ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳରେ ବିଶୃଙ୍ଖଳା ସୀମା ଟପିଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ଚୁଲି ତାଡ଼ି ଦେଇଛନ୍ତି। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ଘଟିଛି। ଏଭଳି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ବର୍ଷ ବର୍ଷ ଧରି କୁଡ଼ୁଆରେ ରନ୍ଧା ହୋଇଥିବା କୋଠ ଭୋଗ ବଡ଼ଠାକୁରଙ୍କ ପାଖରେ ଲାଗି ହେଉଥିବାବେଳେ ପ୍ରଥମଥର ପାଇଁ କଡ଼େଇରେ କୋଠଭୋଗ ରନ୍ଧା ହୋଇ ମହାପ୍ରଭୁଙ୍କଠାରେ ଲାଗି ହୋଇଛି। ଏହିଭଳି ବିଡ଼ମ୍ବନା ଆଗରୁ କେବେ ଘଟିନଥିଲା।  

ଏହି ଘଟଣାକୁ ନେଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଅଭିଯୋଗ କରାଯିବା ପରେ ସିସିଟିଭି ଯାଞ୍ଚ କରି ପୋଲିସ୍ ଜଣଙ୍କୁ ଚିହ୍ନଟ କରିଛି। ଅନ୍ୟ ପକ୍ଷରେ ଚୁଲି ଭଙ୍ଗା ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

ଶ୍ରୀମନ୍ଦିର ରୋଷଘର ଭିତରେ ସିସିଟିଭି କ୍ୟାମେରା ଲାଗିବା ପରାମ୍ପରା ବିରୋଧୀ ହୋଇଥିବାରୁ କେବଳ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଲାଗିଛି। କିନ୍ତୁ ଏହି କ୍ୟାମେରାଗୁଡ଼ିକ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡ଼ିରହିଥିବା ସେବାୟତମାନେ କହିଛନ୍ତି। ତେବେ ରାତ୍ର ପହୁଡ଼ ସମୟରେ କେଉଁମାନେ ରୋଷଘର ଦାୟିତ୍ଵରେ ଥିଲେ ରୋଷ ଘର ପ୍ରବେଶ ପଥରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଅନୁଧ୍ୟାନ କଲେ ସବୁ ସତ ଜଣାପଡ଼ିବ ବୋଲି କୁହାଯାଉଛି।

କିଏ ଏବଂ କାହିଁକି ଏଭଳି କାଣ୍ଡ ଘଟାଇଲା ତାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ହେବା ସହ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ବଡ଼ଦେଉଳ ରୋଷଶାଳାର ଚୁଲିକୁ ଭଙ୍ଗା ଯାଇଥିବା ସନ୍ଦେହ କରାଯାଉଛି।

Tags: #ShreeJagannathTemple #Investigation #Chulha #Vandalise

Comment