ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ଵିନୀ କୁମାର ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

“କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ଦିନକୁ ଦିନ ଖସିବାରେ ଲାଗିଛି। ଜନତାଙ୍କ ମୁଡରେ ଆଉ କଂଗ୍ରେସ ଭଲ ବିକଳ୍ପ ଦଳ ହୋଇନାହିଁ। ପଞ୍ଜାବରେ କଂଗ୍ରେସର ଏବେ ଯେଉଁ ନେତୃତ୍ଵ ରହିଛି ତାହା ଗତ ୪୦ ବର୍ଷ ଭିତରେ ସବୁଠାରୁ ଦୁର୍ବଳ ନେତୃତ୍ଵ”, କଂଗ୍ରେସରୁ ଇସ୍ତଫା ଦେବାପରେ ଏଭଳି କହିଛନ୍ତି ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ଵିନୀ କୁମାର।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଶ୍ଵିନୀ କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀଙ୍କ ଉପରେ ଜନତା ସନ୍ତୁଷ୍ଟ ନାହାନ୍ତି, ତେବେ କଂଗ୍ରେସକୁ କାହିଁକି ଲୋକେ ବିକଳ୍ପ ଭାବେ ବାଛୁ ନାହାନ୍ତି।”

ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରରେ ଅଶ୍ୱିନୀ କୁମାର ଆଇନମନ୍ତ୍ରୀ ଦାୟିତ୍ଵରେ ଥିଲେ। ସେ ୨୦୦୨ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭାରେ ସାଂସଦ ରହିଥିଲେ। ଏଥିସହ ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ହେଲେ ଦୀର୍ଘ ୪୬ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଅଶ୍ଵିନୀ କୁମାର ଏବେ କଂଗ୍ରେସର ହାତ ଛାଡ଼ିଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଶ୍ଵିନୀ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, “୪୬ ବର୍ଷର ଲମ୍ବା ସମୟ ପରେ ମୁଁ କଂଗ୍ରେସ ଦଳରୁ ବିଦାୟ ନେଉଛି। ଦଳ ବାହାରେ ରହି ଦେଶ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବି। ଆଶା କରୁଛି ଏପରି ପରିବର୍ତ୍ତନଶୀଳ ନେତୃତ୍ୱ ଦ୍ୱାରା ଅନୁପ୍ରାଣିତ ଜନତାଙ୍କ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ ଜାରି ରଖିବି, ଯାହା ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ଉଦାରବାଦୀ ଗଣତନ୍ତ୍ର ପ୍ରତି ଉଚ୍ଚ ପ୍ରତିବଦ୍ଧତାର ଦୃଷ୍ଟିକୋଣ ଉପରେ ଆଧାରିତ।”ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାରୁ, ଏଭଳି ମୁହୂର୍ତ୍ତରେ ଜଣେ ବରିଷ୍ଠ ନେତାଙ୍କ ଇସ୍ତଫା ଦଳକୁ ଭାରି ପଡ଼ିପାରେ ବୋଲି ରାଜନୀତିକ ସମୀକ୍ଷକମାନେ ମତ ଦେଇଛନ୍ତି। ତେବେ ଅଶ୍ଵିନୀ ବିଜେପି ଶିବିରକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ଅଶ୍ୱିନୀ କୁମାରଙ୍କ ପୂର୍ବରୁ ଜାନୁଆରି ୨୫ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ ସିଂହ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେଣୁ ନିର୍ବାଚନ ବେଳେ କଂଗ୍ରେସ ଏଭଳି ବରିଷ୍ଠ ନେତୃତ୍ଵ ହରାଉଥିବାରୁ ତାହା ଦଳର ଭବିଷ୍ୟତକୁ ପ୍ରଭାବିତ କରିପାରେ ଏଥିରେ ଦ୍ଵିମତ ନାହିଁ।

LEAVE A REPLY

Please enter your comment!
Please enter your name here