ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ଏବଂ ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଶେଷ ଦିନରେ ବି ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତି ଦଳଗୁଡ଼ିକ ପକ୍ଷରୁ ଉଦ୍ୟମ ଜୋରଦାର କରାଯାଇଛି। ପ୍ରାର୍ଥୀଙ୍କଠାରୁ ଆରମ୍ଭ କରି ନେତା ଏବଂ ସମର୍ଥକ ଭୋଟରଙ୍କୁ ଆକୃଷ୍ଟ କରିବାକୁ କୌଣସି ପ୍ରୟାସ ବାକି ରଖି ନାହାନ୍ତି। ଶେଷ ଦିନରେ ପ୍ରଚାରରେ କମ୍ପି ଉଠିଛି ବସ୍ତିଠାରୁ ସହର।
ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସହ ଅନ୍ୟ ଦଳଗୁଡ଼ିକ ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଥିଲେ। ସବୁ ଦଳର ପ୍ରାର୍ଥୀ ଏବଂ ନେତା ଘରକୁ ଘର ବୁଲି ଭୋଟ ମାଗିଛନ୍ତି। ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଶେଷ ଦିନରେ ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରିଛନ୍ତି ପ୍ରାର୍ଥୀମାନେ।
ପ୍ରଚାରର ଶେଷ ଦିନରେ ଭୁବନେଶ୍ଵରର ରସୁଲଗଡ଼, ପଳାଶୁଣି ଏବଂ ପାଣ୍ଡରା ଅଞ୍ଚଳରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିଶାଳ ଶୋଭାଯାତ୍ରାରରେ ଯାଇ ଭୋଟରଙ୍କୁ ଭୋଟ ମାଗିଥିଲେ। ସୁଲୋଚନା ଦାସଙ୍କ ପାଇଁ ପ୍ରଚାର କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମର ରାଉତ, ଯୁବନେତା ଚିତ୍ତରଂଜନ ଦାସ, ରୁଦ୍ର ପ୍ରଦାପ ସାମନ୍ତରାୟ ଏବଂ ସ୍ଥାନୀୟ କର୍ପୋରେଟର ବିପ୍ଳବ ବେହେରା। ଶହ ଶହ ସମର୍ଥକଙ୍କ ଗହଣରେ ସହରର ଗଳିକନ୍ଦି ବୁଲି ଭୋଟ ମାଗିଥିଲେ ମେୟର ପ୍ରାର୍ଥୀ ସୁଲୋଚନା ଦାସ। 
ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖାରବେଳ ସ୍ଵାଇଁ ନିଜ ସମର୍ଥକଙ୍କୁ ଧରି ଭୋଟରଙ୍କୁ ଶେଷ ଦିନରେ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ରାଜଧାନୀରେ ପ୍ରଚାର କ୍ଷେତ୍ରରେ ପଛରେ ରହିନାହିଁ କଂଗ୍ରେସ। ନିଜର ପ୍ରାର୍ଥୀଙ୍କ ପାଇଁ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି।
ସେହିପରି କଟକ ମହାନଗର ନିଗମରେ ମଧ୍ୟ ତିନି ପ୍ରମୁଖ ଦଳ ପକ୍ଷରୁ ଶେଷ ଦିନରେ ପ୍ରଚାର କାର୍ଯ୍ୟ ଜୋର ସୋର ହୋଇଛି। କେବଳ ପ୍ରାର୍ଥୀ ନୁହଁନ୍ତି, ପ୍ରାର୍ଥୀଙ୍କ ସହ ଅନେକ ଷ୍ଟାର ପ୍ରଚାରକ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି। କଟକରେ ମେୟର ଏବଂ କର୍ପୋରେଟର ପ୍ରାର୍ଥୀ ସମର୍ଥକଙ୍କ ବିଶାଳ ଶୋଭାଯାତ୍ରା ଧରି ଘରକୁ ଘର ବୁଲି ଭୋଟ ମାଗିଛନ୍ତି।
ପ୍ରଚାର କ୍ଷେତ୍ରରେ ପଛରେ ରହିନାହିଁ ବ୍ରହ୍ମପୁର। ବ୍ରହ୍ମପୁର ମହାନଗର ନିଗମରେ ବିଭିନ୍ନ ଦଳର ମେୟର ଏବଂ କର୍ପୋରେଟର ପ୍ରାର୍ଥୀମାନେ ନିଜର ସମର୍ଥକଙ୍କ ସହ ଓଡ଼ିଆ ସିନେମା ଏବଂ ଧାରାବାହିକ ଅଭିନେତା ଅଭିନେତ୍ରୀଙ୍କୁ ସାଙ୍ଗରେ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି।
ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ମୋଟ ୧୦୬ଟି ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ମୋଟ ୪୦ଲକ୍ଷ ୫୫ହଜାର ୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ।
ପୌର ନିର୍ବାଚନ ସୁପରିଚାଳନା ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୨୩ ତାରିଖ ଅପରାହ୍ଣ ସୁଦ୍ଧା ନିଜ ନିଜ ବୁଥ୍ରେ ପୋଲିଂ ପାର୍ଟି ପହଞ୍ଚିବେ। ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସନ୍ତା ମାର୍ଚ୍ଚ ୨୬ ତାରିଖ ସକାଳ ୮ଟାଠାରୁ ଶେଷ ହେବା ପର୍ଯ୍ୟନ୍ତ ଭୋଟ ଗଣତି ହେବ। ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସାରିବାକୁ ୧୯୫ ପ୍ଲାଟୁନ ପୋଲିସ୍ ଫୋର୍ସ ବିଭିନ୍ନ ମତଦାନ କେନ୍ଦ୍ରରେ ମୁତୟନ ହେବେ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।
ପ୍ରତି ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଧିକାରୀ ରହିବେ। ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।
Tags: #Election #MunicipalElection #MunicipalElection2022 #BMC #CMC #BeMc #BJD #BJP #Congress #AAP



















