ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ) : ଶନିବାର ସକାଳ ୧୧ଟା ୩୦ରେ ତେଲେଙ୍ଗାନା ରାଜ୍ୟର ନାଲଗୋଣ୍ଡା ଜିଲ୍ଲା ପେଡାଭୋରା ପଞ୍ଚାୟତ ଟୁଙ୍ଗାତୁର୍ଥୀ ଗ୍ରାମ ନିକଟରେ ଏକ ଟ୍ରେନିଂ ଚପର ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ମହିଳା ପାଇଲଟ ଏବଂ ଜଣେ ସହାୟକ ପାଇଲଟଙ୍କର ମୃତ୍ୟୁ ହୋଇଛି। ଟ୍ରେନିଂ ସମୟରେ ଚପରଟି ଟୁଙ୍ଗାତୁର୍ଥୀ ଗ୍ରାମ ନିକଟରେ ଏକ ବିଲ ମଧ୍ୟକୁ ଖସି ପଡ଼ିଥିଲା। ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ସୂଚନା ଦେବା ପରେ ନାଲଗୋଣ୍ଡା ଏସପି ରେମା ରାଜେଶ୍ୱରୀ ପୋଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆନ୍ଧ୍ରପ୍ରଦେଶର ଗୁଣଟୁର ଜିଲ୍ଲାର ମଚେର୍ଲାଠାରୁ ଦୁଇ ସିଟ୍ ବିଶିଷ୍ଟ ମିନି-ଚପରରେ ୨ ଜଣ ପାଇଲଟ ଟ୍ରେନିଂରେ ଯାଇଥିଲେ। ଏହି ସମୟରେ ଚପରଟି ଟୁଙ୍ଗାତୁର୍ଥୀ ଗ୍ରାମ ନିକଟରେ ଖସିପଡ଼ିଥିଲା। ଦୁର୍ଘଟଣାସ୍ଥଳରେ ହିଁ ମହିଳା ପାଇଲଟ ଏବଂ ସହାୟକ ପାଇଲଟଙ୍କର ମୃତ୍ୟୁ ହୋଇଥିଲା।

ମୃତ ମହିଳା ପାଇଲଟଙ୍କ ନାଁ ମହିମା ଓ ସେ ତାମିଲନାଡୁ ବାସିନ୍ଦା ବୋଲି ଜଣାପଡିଛି। ଚପରଟି ହାଇଦ୍ରାବାଦ ସ୍ଥିତ ଫ୍ଲାଏଟେକ୍ ଏଭିଏସନ ଏକାଡେମୀର ବୋଲି ସୂଚନା ମିଳିଛି। ଫ୍ଲାଏଟେକ ଏଭିଏସନ ଏକାଡେମୀରେ ମହିମା ତାଲିମ ନେଉଥିଲେ।

Comment