କରିହେବ, ସେ ନେଇ କାମ କରିବା ଉଚିତ। କିନ୍ତୁ ଆମେ ଏ ଦିଗ ପ୍ରତି ଗୁରୁତ୍ଵ ନ ଦେଇ ଆମ ଭିତରେ ଗୋଡ଼ ଛେଦିବା କାର୍ଯ୍ୟରେ ଲିପ୍ତ ରହିଛୁ”, କହିଛନ୍ତି ପ୍ରସାଦ ହରିଚନ୍ଦନ।କଂଗ୍ରେସ ଦଳର ଆଭ୍ୟନ୍ତରୀଣ କନ୍ଦଳରେ ସଂପୃକ୍ତ ନେତା କର୍ମୀଙ୍କୁ ଆକ୍ଷେପ କରି ପ୍ରସାଦ ଆହୁରି କହିଛନ୍ତି ଯେ, “ବାଟ ନ ଦେଖାଅ, କିନ୍ତୁ କାହାର ବାଟରେ କଣ୍ଟା ହୁଅ ନାହିଁ। ଯେଉଁ ଯୁବକମାନେ ଆଗକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଉତ୍ସାହିତ କରାଯାଉ।”

ସତ୍ୟବାଦୀ ନିର୍ବାଚନୀ କ୍ଷେତ୍ର ସହ କଂଗ୍ରେସର ଏକ ସ୍ଵତନ୍ତ୍ର ସମ୍ପର୍କ ରହିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏହା ଜନ୍ମଭୂମି ହୋଇଥିବା ବେଳେ ଆରମ୍ଭରୁ ଏହି ଆସନ କଂଗ୍ରେସର ଗଡ଼ ଭାବେ ରହିଆସିଛି। ପଣ୍ଡିତ ନୀଳକଣ୍ଠ ଦାସ, ସାରଙ୍ଗଧର ଦାସ ପ୍ରମୁଖ ନେତାଙ୍କ ନେତୃତ୍ଵରେ କଂଗ୍ରେସ ଏହି ଆସନରୁ ସବୁବେଳେ ବିଜୟ ଟିକା ପିନ୍ଧିଛି। ପରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଭାବେ ପ୍ରସାଦ ହରିଚନ୍ଦନ ଏହି ଆସନରୁ ରାଜନୀତିକୁ ଆସିଥିଲେ। କଂଗ୍ରେସର ଜଣେ ବିଚକ୍ଷଣ ନେତୃତ୍ଵ ଭାବେ ପ୍ରସାଦ ଦଳର ବହୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵରେ ରହିଛନ୍ତି। ଗିରିଧର ଗମାଙ୍ଗୋଙ୍କ ସରକାରରେ ପ୍ରସାଦ ରାଷ୍ଟ୍ର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହେବା ପରେ ପ୍ରସାଦ ଏହାର ବିରୋଧୀ ଦଳର ମୁଖ୍ୟ ସଚେତକ ମଧ୍ୟ ରହିଥିଲେ। ଏହାସହ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭଳି ଦଳର ଏକ ଗୁରୁଦାୟିତ୍ଵ ନେଇ ଦଳକୁ ଅନେକ କ୍ଷେତ୍ରରେ ଉଚିତ ମାର୍ଗ ଦର୍ଶାଇଥିଲେ।

Comment