ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳଦାସଙ୍କୁ ଚଳିତ ବର୍ଷ ସମ୍ମାନଜନକ ‘ମାହାରୀ ସମ୍ମାନ’ରେ ସମ୍ମାନୀତ କରାଯିବ। ଆସନ୍ତା ମାର୍ଚ୍ଚ ୧୭ ତାରିଖରେ ଗୁରୁ ପଙ୍କଜ ଚରଣ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସଂସ୍କୃତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳାଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ମାହାରୀ ସମ୍ମାନ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ଏକମାତ୍ର ସମ୍ମାନ। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରତିବର୍ଷ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ମାହାରୀ ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ସମ୍ମାନ ବାବଦକୁ ନଗଦ ୫୦ ହଜାର ଟଙ୍କା ସହ ମାନପତ୍ର ଏବଂ ଫଳକ ପ୍ରଦାନ କରାଯିବ।

ଦିଲ୍ଲୀର କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳାଦାସଙ୍କୁ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାରୀ ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ବିଶିଷ୍ଟ ସିତାର ବାଦକ ଗୁରୁ ରବିଶଙ୍କର ପ୍ରଧାନଙ୍କୁ ‘ବୀଣାକାର’, ବିଶିଷ୍ଟ ମର୍ଦଳ ବାଦକ ଗୁରୁ ଦିବାକର ପରିଡ଼ାଙ୍କୁ ‘ମାଦେଳୀ’, କୋଲକାତାର ପୋଶାଳି ମୁଖାର୍ଜୀଙ୍କୁ ‘ନାଚୁଣୀ ସମ୍ପ୍ରଦା’ ଏବଂ ସ୍ଵନାମଧନ୍ୟ ଗାୟକ ସଚ୍ଚିକାନ୍ତ ନାୟକଙ୍କୁ ‘ଗାଉଣୀ ସମ୍ପ୍ରଦା’ ଉପାଧିରେ ସମ୍ମାନୀତ କରାଯିବ। ଏ ନେଇ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ଶରତ ଦାସ ସୂଚନା ଦେଇଛନ୍ତି।

Comment