ଓଡ଼ିଶାଲାଇଭ୍ ବ୍ୟୁରୋ

ବେଲଗୁଣ୍ଠାର ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମହାରାଷ୍ଟ୍ରର ପୁଣେଠାରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ ନାମରେ ଏକ ସ୍ଵେଚ୍ଛାସେବୀ ସଂଗଠନ ଗଠନ କରାଯାଇଛି। ‘ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ’ ଶିଶୁ ବିକାଶ, ଚାରା ରୋପଣ ଏବଂ ରକ୍ତଦାନ ସହ ଅନେକ ଅସହାୟଙ୍କୁ ସହାୟତା କରିଥାଏ।

କିଛି ମାସ ତଳେ ‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ ନିଜ ପ୍ରଚେଷ୍ଟାରେ ପୁଣେରୁ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଶବକୁ ଆଣି ତାଙ୍କ ପରିବାର ପାଖରେ ପହଞ୍ଚାଇଥିଲା। ଗତ ଗୁରୁବାର ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଚର୍ଚ୍ଚାକୁ ଆସିଛି ଏହି ସଂଗଠନ।

‘ସ୍ପ୍ରେଡ ହାପିନେସ ଫାଉଣ୍ଡେସନ’ର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ସୂଚନା ଅନୁସାରେ ଗତ ଗୁରୁବାର ସକାଳେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଗୋଟିଏ ଫୋନ କଲ୍ ଆସି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ବଦାଙ୍ଗିକୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପହଞ୍ଚାଇବାକୁ ଅନୁରୋଧ କରାଯାଇଥିଲା।

ଏହା ପରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ ସଭାପତି ସୌମ୍ୟରଂଜନ ମହାପାତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ରଙ୍କ ସହ ଯୋଗାଯୋଗ କରି ମୃତଦେହକୁ ଭୁବନେଶ୍ୱର ବିମାନ ବନ୍ଦରରୁ ତାଙ୍କ ଗ୍ରାମକୁ ନେଇଥିଲେ। ମୃତକ ହେଲେ ସୋରଡ଼ା ବ୍ଲକ ବଡ଼ବଦାଙ୍ଗିର କାଳୁ ନାୟକ।

କାଳୁ ନାୟକ କେରଳକୁ କାମ କରିବାକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏର୍ନାକୁଲମ ଜିଲ୍ଲାପାଳଙ୍କ ଉଦ୍ୟମରେ କାଳୁଙ୍କ ମୃତ ଦେହ ଭୁବନେଶ୍ୱର ଅଣାଯାଇଥିଲା। ପରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହଯୋଗରେ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ କାଳୁଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ଏଥିପାଇଁ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି।

Comment