ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫେବ୍ରୁଆରି ପହିଲାରୁ ପୁଣି ଜଗା ଦର୍ଶନ
  • ପୂର୍ବ ଭଳି ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
  • କୋଭିଡ୍ ନିୟମ ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ

ଫେବ୍ରୁଆରି ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ପୁଣି ଭକ୍ତଙ୍କୁ ଦର୍ଶନ ଦେବ କାଳିଆ। ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ରାଜ୍ୟରେ କୋଭିଡ୍ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଆଜି ଛତିଶା ନିଯୋଗ ବୈଠକ ବସିଥିଲା। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସମେତ ସେବାୟତମାନେ ଉପସ୍ଥିତ ଥିଲେ। ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବା ପରେ ଫେବ୍ରୁଆରି ୧ ତାରିଖରୁ ପୁଣିଥରେ ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ବୈଠକରେ ସ୍ଥିର ହୋଇଛି।

ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପୂର୍ବ ଭଳି ପ୍ରତି ରବିବାର ବଡ଼ ଦେଉଳ ବନ୍ଦ ରହିବ। ଏହିଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ।

ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସାଧାରଣ ଭକ୍ତମାନେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ସେହିପରି ପୁରୀ ସହରବାସୀମାନେ ପଶ୍ଚିମ ଦ୍ଵାର ଦେଇ ଦେଉଳ ଭିତରକୁ ଯାଇପାରିବେ। କୋଭିଡ କଟକଣା ମଧ୍ୟରେ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

କୋଭିଡ୍ ସଂକ୍ରମଣ ବଢ଼ିବାରୁ ଜାନୁଆରି ୧୦ରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ୨୦ ଦିନ ଧରି ବଡ଼ ଦେଉଳ ବନ୍ଦ ରହିବା ପରେ ଫେବ୍ରୁଆରି ପହିଲାରୁ ପୁଣି ଖୋଲିବ।

Comment