ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନଙ୍କ ପାଇଁ ଗର୍ଭନିରୋଧକ କେତେ ଲାଭ ଦାୟକ? ସ୍ଥାୟୀ ଏବଂ ଅସ୍ଥାୟୀ ଗର୍ଭନିରୋଧକ ମଧ୍ୟରୁ କେଉଁଟି ମହିଳାମାନେ ବାଛିବେ ସେନେଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

ଗର୍ଭନିରୋଧକ ହେଉଛି ଏକ ପଦ୍ଧତି। ଯାହାକୁ ବ୍ୟବହାର କରି ଗର୍ଭଧାରଣ କରିବାକୁ ଚାହୁଁନଥିବା ମହିଳାମାନେ ଏଥିରୁ  ଦୂରରେ ରହିପାରିବେ। ଗର୍ଭନିରୋଧକ ବ୍ୟବହାର କରୁନଥିବା ମହିଳା ଚାହୁଁନଥିଲେ ମଧ୍ୟ ଗର୍ଭଧାରଣ କରିଯାଆନ୍ତି। ଗର୍ଭଧାରଣ ପାଇଁ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ନଥିବାରୁ ପରିବର୍ତ୍ତୀ ସମୟରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଅନ୍ୟ ପକ୍ଷରେ ବିନା ଗର୍ଭନିରୋଧକରେ ଶାରୀରିକ ସମ୍ପର୍କ ଦ୍ଵାରା ଇନଫେକ୍ସନ ହେବାର ଆଶଙ୍କା ରହିଥାଏ ବୋଲି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ କହିଛନ୍ତି।

“ଆଜି ବି ଭାରତରେ ୨୦ ପ୍ରତିଶତ ଝିଅ ୧୮ ବର୍ଷରୁ କମ୍ ବୟସରେ ବିବାହ କରୁଛନ୍ତି। କମ୍ ବୟସରେ ଗର୍ଭଧାରଣ କରିବା ଦ୍ୱାରା ଏମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି। ଅନେକ ସମୟରେ ପ୍ରଥମ ସନ୍ତାନ ଜନ୍ମ ହେବାର ଅଳ୍ପ ଦିନ ବ୍ୟବଧାନରେ କିଛି ମହିଳା ପୁନର୍ବାର ଗର୍ଭଧାରଣ କରିଥାନ୍ତି। ଫଳରେ ସେମାନେ ମାନସିକ କିମ୍ବା ଶରୀରିକ ଭାବେ ପ୍ରସ୍ତୁତ ହୋଇପାରନ୍ତି ନାହିଁ। ଯାହା ଦ୍ୱାରା ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଗର୍ଭ ନିରୋଧକର ଆବଶ୍ୟକତା ବେଶ ଗୁରୁତ୍ଵପୂର୍ଣ୍ଣ”, କହିଛନ୍ତି ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ।

କେଉଁ ବୟସରେ ଗର୍ଭନିରୋଧକ ବ୍ୟବହାର କରିହେବ?

ଯେତେବେଳେ ଜଣେ ମହିଳା ଗର୍ଭ ନିରୋଧକ ବ୍ୟବହାର ପାଇଁ ନିଜକୁ ପ୍ରସ୍ତୁତ କରିବେ ସେ ଡାକ୍ତରଙ୍କ ପରାମର୍ଶରେ ଗର୍ଭ ନିରୋଧକ ବ୍ୟବହାର କରିପାରିବେ। ୧୬ ବର୍ଷରୁ ଊର୍ଦ୍ଧ୍ଵ ଝିଅ ଯେଉଁମାନେ ଶାରୀରିକ ସମ୍ପର୍କ ରଖୁଥିବେ, ସେମାନେ ଗର୍ଭ ନିରୋଧକ ବ୍ୟବହାର କରିବାକୁ ଡାକ୍ତରଙ୍କ ପରାମର୍ଶ  ରହିଛି।

ଗର୍ଭନିରୋଧ ପାଇଁ ବିଭିନ୍ନ ଉପାୟ ରହିଛି। ସେଥିମଧ୍ୟରେ ରହିଛି ହର୍ମୋନାଲ ପିଲ୍ ବା ଓାରଲ କଣ୍ଟ୍ରାସେପ୍ଟିକ୍ ପିଲ। କିନ୍ତୁ ଏହି ଓରାଲ କଣ୍ଟ୍ରାସେପ୍ଟିକ୍ ପିଲକୁ ସମସ୍ତେ ବ୍ୟବହାର କରିପାରିବେ ନାହିଁ। ଯେଉଁମାନଙ୍କର ଶରୀର ପାଇଁ ଏହା ଉପଯୁକ୍ତ ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଏହାକୁ ବ୍ୟବହାର କରିପାରିବେ ବୋଲି ଡାକ୍ତର କୁହନ୍ତି।

କଣ୍ଟ୍ରାସେପ୍ଟିକ୍ ପିଲଗୁଡ଼ିକ ମଧ୍ୟରେ ରହିଛି ମାଲା ଏମ୍ ଏବଂ ମାଲା ଡି। ଏହି ପିଲକୁ ଗର୍ଭଧାରଣ କରିବାକୁ ଚାହୁଁନଥିବା ମହିଳାଙ୍କୁ ନିର୍ଦ୍ଦେଶାବାଳୀ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରିବାକୁ ପଡ଼ିଥାଏ।

ଗର୍ଭନିରୋଧ ପାଇଁ ଇଞ୍ଜେକ୍ସନ

କଣ୍ଟ୍ରାସେପ୍ଟିକ ପିଲ ବ୍ୟତୀତ ଗର୍ଭନିରୋଧ ପାଇଁ ଇଂଜେକ୍ସନ ମଧ୍ୟ ରହିଛି। ଏହି ଇଂଜେକ୍ସନରେ ରହିଥିବା ହର୍ମୋନକୁ ପ୍ରୋଜିଷ୍ଟ୍ରନ ହର୍ମୋନ କୁହାଯାଏ। ପ୍ରତି ୩ ମାସରେ ଗର୍ଭଧାରଣ କରିବାକୁ ଅନିଚ୍ଛୁକ ମହିଳାମାନେ ଡାକ୍ତରଙ୍କ ପରାମର୍ଶରେ ଏହି ଇଂଜେକ୍ସନକୁ ନେଇ ପାରିବେ।

ହର୍ମୋନାଲ ଗର୍ଭନିରୋଧକ ମଧ୍ୟରେ ରହିଛି ‘ଇନପ୍ଲାଣ୍ଟ’। ଏହାକୁ ଚର୍ମ ତଳେ ଦିଆଯାଇଥାଏ। ଇନପ୍ଲାଣ୍ଟ ଦୁଇ ପ୍ରକାରର। ଗୋଟିଏ ଇନପ୍ଲାନନ ଏବଂ ଅନ୍ୟଟି ହେଉଛି ନେକ୍ସପ୍ଲାନନ।

ଆଉ ଏକ ଗର୍ଭନିରୋଧକ ହେଉଛି ‘ମାଇରେନା’। ଏହା ପ୍ଲାଷ୍ଟିକର ଟି-ସେଫର ଏକ ଡିଭାସ। ଯାହାକୁ ୟୁଟ୍ରେସ ଭିତରେ ରଖାଯାଇଥାଏ। ଏହା ଗର୍ଭଧାରଣକୁ ରୋକିବାରେ ସକ୍ଷମ ହୋଇଥାଏ। ଏହା ହର୍ମୋନାଲ କାଟାଗୋରିର ବୋଲି କୁହନ୍ତି ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ।

ନନ ହର୍ମୋନ କ’ଣ ?

ନନ ହର୍ମୋନ ଗର୍ଭନିରୋଧକରେ ‘କଣ୍ଡୋମ’ ଅନ୍ତର୍ଭୁକ୍ତ। କଣ୍ଡୋମ ଦୁଇ ପ୍ରକାରର। ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ରହିଛି। ଏହା ସହ ଗର୍ଭନିରୋଧ ପାଇଁ ଡ୍ରାଏ କ୍ୟାପର ଭୂମିକା ମଧ୍ୟ ରହିଛି। ଯାହା କେବଳ ମହିଳାଙ୍କ ପାଇଁ ରହିଛି।

ଆଉ ଏକ ଗର୍ଭ ନିରୋଧକ ହେଉଛି ‘କପର-ଟି’। ଯାହା କେବଳ ମହିଳାମାନଙ୍କ ବ୍ୟବହାର ପାଇଁ ରହିଛି। ଏହା ଟି-ଆକୃତିର ଏବଂ ଏହାର ବାହ୍ୟ ଆବରଣ କପରର ହୋଇଥାଏ। ଏହାକୁ ୟୁଟ୍ରସରେ ରଖାଯିବା ଦ୍ୱାରା ମହିଳାମାନେ ଗର୍ଭଧାରଣ ସମସ୍ୟାରୁ ମୁକ୍ତି ପାଇଥାନ୍ତି।

ଗର୍ଭନିରୋଧକ ପଦ୍ଧତି କେତେ ପ୍ରକାରର?

  • ଗର୍ଭନିରୋଧ ପାଇଁ ଦୁଇଟି ପଦ୍ଧତି ରହିଛି
  • ଗୋଟିଏ ସ୍ଵଳ୍ପ ଅବଧି ପାଇଁ ଏବଂ ଗୋଟିଏ ଦୀର୍ଘ ସ୍ଥାୟୀ
  • ହର୍ମୋନ ଏବଂ ନନହର୍ମୋନ ଗର୍ଭନିରୋଧକ ସ୍ଵଳ୍ପ ଅବଧି ଶ୍ରେଣୀରେ ଆନ୍ତର୍ଭୁକ୍ତ
  • ଦୀର୍ଘ ସ୍ଥାୟୀ ଗର୍ଭନିରୋଧକକୁ ‘ଟ୍ୟୁବେକଟୋମି’ କୁହାଯାଏ
  • ଅସ୍ତ୍ରୋପଚାର ଦ୍ଵାରା ଗର୍ଭାସୟର ଦୁଇ ପାର୍ଶ୍ୱରେ ଥିବା ଦୁଇଟି ଟ୍ୟୁବକୁ ସିଲ କରାଯାଏ, ଯାହା ଗର୍ଭଧାରଣକୁ ରୋକିବାରେ ସହାୟକ ହୋଇଥାଏ

ଗର୍ଭନରୋଧ ନିମନ୍ତେ କେବଳ ମହିଳା ନୁହନ୍ତି ନୁହେଁ ପୁରୁଷଙ୍କ ପାଇଁ ମଧ୍ୟ ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି। ଏହାକୁ ଭାସାକ୍ଟୋମି କୁହାଯାଏ। ଏହା ଦ୍ୱାରା ପୁରୁଷମାନଙ୍କ ଧାତୁ ଜମା ହୋଇ ରହୁଥିବା ନଳିକୁ ଅସ୍ତ୍ରୋପଚାର କରି ବନ୍ଦ କରିଦିଆଯାଏ। ଅସ୍ତ୍ରୋପଚାର ଗର୍ଭ ନିରୋଧର ସ୍ଥାୟୀ ବ୍ୟବସ୍ଥା ବୋଲି ଡାକ୍ତର କୁହନ୍ତି।

ଗର୍ଭନିରୋଧକ ଗର୍ଭଧାରଣ ରୋକିବାରେ କେତେ ସକ୍ଷମ?

“ଗର୍ଭନିରୋଧକ ଗର୍ଭଧାରଣ ରୋକିବାରେ ଶତ ପ୍ରତିଶତ ସଫଳ ହୋଇପାରି ନାହିଁ। ବେଳେବେଳେ କଣ୍ଟ୍ରାସେପ୍ଟିକ୍ ପିଲ କିମ୍ବା କଣ୍ଡୋମ ଆଦି ଠିକ୍ ଭାବେ ବ୍ୟବହାର କରୁ ନଥିବାରୁ ଜଣେ ମହିଳା ପରବର୍ତ୍ତୀ ସମୟରେ ଗର୍ବଭତୀ ହେଉଥିବା ଅନେକ ଉଦାହରଣ ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଠିକ ଭାବେ ଗର୍ଭ ନିରୋଧକୁ ବ୍ୟବହାର କରିବା ଦ୍ଵାରା ଗର୍ଭଧାରଣର ଆଶଙ୍କା ୯୫ ପ୍ରତିଶତ ପର୍ଯ୍ୟନ୍ତ କମିଥାଏ”, କୁହନ୍ତି ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ।

ଗର୍ଭନିରୋଧକର ପାର୍ଶ୍ୱ ପ୍ରତିକ୍ରିୟା ରହିଛି କି?

କଣ୍ଟ୍ରାସେପ୍ଟିକ୍ ପିଲ୍ ବ୍ୟବହାର ଦ୍ଵାରା ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ। ଏହାର ବ୍ୟବହାର ଦ୍ଵାରା ମହିଳାଙ୍କ ଓଜନରେ ବୃଦ୍ଧି ହୋଇଥାଏ। ଅଧିକାଂଶ ମହିଳାଙ୍କ ଶରୀରରେ ପାଣି ଜମେ ଏବଂ ମାଇଗ୍ରେନ ସମସ୍ୟା ମଧ୍ୟ ଦେଖିବାକୁ ମିଳେ। ଗର୍ଭାସୟ ମୁଖଦ୍ଵାର କ୍ୟାନ୍ସର ହେବାର ସମମ୍ଭାବନା ରହିଥିବା କହିଛନ୍ତି ଡାକ୍ତର।

‘କପର-ଟି’ ବ୍ୟବହାର ଦ୍ଵାରା ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ। ଏହାକୁ ବ୍ୟବହାର କରିବା ଫଳରେ ମହିଳାଙ୍କର ୟୁଟ୍ରେସରେ ଇନଫେକ୍ସନ ହୋଇଯାଏ। ସମସ୍ତଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ ନାହିଁ। କିନ୍ତୁ କଣ୍ଡୋମ, କ୍ୟାପ ଏବଂ ଜେଲ୍‌ ବ୍ୟବହାର ଦ୍ଵାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ ବୋଲି ଡାକ୍ତର କୁହନ୍ତି।

ଗର୍ଭନିରୋଧକ ଶତ ପ୍ରତିଶତ ଗର୍ଭଧାରଣ ରୋକିବାରେ ସକ୍ଷମ ହେଉନଥିଲେ ମଧ୍ୟ ଏହା ଶାରୀରିକ ସମ୍ପର୍କ ଦ୍ଵାରା ହେଉଥିବା ଇନଫେସନକୁ ରୋକିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗର୍ଭଧାରଣ କରିବାକୁ ଚାହୁଁନଥିବା ମହିଳାମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗର୍ଭ ନିରୋଧକ ବାଛି ପାରିବେ ବୋଲି କହିଛନ୍ତି ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ।

Comment