ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ। କୋଭିଡ ନିୟମ ପାଳନ କରି ପ୍ରଥମରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯାଇଛନ୍ତି। ଦୁଇବର୍ଷ ପରେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିଥିବାରୁ ସ୍କୁଲଗୁଡ଼ିକ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସ୍କୁଲଗୁଡ଼ିକୁ ବେଲୁନ ଏବଂ ଫୁଲ ଦ୍ଵାରା ସଜ୍ଜାଇ ନୂଆ କରି ଶିକ୍ଷାନୁଷ୍ଠାନରେ ପାଦ ରଖିଥିବା ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରାଯାଇଛି।

ସ୍କୁଲ ଖୋଲିଥିଲେ ମଧ୍ୟ ପ୍ରଥମ ୧୦ ଦିନ ପିଲାଙ୍କର ପାଠପଢ଼ା ହେବ ନାହିଁ। ପ୍ରଥମ ୬ ଦିନ ପିଲାଙ୍କୁ ଖେଳକୁଦ, ନାଚ, ଗୀତ ଏବଂ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସ୍କୁଲ ସହିତ ବାନ୍ଧି ରଖିବାକୁ ଚେଷ୍ଟା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସ୍କୁଲ ପରିସରକୁ ସଫାସୁତର କରାଯିବା ସହ ଶ୍ରେଣୀଗୃହକୁ ସାନିଟାଇଜ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ସହ ସ୍କୁଲରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଗତ ଫେବ୍ରୁଆରି ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲା ଯାଇଥିଲା। କିନ୍ତୁ ସ୍କୁଲ ନଆସି ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଘରେ ରହିପାଠ ପଢ଼ିବାକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଫେବ୍ରୁଆରି ୧୦ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା।

ଫେବ୍ରୁଆରି ୧୪ରୁ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ପରିସର ସଫେଇ କାର୍ଯ୍ୟ ତଦାରଖ କରିବାବୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଥଲା। ଦୁଇ ବର୍ଷ ପରେ ଆଜି ଛାତ୍ରଛାତ୍ରୀ ସ୍କୁଲ ହତା ମାଡ଼ିଛନ୍ତି।  ଆଦୌ ଶିକ୍ଷାନୁଷ୍ଠାନ ଦେଖି ନଥିବା ଛାତ୍ରଛାତ୍ରୀ ପ୍ରଥମ ଥର ସ୍କୁଲ ବାରଣ୍ଡା ମାଡ଼ିଛନ୍ତି।

Comment