ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨-୨୩ ମସିହା ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଦ୍ୟୁତ୍‌ର ରିଟେଲ ଦର ଅପରିବର୍ତ୍ତିତ ରହିବ। ସାଧାରଣ ଲୋକ, ଚାଷୀ ଏବଂ ଶିଳ୍ପ କ୍ଷେତ୍ର ପାଇଁ ମଧ୍ୟ ରିହାତି ବ୍ୟବସ୍ଥା କରାଯାଇଛି। ଉପଭୋକ୍ତା ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତର ରିହାତ ମିଳିବ। କ୍ଷୁଦ୍ରଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା କରାଯାଇଛି। ଅକ୍ଷୟଶକ୍ତିର ବିକାଶ ପାଇଁ ଗ୍ରାହକଙ୍କୁ ଅଧିକ ୫୦ ପଇସା ଦେବାକୁ ପଡ଼ିବ ବୋଲି ଓଆଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବିଦ୍ୟୁତ ଦର ବୃଦ୍ଧି ନକରିବା ଲାଗି ରାଜ୍ୟ ସରକାର ଶକ୍ତି ବିଭାଗକୁ ଚିଠି ଲେଖି ଅନୁରୋଧ କରିଥିଲେ। କୋଭିଡ ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବାରୁ ବିଜୁଳି ଦର ବୃଦ୍ଧି ହେଲେ ଲୋକଙ୍କ ପାଇଁ ଅଧିକ ବୋଝ ଲଦି ହୋଇଯିବ ବୋଲି ସରକାର ଚିଠିରେ ଦର୍ଶାଇ ଥିଲେ।

ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ରିହାତି ବ୍ୟବସ୍ଥା କରାଯାଇଛି। ୫୦ ୟୁନିଟ ବିଦ୍ୟୁତ୍ ବ୍ୟବହାର ଉପରେ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ୫୦ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ପାଇଁ ୪ ଟଙ୍କା ୮୦ ପଇସା ଦେବାକୁ ପଡ଼ିବ। ସେହିପରି ୨୦୦ରୁ ୪୦୦ ୟୁନିଟ ବିଦ୍ୟୁତ୍ ବ୍ୟବହାର ଉପରେ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଦେବାକୁ ହେବ। ଏହା ସହ ୪୦୦ ୟୁନିଟରୁ ଅଧିକ ବିଦ୍ୟୁତ୍ ବ୍ୟବହାର ପାଇଁ ଉପଭୋକ୍ତାଙ୍କୁ ୬ ଟଙ୍କା ୨୦ ପଇସା ଦେବାକୁ ହେବ।

ଶିଳ୍ପ କ୍ଷେତ୍ରରେ ୬୫ରୁ ୭୫ ପ୍ରତିଶତ ବିଦ୍ୟୁତ୍ ବ୍ୟବହାର ଉପରେ ୧୦ ପ୍ରତିଶତ ରିହାତି ମିଳିବ। ଏହା ସହ ୭୫ରୁ ୮୫ ପ୍ରତିଶତ ବିଦ୍ୟୁତ୍ ବ୍ୟବହାର ପାଇଁ ୧୫ ପ୍ରତିଶତ ରିହାତି ଏବଂ ୮୫ ପ୍ରତିଶତରୁ ଅଧିକ ବିଦ୍ୟୁତ୍ ବ୍ୟବହାର ଉପରେ ୨୦ ପ୍ରତିଶତ ରିହାତି ମିଳିବ ବୋଲି ଓଆଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Tags: #Electritsity #ElectriBill #OIRC #OdishaGovt #Consumer

Comment