ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟି(ବିଜେପି) ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡକ୍ଟର ସୁନୀତି ମୁଣ୍ଡଙ୍କ ନାଁ ଘୋଷଣା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ପରେ କଟକ ଏବଂ ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପାଇଁ ଅଭିନେତା ଶ୍ରୀତମ ଦାସ ଓ ବ୍ରହ୍ମପୁର ପାଇଁ ସବିତା ସୁଅରଙ୍କୁ ମେୟର ପ୍ରାର୍ଥୀ କରାଯାଇଛି। ମେୟର ପଦବୀ ପାଇଁ ଓଡ଼ିଶାର ପ୍ରମୁଖ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ।

ଭୁବନେଶ୍ୱର ମେୟର ପ୍ରାର୍ଥୀ ପାଇଁ ଅନେକ ଦରଖାସ୍ତ ଆସିଥିଲା। ଏପରିକି ଯେଉଁମାନେ ଭାରତୀୟ ଜନତା ପାର୍ଟିର ସଦସ୍ୟା ନଥିଲେ, ସେମାନେ ମଧ୍ୟ ଦରଖାସ୍ତ ଦେଇଥିଲେ। ଦଳର ନିଷ୍ପତ୍ତି ଅନୁଯାୟୀ ଡକ୍ଟର ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ ପାଇଁ ଚୟନ କରାଯାଇଥିଲା। ଦଳ ଭୁବନେଶ୍ୱର ପାଇଁ ଜଣେ ଉଚ୍ଚ ଶିକ୍ଷିତା ମହିଳା ଚାହୁଁଥିବାରୁ ଡକ୍ଟର ମୁଣ୍ଡଙ୍କୁ ପ୍ରାର୍ଥୀ କରାଯାଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ କହିଛନ୍ତି।

ଡକ୍ଟର ସୁନୀତି ମୁଣ୍ଡ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍‌ଏ ପାସ୍‌ କରିଛନ୍ତି। ସେ ୱାର୍ଦ୍ଧାରୁ ହିନ୍ଦୀ ରତ୍ନରେ ଉପାଧି ପାଇଛନ୍ତି। ସେ ଦୀର୍ଘ ବର୍ଷ ଧରି ସାମ୍ବାଦିକା ଭାବେ ବିଭିନ୍ନ ପ୍ରମୁଖ ଗଣମାଧ୍ୟମରେ କାମ କରିଛନ୍ତି। ଡକ୍ଟର ସୁନୀତି ମୁଣ୍ଡ ଜଣେ ସାହିତ୍ୟିକା ମଧ୍ୟ। ସେ ୨୮ରୁ ଅଧିକ ପୁସ୍ତକ ଲେଖିଛନ୍ତି।

ଭୁବନେଶ୍ୱର ପରେ କଟକ ମହାନଗର ନିଗମ ପାଇଁ ବିଜେପି ପକ୍ଷରୁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଦୀର୍ଘ ଦିନ ହେଲା ବିଜେପିରେ ଯୋଗ ଦେଇ ସକ୍ରିୟ ଥିଲେ। ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ମଧ୍ୟ ସଂପାଦକ ଅଛନ୍ତି। ୧୯୯୭ରେ ଅଭିନେତା ଭାବେ ଓଡ଼ିଆ ସିନେ ଜଗତରେ ପାଦ ଦେଇଥିବା ଶ୍ରୀତମ ଦାସ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। ଅଭିନେତାରୁ ରାଜନୀତିକୁ ଓହ୍ଲାଇଥିବା ଶ୍ରୀତମ ଦାସ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଏବଂ  କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କ ସହ ମୁକାବିଲା କରିବେ।

ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ଭାବେ ଡକ୍ଟର ସବିତା ସୁଅରଙ୍କ ନାଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି। ଡକ୍ଟର ସବିତା ସୁଅର ହେଉଛନ୍ତି ଦଳର ବରିଷ୍ଠ ନେତା ଇଂ. ଉତ୍ତମ ପାଣିଗ୍ରାହୀଙ୍କ ପତ୍ନୀ।

୨୦ ବର୍ଷ ଧରି ସେ ଏକ ଘରୋଇ କଲେଜରେ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଆସୁଛନ୍ତି। ଅଧ୍ୟାପନାରୁ ସେ ସିଧାସଳଖ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି। ବ୍ରହ୍ମପୁର ମେୟର ପଦବୀ ପାଇଁ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳାଇଙ୍କ ସହ ସବିତା ସୁଅରଙ୍କର କଡ଼ା ଟକ୍କର ହେବ।

ପୂର୍ବରୁ କଟକ ମହାନଗର ମେୟର ପଦବୀ ପାଇଁ ଅଭିନେତା ଶ୍ରୀତମ ଦାସଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଶ୍ରୀତମ ଦାସଙ୍କୁ କଟକ ମେୟର ପ୍ରାର୍ଥୀ କରିଛି ବିଜେପି। ଏଣେ ଭୁବନେଶ୍ୱର ମେୟର ପଦବୀ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ ନିର୍ଣ୍ଣୟ ହୋଇପାରୁ ନଥିଲାବେଳେ ସବୁ ପ୍ରଶ୍ନ ଉପରେ ବିରାମ ଲାଗି ଡକ୍ଟର ସୁନୀତି ମୁଣ୍ଡ ନାଁ ଘୋଷଣା କରାଯାଇଛି। ସେହିପରି ବ୍ରହ୍ମପୁର ମେୟର ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଡକ୍ଟର ସବିତା ସୁଅରଙ୍କୁ ଚୟନ କରାଯାଇଛି।

Tag: #Election #OdishaElection #MunicipalElection #BMC #CMC #BeMC

LEAVE A REPLY

Please enter your comment!
Please enter your name here