ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ଣ ୨ଟା ୩୦ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିଥିଲେ। ସେଠାରୁ ୫ଟା ୪୫ ମିନିଟରେ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିରରେ ପହଞ୍ଚି ବଡ଼ ଠାକୁରଙ୍କୁ ଦର୍ଶନ କରିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହେଲିପ୍ୟାଡ଼ଠାରୁ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ପୁରୀ ରାଜଭବନରୁ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ନିଆଯାଇଥିଲା। ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଶ୍ରୀମନ୍ଦିରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କୁ ସ୍ଵାଗତ କରିଥିଲେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଅପରାହ୍ଣ ୪ରୁ ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି।

ରାଷ୍ଟ୍ରପତି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ସ୍ଵାଗତ କରିଥିଲେ। ସେଠାରୁ ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ପୁରୀ ଅଭିମୁଖେ ଗସ୍ତ କରିଥିଲେ।

ରାଷ୍ଟ୍ରପତିଙ୍କ ରାତ୍ରି ଜାପନ ନିମନ୍ତେ ପୁରୀ ରାଜଭବନରେ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ହୋଇଥିବା ପୁରୀ ଏସପି କେ.ବିଶାଳ ସିଂହ ସୂଚନା ଦେଇଛନ୍ତି। ଏହା ରାଷ୍ଟ୍ରପତିଙ୍କ ତୃତୀୟ ଥର ପାଇଁ ପୁରୀ ଗସ୍ତ ବୋଲି ଜଣାପଡ଼ିଛି।

ଆସନ୍ତା ୨୦ ତାରିଖ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସକାଳ ୧୦ଟା ୩୦ରେ ଯୋଗ ଦେବେ। ଏହା ପରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ପରେ ୧୨ଟା ୧୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀରୁ ଭୁବନେଶ୍ଵର ଅଭିମୁଖେ ବାହାରିବେ। ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବିଶାଖାପାଟଣା ଯିବାର କାର୍ଯ୍ୟକ୍ରମ ରହିଛି।

Comment