ବିଶ୍ଵଜିତ ସାହୁ
ଭାରତ ସରକାର ଇସ୍ରାଏଲଠାରୁ ସ୍ପାଇଓ୍ଵେର ଟେକ୍ନୋଲୋଜି ‘ପେଗାସସ୍’ କିଣିଥିବା ନେଇ ନିକଟରେ ବୈଦେଶିକ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଆସିବା ପରେ ଗତ ୧ ବର୍ଷ ଧରି ପେଗାସସ୍କୁ ନେଇ ଦେଶରେ ଚାଲିଥିବା ବିବାଦ ଆହୁରି ତେଜିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳମାନେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପେଗାସସ୍କୁ ନେଇ ସରକାରଙ୍କ ନିରବତା ଦେଶର ଅଖଣ୍ଡତା ଏବଂ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।ପେଗାସସ୍କୁ ନେଇ କାହିଁକି ବିବାଦ?
ପେଗାସସ୍ ସ୍ପାଇଓ୍ଵେର ହେଉଛି ଏକ ସାଇବର ସଫ୍ଟଓ୍ଵେର ବା ପ୍ରୋଗ୍ରାମ। ଇସ୍ରାଏଲର ଏନ୍ଏସ୍ଓ ଗ୍ରୁପ୍ ଏହି ସଫ୍ଟଓ୍ଵେରକୁ ବିକଶିତ କରିଛି। ଏହି ସ୍ପାଇଓ୍ଵେର ଫୋନ୍, କମ୍ପ୍ୟୁଟର, ଲ୍ୟାପଟପ୍ ଭଳି ଡିଜିଟାଲ ଡିଭାଇସ୍ ଜରିଆରେ ଜଣଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରିପାରେ। ଏହାକୁ ପ୍ରତିରକ୍ଷା ଭଳି କ୍ଷେତ୍ରରେ ବ୍ୟବହାର କରିବାକୁ ବିକଶିତ କରାଯାଇଛି। ଇସ୍ରାଏଲଠାରୁ ବିଭିନ୍ନ ଦେଶ ଏହି ସ୍ପାଇଓ୍ଵେର କିଣିଛନ୍ତି। ତେବେ ଭାରତ ସରକାର ମଧ୍ୟ ଏହି ସ୍ପାଇଓ୍ଵେର କିଣି ବିଭିନ୍ନ ବ୍ୟକ୍ତିଙ୍କ ଉପରେ ଏହାକୁ ବ୍ୟବହାର କରିଥିବା କଥା ଗତ ବର୍ଷ ଚର୍ଚ୍ଚାକୁ ଆସିଥିଲା। ଗୁପ୍ତ ତଥ୍ୟ ଚୋରି କରି ପାରୁଥିବା ସ୍ପାଇଓ୍ଵର ପେଗାସସ୍ ପ୍ରସଙ୍ଗକୁ ନେଇ ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ମାତ୍ର ଏ ପ୍ରସଙ୍ଗରେ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ନଥିଲା। ଏହା ପରେ ସୁପ୍ରିମ କୋର୍ଟକୁ ଯାଇଥିଲା ପେଗାସସ୍ ମାମଲା, ଯାହା ଏବେ ବିଚାରଧୀନ ରହିଛି।
Inside the battle to control Pegasus, the world’s most powerful cyberweapon: A yearlong investigation by @ronenbergman and @MarkMazzettiNYT reveals how Israel used sales of the spyware to advance its interests around the world. https://t.co/hHwLDTpUGT
— The New York Times (@nytimes) January 28, 2022
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପରେ ପୁଣି ତେଜିଲା ବିବାଦ
ପେଗାସସ୍କୁ ନେଇ ୨୦୨୧ରୁ ଦେଶରେ ବିବାଦ ଲାଗି ରହିଥିବା ବେଳେ ନିକଟରେ ଏକ ବୈଦେଶିକ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଏହି ବିବାଦକୁ ଆହୁରି ଘନୀଭୂତ କରିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତରେ ଯାଇଥିଲେ। ସେହି ସମୟରେ ଉଭୟ ଦେଶ ମଧ୍ୟରେ ଏକ ସାମରିକ ଚୁକ୍ତି ହୋଇଥିଲା। ଇସ୍ରାଏଲଠାରୁ ଭାରତ ସରକାର ବିଭିନ୍ନ ଯୁଦ୍ଧ ଅସ୍ତ୍ର, ପ୍ରଯୁକ୍ତି ଆଦି କିଣିଥିଲେ। ଏହି ଚୁକ୍ତିରେ ପେଗାସସ୍ ସ୍ପାଇଓ୍ଵେର ମଧ୍ୟ ସାମିଲ ଥିବା ରିପୋର୍ଟରେ କୁହାଯାଇଛି। ଭାରତ ସରକାର ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ସ୍ପାଇଓ୍ଵେରଟିକୁ କିଣିଥିବା ରିପୋର୍ଟରେ ଦର୍ଶାଯାଇଛି।
ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ପରେ ବିରୋଧୀ ଦଳମାନେ ପୁଣିଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୪୦ରୁ ଅଧିକ ସାମ୍ଵାଦିକ, ବିଚାରପତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋନ୍କୁ ପେଗାସସ୍ ଲଗାଇ ଟ୍ରାପ୍ କରାଯାଇଥିବା ବିରୋଧୀମାନେ ଦାବି କରିଛନ୍ତି। ତେଣୁ କେନ୍ଦ୍ର ସରକାର ପୋଗାସସ୍ କିଣିଛନ୍ତି ନା ନାହିଁ, ଯଦି କିଣିଛନ୍ତି କେଉଁ କ୍ଷେତ୍ରରେ ତାହାକୁ ବ୍ୟବହାର କରିଛନ୍ତି ବୋଲି ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ପେଗାସସ୍ ପ୍ରସଙ୍ଗରେ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନି, ଯାହାକୁ ନେଇ ବିଭିନ୍ନ ମହଲରୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
Modi Govt bought Pegasus to spy on our primary democratic institutions, politicians and public. Govt functionaries, opposition leaders, armed forces, judiciary all were targeted by these phone tappings. This is treason.
Modi Govt has committed treason.
— Rahul Gandhi (@RahulGandhi) January 29, 2022
କେନ୍ଦ୍ର ସରକାରଙ୍କ ମିଛ ଧରାପଡ଼ିଛି: କଂଗ୍ରେସ
“ପେଗାସସ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିରବତା ପ୍ରମାଣିତ କରୁଛି ଯେ, ସରକାର ମିଛ କହିଛନ୍ତି। କେବଳ ସଂସଦ କି ଗଣମାଧ୍ୟମ ନୁହେଁ ବଂର ସର୍ବୋଚ୍ଚ ନ୍ୟାୟଳକକୁ ମଧ୍ୟ ସରକାର ମିଛ କହି ଭୂଆଁ ବୁଲାଇଛନ୍ତି। ଇସ୍ରାଏଲଠାରୁ ପେଗାସସ୍ କିଣାଯାଇଛି କି ନାହିଁ ତାହା ସରକାର ସ୍ପଷ୍ଟ କରିବା ଦରକାର। ଏଥିସହ କେଉଁ କ୍ଷେତ୍ରରେ ଏବଂ କେଉଁ ନିର୍ଦ୍ଦିଷ୍ଟ ସମୟରେ ଏହି ସାଇବର ଅସ୍ତ୍ରକୁ ବ୍ୟବାହର କରାଯାଇଛି ତାହାର ଉତ୍ତର ସରକାର ନିହାତି ରଖିବା ଆବଶ୍ୟକ”, କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅମୀୟ ପାଣ୍ଡବ।କଂଗ୍ରେସର ଅଭିଯୋଗ ତଥ୍ୟହୀନ: ବିଜେପି
ପେଗାସସ୍ ବିବାଦକୁ ନେଇ କଂଗ୍ରେସ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସର ଅଭିଯୋଗ ତଥ୍ୟହୀନ ବୋଲି ବିଜେପି କହିଛି। ପେଗାସସ୍ ପ୍ରସଙ୍ଗରେ ଓଡ଼ିଶା ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, “ପେଗାସସ୍କୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିସାରିଛନ୍ତି। ମାତ୍ର ନିର୍ବାଚନ ବେଳେ କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ। ତେଣୁ ପେଗାସସ୍କୁ ନେଇ କଂଗ୍ରେସ ନେଇ ତୁଚ୍ଛା ରାଜନୀତି କରୁଛି।”‘ପେଗାସସ୍’ ଦେଶର ଅଖଣ୍ତତା ପ୍ରତି ବଡ଼ ବିପଦ
ପେଗାସସ୍କୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି। ପେଗାସସ୍ ପ୍ରସଙ୍ଗରେ ବରିଷ୍ଠ ସାମ୍ଵାଦିକ ପ୍ରିୟରଞ୍ଜନ ସାହୁ କହିଛନ୍ତି, “ବହୁ ସାମ୍ଵାଦିକ, ବିଚାରପତି, ବିରୋଧୀ ଦଳର ନେତାମନ୍ତ୍ରୀ ଆଦିଙ୍କ ଫୋନକୁ ପେଗାସସ୍ ଦ୍ଵାରା ଟ୍ରାପ୍ କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଏହାଦ୍ଵାରା ନାଗରିକମାନଙ୍କର ସ୍ଵାଧୀନତା ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ପୋଗାସସ୍ ଦେଶର ପ୍ରତି ବଡ଼ ବିପଦ।”ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ
“ଭାରତୀୟ ସମ୍ବିଧାନରେ ପ୍ରତିଟି ନାଗରିକଙ୍କୁ ୬ଟି ମୌଳିକ ଅଧିକାର ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଧାରା-୧୯, ଯାହା ନାଗରିକର ସ୍ଵାଧିନତାର କଥା କହେ ତାହା ସମ୍ଵିଧାନର ମୂଳପିଣ୍ଡ ଅଟେ। ତେଣୁ ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ ନାଗରିକମାନଙ୍କର ଅଧିକାରକୁ ସୁରକ୍ଷା ଦେବା ସରକାରଙ୍କ ମୁଖ୍ୟ ଦାୟିତ୍ଵ। ତେଣୁ ପେଗାସସ୍ ଭଳି ଏକ ସାଇବର ଅସ୍ତ୍ର କିଣି ସରକାର ଯଦି ତାହାକୁ ନାଗରିକଙ୍କ ଗୁପ୍ତଚରଗିରି କରିବାରେ ବ୍ୟବହାର କରୁଥାନ୍ତି ତାହାଠାରୁ ବଡ଼ ନିନ୍ଦାର କଥା ଆଉ କିଛି ନାହିଁ। ପେଗାସସ୍ ପ୍ରସଙ୍ଗରେ ସରକାରଙ୍କ ନିରବତା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ”, କହିଛନ୍ତି ରାଜନୀତି ବିଜ୍ଞନୀ ତଥା ସମ୍ଭକାର ଡକ୍ଟର ନେତାଜୀ ଅଭିନନ୍ଦନ।୨୦୧୭ ପରେ ବଦଳିଛି ଭାରତ-ଇସ୍ରାଏଲ ସମ୍ପର୍କ
ପେଗାସସ୍ ବିବାଦ ଉଠିବା ପରେ ଇସ୍ରାଏଲ ସହ ଭାରତର ବୈଦେଶିକ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଇସ୍ରାଏଲ ସହ ଭାରତର ବୈଦେଶିକ ସମ୍ପର୍କ ପୂର୍ବରୁ ଏତେ ଖାସ୍ ନଥିଲା। ଭାରତ ପାଲେଷ୍ଟାଇନଙ୍କୁ ସମର୍ଥନ କରୁଥିବାରୁ ଇସ୍ରାଏଲଠାରୁ ଦୂରତା ବଜାୟ ରଖୁଥିଲା। ମାତ୍ର ୨୦୧୭ରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ। ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ସେ ଆଲୋଚନା କରିଥିଲେ। ଏହାପରେ ଭାରତ ଇସ୍ରାଏଲଠାରୁ ବିଭିନ୍ନ ଯୁଦ୍ଧାସ୍ତ୍ର କିଣିବା ନେଇ ଚୁକ୍ତି କରିଥିଲା।
ଅନ୍ୟପକ୍ଷେ ୨୦୧୯ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତ ଆସିଥିଲେ। ଏହାପରେ ଜାତିସଂଘରେ ଇସ୍ରାଏଲକୁ ସମର୍ଥନ କରିଥିଲା ଭାରତ।କେମିତି କାମ କରେ ପେଗାସସ୍?
“ପେଗାସସ୍ ସ୍ପାଇଓ୍ଵେର ହେଉଛି ଏକ ସାଇବର ସଫ୍ଟଓ୍ଵେର ବା ପ୍ରୋଗ୍ରାମ। ସାଧରଣତଃ ଭାଇରସ ଯେପରି ବିଭିନ୍ନ ଜରିଆରେ ଫୋନ୍, କମ୍ପ୍ୟୁଟର, ଲ୍ୟାପଟପ୍ ଆଦିରେ ପଶି ଡିଭାଇସ୍ର ସମସ୍ତ ଡାଟା ନଷ୍ଟ କରିଦିଏ ସ୍ପାଇଓ୍ଵେର ସେହିପରି ବିଭିନ୍ନ ବାଟ ଦେଇ ଡିଭାଇସ୍ ଭିତରକୁ ପଶିଥାଏ। ହେଲେ ଏହା ଭାଇସର ପରି ଡାଟା ନଷ୍ଟ କରି ନଥାଏ। ବଂର ସମସ୍ତ ଡାଟାକୁ ଲିକ୍ କରିଥାଏ। ଅର୍ଥାତ ସ୍ପାଇଓ୍ଵେରକୁ ନିୟନ୍ତ୍ରଣ କରୁଥିବା ହୋଷ୍ଟ ପାଖକୁ ସମସ୍ତ ଡାଟା ଚାଲିଯାଏ। ଏହା ଫଳରେ ଜଣେ ବ୍ୟକ୍ତିର କଣ୍ଟାକ୍ଟସ ଓ କଲ୍ ଲିଷ୍ଟ, ମେସେଜ ବକ୍ସ, ହ୍ଵାଟ୍ସଆପ୍ ଚାଟ୍ ହିଷ୍ଟ୍ରି ଆଦି ସ୍ପାଇଓ୍ଵେରର ହୋଷ୍ଟକୁ ମିଳିଯାଏ।”, କହିଛନ୍ତି ଆଇଟି ବିଶେଷଜ୍ଞ ଡକ୍ଟର ଷ୍ଟାଲିନ ମିଶ୍ର।
ତେବେ ପେଗାସସ୍ ସ୍ପାଇଓ୍ଵେର ଜରିଆରେ କେବଳ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରାଯିବାର ସମ୍ଭାବନା ରହଥିବା ଡକ୍ଟର ମିଶ୍ର କହିଛନ୍ତି। କାରଣ ପେଗାସସ୍ ଏକ ହାଇପାଓ୍ଵାର ଏବଂ ଅତ୍ୟାଧୁନିକ ସ୍ପାଇଓ୍ଵେର ହୋଇଥିବାରୁ ଏହାକୁ ସାଧାରଣ ଲୋକଙ୍କ ତଥ୍ୟ ଜାଣିବା ପାଇଁ ଗୁଇନ୍ଦା କ୍ଷେତ୍ରରେ ବ୍ୟବହାର କରିବା ଖୁବ୍ ସମ୍ଭାବନା କମ୍।ଫୋନ୍ରୁ କେମିତି ହଟାଇବେ ପେଗାସସ୍?
ବିଭିନ୍ନ ମେସେଜ, ହ୍ଵାଟ୍ସଆପ୍ ଲିଙ୍କ ଆଦି ଜରିଆରେ ପେଗାସସ୍ ଫୋନ୍କୁ ଆସିଥାଏ। କିଛି ସମୟରେ ପ୍ଲେ-ଷ୍ଟୋରରୁ କୌଣସି ଆପ୍ ଡାଉନଲୋଡ୍ କରିବା ବେଳେ ମଧ୍ୟ ଆପ୍ ସହ ପେଗାସସ୍ ଫୋନ୍କୁ ଆସିଥାଏ। ତେଣୁ ୟୁଜରମାନଙ୍କୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ। ଏଥିସହିତ ନିୟମିତ ଭାବେ ଫୋନ୍କୁ ଆଣ୍ଟିଭାଇରସ ଏବଂ ଆଣ୍ଟି ସ୍ପାଇଓ୍ଵେର ଦ୍ଵାରା ଇରେଜ୍ କରିବା ଆବଶ୍ୟକ। ଯଦିଓ ପୋଗାସସ୍ ଏକ ହାଇପାଓ୍ଵାର ସ୍ପାଇଓ୍ଵେର ତଥାପି ବାରମ୍ଵାର ଫୋନକୁ ଆଣ୍ଟି ସ୍ପାଇଓ୍ଵେର ଦ୍ଵାରା ଇରେଜ୍ ବା କ୍ଲିୟର କଲେ ପେଗାସସ୍କୁ ଫୋନରୁ ହଟାଯାଇପାରିବ।