ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସ୍ୱର ଲତା ମଙ୍ଗେସକର ଆଉ ନାହାନ୍ତି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ରବିବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବଲିଉଡର ବହୁ ବିଶିଷ୍ଟ କଳାକାର, ସଙ୍ଗୀତଜ୍ଞମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବୟସାଧିକ ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା।

ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ। ସେ ୧ ହଜାରରୁ ଅଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଛନ୍ତି। ହିନ୍ଦୀ ଓ ମରାଠୀ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ବି ସେ ଗୀତ ଗାଇଛନ୍ତି।

ଲତା ମଙ୍ଗେସକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।

୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ଲତାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ମିଳିଥିଲା।

LEAVE A REPLY

Please enter your comment!
Please enter your name here