ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୧୦୬ ପୌରସଂସ୍ଥା ଓ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି କରାଯିବ। ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି।

ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯିବ। ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯିବ। ଏହା ସହ ଆସନ୍ତା ଏପ୍ରିଲ ୭ ତାରିଖ ପୌରଉପାଧ୍ୟକ୍ଷ ଏବଂ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

ଚଳିତ ଥର କାଉନସିଲର/କର୍ପୋରେଟର ଓ ପୌର ଅଧ୍ୟକ୍ଷ/ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ ହେବ। ପ୍ରତି ବୁଥରେ ଦୁଇଟି ଲେଖାଏଁ ଇଭିଏମ ରହିବ। ୨ଟି ଇଭିଏମରେ କାଉନସିଲର ଏବଂ କର୍ପୋରେଟରଙ୍କୁ ଭୋଟ ଦିଆଯିବ। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ।

ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନିମନ୍ତେ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ଖର୍ଚ୍ଚସୀମା ଏବଂ ପ୍ରାର୍ଥୀଙ୍କ ଗାଡ଼ି ବ୍ୟହାର ଉପରେ କଟକଣା ଲାଗୁ କରାଯାଇଛି। ଚଳିତଥର ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର ପ୍ରାର୍ଥୀ ୨ଟି ଲେଖାଏଁ, ପୌର ଅଧ୍ୟକ୍ଷ ପ୍ରାର୍ଥୀ ୪ଟି ଗାଡ଼ି, ମେୟର ପ୍ରାର୍ଥୀ ୬ଟି ଗାଡ଼ି ଓ ପ୍ରତିଟି ପୌରସଂସ୍ଥା ଓ ମହାନଗର ଅଞ୍ଚଳରେ ରାଜନୈତିକ ଦଳମାନେ ୨ଟି ଲେଖାଏଁ ଗାଡ଼ି ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here