ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଓଡ଼ିଶାର ୭୭ ଜଣ ଛାତ୍ରଛାତ୍ରୀ ନିଜ ମାଟିକୁ ଫେରିଛନ୍ତି। ରାଜ୍ୟ ସରକାର ଯୋଗାଇ ଦେଇଥିବା ବିମାନରେ ସୋମବାର ଛାତ୍ରଛାତ୍ରୀ ଭୁବନେଶ୍ଵରରେ ପହଞ୍ଚିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ଵାଗତ କରିଥିଲେ।

୧୨ ଦିନର ଉତ୍କଣ୍ଠା ପରେ ନିଜ ପିଲାଙ୍କୁ ଓଡ଼ିଶାରେ ଦେଖି ଆଶ୍ଵସ୍ତ ହୋଇଛନ୍ତି ପରିବାର ଲୋକେ। ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ୟୁକ୍ରେନରେ ଫସିଥିବା ଓଡ଼ିଶା ଛାତ୍ରଛାତ୍ରୀ ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ବିମାନ ଦିଲ୍ଲୀରୁ ସେମାନଙ୍କୁ ଧରି ଓଡ଼ିଶା ଫେରିଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ୟୁକ୍ରେନରୁ ଫେରିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଭଲମନ୍ଦ ପଚାରିବା ସହ ୟୁକ୍ରେନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କର ପାଠପଢ଼ାରେ ଆଗକୁ ଯେପରି ଅସୁବିଧା ନହୁଏ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ଵାସନା ଦେଇଥିଲେ।

ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଦୁଇଟି ବସ୍‌ ଯୋଗେ ସେମାନଙ୍କୁ ଯୁଦ୍ଧ ଅଞ୍ଚଳରୁ ନିରାପଦ ଉଦ୍ଧାର କରାଯାଇଥିଲା। ଆଗକୁ ପାଠପଢାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଦେଶର ମେଡିକାଲ କଲେଜରେ ସେମାନଙ୍କ ପାଠପଢା ପାଇଁ ବ୍ୟବସ୍ଥା  କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ  ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବିମାନବନ୍ଦରରେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

Comment