ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀର ବିନିତା ସିଂହ,୧ କୋଟିର ଚାକିରି ଅଫରକୁ ଛାଡ଼ି ବିଜନେସ ଆରମ୍ଭ କରିଥିଲେ। ନିଜ ଉଦ୍ୟମ ଏବଂ ପରିଶ୍ରମ ବଳରେ କସ୍ମେଟିକ୍ ବ୍ରାଣ୍ଡ ‘ସୁଗର’କୁ ସ୍ଵତନ୍ତ୍ର ପରିଚୟ ଦେଲେ। ତାଙ୍କ ବ୍ରାଣ୍ଡର ବାର୍ଷିକ ଆୟ ଏବେ ୧୦୦ କୋଟିରୁ ବି ଅଧିକ। ଲୋକପ୍ରିୟ ଟିଭି ସୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ମାଧ୍ୟମରେ ବିନିତା ଏବେ ଘରେ ଘରେ ପରିଚିତ।

ଜୀବନରେ କିଛି ବଡ଼ କରିବାକୁ ହେଲେ ରିସ୍କ ନେବାକୁ ହେବ। ସେଥିପାଇଁ କୁହାଯାଏ, ରିସ୍କ ନନେବା ବି ଏକ ରିସ୍କ ଅଟେ। ସେମିତି କିଛି ବଡ଼ ରିସ୍କ ନେଇଥିଲେ ଦିଲ୍ଲୀର ବିନିତା ସିଂହ। ୧ କୋଟିର ଚାକିରି ଅଫରକୁ ଛାଡ଼ି ନିଜ ବିଜନେସ ଆରମ୍ଭ କରିବାର ନିଷ୍ପତ୍ତି ନେଇଥିଲେ। ଆଉ ଏବେ ସେ ଲୋକପ୍ରିୟ ଟିଭି ସୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ମାଧ୍ୟମରେ ଘରେ ଘରେ ପରିଚିତ।

ବିନିତା ଆଇଆଇଏମ ଅହମ୍ମଦାବାଦର ଛାତ୍ରୀ। ପାଠ ପଢ଼ା ସାରିବା ପରେ ସେ ଅନ୍ୟ କୌଣସି ଚାକିରି କରିବା ବଦଳରେ ନିଜର ବିଜନେସ୍‌ ଆରମ୍ଭ କରିବା ଚିନ୍ତା କରିଥିଲେ।। ସେତେବେଳେ ତାଙ୍କୁ ବାର୍ଷିକ ୧କୋଟିର ଚାକିରି ଅଫର ମିଳିଥିଲା। କିନ୍ତୁ ବିନିତା ସେ ଅଫରକୁ ପ୍ରତ୍ୟାଖାନ କରି ୨୦୧୫ ମସିହାରେ ସାଙ୍ଗ କୌଶିକ ମୁଖାର୍ଜୀଙ୍କ ସହ ବ୍ୟୁଟି ପ୍ରଡକ୍ଟର ବିଜନେସ୍‌ ଆରମ୍ଭ କଲେ, ଆଉ ବ୍ରାଣ୍ଡର ନାଁ ରଖିଲେ ‘ସୁଗର’। କୌଶିକ ମୁଖାର୍ଜୀ ମଧ୍ୟ ଆଇଆଇଏମର ଛାତ୍ର ଅଟନ୍ତି।

ବିନିତା ଏବଂ କୌଶିକଙ୍କ ବ୍ୟୁଟି ପ୍ରଡକ୍ଟର ବିଜନେସ୍ ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିନଥିଲା। ପ୍ରଥମେ ସେମାନେ ଅନଲାଇନ୍‌ରେ ପ୍ରଡକ୍ଟ ବିକ୍ରି କଲେ ଏବଂ ଧିରେ ଧିରେ ଏହାର ଚାହିଦା ବଢ଼ିବାରେ ଲାଗିଲା। ପ୍ରଡକ୍ଟର ଚାହିଦା ବଢ଼ିବା ପରେ ୨୦୧୯ ମସିହାରେ ଉଭୟ ଉତ୍ତର ଭାରତରେ ସୁଗର କସ୍ମେଟିକସ୍ ର ପ୍ରଥମ ଷ୍ଚୋର ଖୋଲିଲେ। ଏହି ବ୍ରାଣ୍ଡ ଏତେ ଲୋକପ୍ରିୟ ହେଲା ଯେ ଏବେ ୯୨ଟି ସହରରେ ‘ସୁଗର’ର ୭୦୦ରୁ ଅଧିକ ଷ୍ଟୋର ରହିଛି।

ସୁଗର କସ୍ମେଟିକ୍ସର ବାର୍ଷିକ ଆୟ ବର୍ତ୍ତମାନ ୧୦୦କୋଟିରୁ ଅଧିକ ରହିଛି। କମ୍ପାନୀର ୪୫ ଭାଗ ରେଭେନ୍ୟୁ ରିଟେଲ୍‌ ଆଉଟଲେଟରୁ ଆସୁଥିବା ବେଳେ ୧୦ ଭାଗ ରେଭେନ୍ୟୁ ବିଦେଶ ବଜାରରୁ ଆସୁଛି। ଭଲ କ୍ୱାଲିଟିର ଲିପଷ୍ଟିକ୍‌ ଏବଂ ଆଇଲାଇନର ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁଗର ବ୍ରାଣ୍ଡ ଅଳ୍ପ ଦିନ ମଧ୍ୟରେ ଅନ୍ୟ ବ୍ରାଣ୍ଡକୁ କଡା ଟକ୍କର ଦେଇଛି। ମାସକୁ ୩୦ ହଜାରରୁ ଅଧିକ ପ୍ରଡକ୍ଟ ଡେଲିଭର କରୁଛି ସୁଗର।

ତେବେ ବିନିତା ରାତାରାତି ସଫଳ ହୋଇନଥିଲେ। ତାଙ୍କ ବ୍ରାଣ୍ଡକୁ ଆଗଧାଡ଼ିକୁ ଆଣିବାକୁ ସେ ଖୁବ କସରତ କରିଥିଲେ। ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିନିତାଙ୍କ ବାପା ଜଣେ ଡାକ୍ତର। ପିଲାଦିନୁ ତାଙ୍କ ବାପା ରୋଗୀ ସେବା ସହ କର୍କଟ ରୋଗୀଙ୍କ ପାଇଁ ମେଡିସିନ୍‌ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଥିଲେ। ସେତେବେଳେ ବିନିତା ଚିନ୍ତା କରିଥିଲେ ତାଙ୍କୁ କିଛି ଏମିତି କାମ କରିବାର ଅଛି ଯାହାର ଚାହିଦା ଦେଶ ନୁହେଁ ବିଦେଶରେ ମଧ୍ୟ ରହିବ। ୧୦ବର୍ଷ ବୟସରେ ବିନିତା ମ୍ୟାଗାଜିନ୍‌ କରି ଘରକୁ ଘର ବୁଲି ବିକ୍ରି କରୁଥିଲେ। ମ୍ୟାଗଜିନର ମୂଲ୍ୟ ୩ଟଙ୍କା ଥିଲା। ସେତେବେଳେ ସେହି ୩ଟଙ୍କା ଦେବାକୁ ଲୋକମାନେ କୁଣ୍ଠାବୋଧ କରୁଥିଲେ। ବିନିତା କୁହନ୍ତି ସେ ସମୟରେ ସେ ଟଙ୍କାର ମୂଲ୍ୟ ବୁଝିଥିଲେ।

Comment