ଓଡ଼ିଶାଲାଇଭ୍ ବ୍ୟୁରୋ

‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର କରାଯାଇ ଅନାଥ ଏବଂ ଦିବ୍ୟାଙ୍ଗ ଶିଶୁମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଟ୍ରଷ୍ଟର ଉପସଭାପତି ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍‌. ଚୌଧୁରୀଙ୍କ ଜନ୍ମଦିନ ଉପଲକ୍ଷେ ଶୁକ୍ରବାର ଦିନ ଭୁବନେଶ୍ଵରର ଲକ୍ଷ୍ମୀସାଗରସ୍ଥିତ ମଧୁରମୟୀ ଆଶ୍ରମରେ ଏହି ଶିବିର ଆୟୋଜନ ହୋଇଥିଲା।

ବିଭିନ୍ନ ବିଭାଗର ୧୧ଜଣ ଅଭିଜ୍ଞ ଡାକ୍ତର ଏହି ଶିବିରରେ ଯୋଗଦେଇ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କ ସମେତ ଦିବ୍ୟାଙ୍ଗ ଶିଶୁମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ଉଡ୍ର ପକ୍ଷରୁ ସେମାମାନଙ୍କୁ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା।“ସମସ୍ତେ ନିଜ ଜନ୍ମଦିନକୁ ବିଭିନ୍ନ ଢଙ୍ଗରେ ପାଳନ କରନ୍ତି। ମୁଁ ମଧ୍ୟ ସବୁବର୍ଷ ମୋ ଜନ୍ମଦିନକୁ ଗଛ ଲଗାଇ କିମ୍ଵା ବିଭିନ୍ନ ବୃଦ୍ଧାଶ୍ରମରେ ସେବା କରି ପାଳନ କରିଥାଏ। କିନ୍ତୁ ଏଥର ତାହାକୁ ନିଆରା ରୂପେ ପାଳନ କରିବାକୁ ଉଡ୍ର ସାହାଯ୍ୟରେ ଅନାଥ ଶିଶୁମାନଙ୍କ ପାଇଁ ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଇଛି। ଏହାଦ୍ଵାରା ପ୍ରତିଟି ଅସହାୟ ଶିଶୁ ପାଖରେ ପହଞ୍ଚି ତାଙ୍କୁ ସର୍ବନିମ୍ନ ସ୍ଵାସ୍ଥ୍ୟ ସେବା ଯୋଗାଇବା ଆମର ଲକ୍ଷ୍ୟ”, କହିଛନ୍ତି ଉଡ୍ରର ଉପସଭାପତି ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍‌. ଚୌଧୁରୀ।

ଏହି ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଡାକ୍ତର ସୋନାଲି ଏସ ଚୌଧୁରୀ, ଡାକ୍ତର ନିତିଶ ଜେନା, ଡାକ୍ତର ସଞ୍ଜୟ ଦାସ, ଡାକ୍ତର ସନ୍ତୋଷ ପତି, ଡାକ୍ତର ସୌମ୍ୟ ପଣ୍ଡା, ଡାକ୍ତର ଶ୍ରୀ ଦାସ, ଡାକ୍ତର ଜଳଧର ବେହୁରା, ଡାକ୍ତର ଭକ୍ତ ସରକାର, ଡାକ୍ତର ସନ୍ତୋଷ ପଣ୍ଡା ପ୍ରମୁଖ ସାମିଲ ହୋଇ ୧୫୦ରୁ ଅଧିକ ଶିଶୁଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ।“ଯେଉଁମାନଙ୍କର ଘର ପରିବାର ନାହିଁ, ସେଭଳି ଶିଶୁମାନେ ପ୍ରାଥମିକ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ସେହି ଶିଶୁମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଉଡ୍ରର ଏହା ଥିଲା ଏକ ନିଆରା ପ୍ରୟାସ। ତେଣୁ ସେହିଭଳି ଶିଶୁମାନଙ୍କ ପାଖରେ ସହଜରେ ସର୍ବନିମ୍ନ ସ୍ଵାସ୍ଥ୍ୟ ସେବା ପହଞ୍ଚାଇବାକୁ ଏହି ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜନ ହେଉଛି”, କହିଛନ୍ତି ଉଡ୍ରର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ।ଏହି ଶିବିରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ତଥା ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ, ଅଭିନେତ୍ରୀ ଜିନା ସାମଲ ଏବଂ ଅଭିନେତା ରୁଦ୍ର ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।

Tag : #UDRA #UDRAOdisha #FreeHealthCheckupCamp #ଉଡ୍ର #ଓଡ଼ିଶା

Comment