ନୀଳାମ୍ବର ରଥ

ବେପରୁଆ ଭାରିଯାନ ଚାଳନା ଆମ ରାଜ୍ୟରେ ସଡ଼କକୁ କିପରି ମୃତ୍ୟୁ ପଥରେ ପରିଣତ କରିଛି ଭୁବନେଶ୍ଵର ପଳାଶୁଣୀ, କଟକର ୪୨ ମୌଜା ଏବଂ ରାଜଗାଙ୍ଗପୁରର ତିନୋଟି ଦୁର୍ଘଟଣା ତା’ର ତାଜା ଉଦାହରଣ।

ଏପ୍ରିଲ୍ ୪ ତାରିଖ, ସୋମବାର ସକାଳ। ଭୁବନେଶ୍ଵର ପଳାଶୁଣୀ ନିକଟରେ ଜାତୀୟ ରାଜପଥ ଉପରେ ଯେଉଁଭଳି ଭାବେ ଏକ ସିରିଜ୍ ଦୁର୍ଘଟଣା ଘଟିଲା ତାହା ପ୍ରତ୍ୟକ୍ଷଦର୍ଶୀଙ୍କ ଛାତି ଥରାଇ ଦେଇଛି। ଡିଜିଟାଲ୍ ମିଡିଆରେ ସେହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଦେଖିଲା ବେଳେ ମନରେ ଡର ଆସୁଛି। ବିଶେଷ କରି ଯେଉଁମାନେ ପ୍ରତିଦିନ କର୍ମଜୀବନ ପାଇଁ ହେଉ ବା ବିଭିନ୍ନ କାମ ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି ଏବଂ ସକାଳ ଓ ସନ୍ଧ୍ୟାର ଭିଡ଼ ସମୟରେ ସହର ଭିତରେ ଯିବା ଆସିବା କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି।

ସହର ବଢ଼ୁଛି। ଆଧୁନିକରୁ ଅତ୍ୟାଧୁନିକ ହେଉଛି। ବିଭିନ୍ନ ଟ୍ରାଫିକ୍ ନିୟମ ଓ କଟକଣା ପାଇଁ ରାସ୍ତା ଦୁର୍ଘଟଣା ସଂଖ୍ୟା ମଧ୍ୟ କମୁଛି। କିନ୍ତୁ ଏହା ଏକ ଆଶ୍ଵାସନାର କଥା ନୁହେଁ। କାରଣ ବିଭିନ୍ନ ହେଭି ଭେହିକିଲ୍ ବା ଭାରି ଯାନର ଚାଳକମାନଙ୍କ ବେପରୁଆ ଗାଡ଼ି ଚାଳନା ଏବେ ବି ଦେଖିବାକୁ ମିଳୁଛି। ପଳାଶୁଣୀ ଦୁର୍ଘଟଣା ତା’ର ଗୋଟିଏ ତାଜା ଉଦାହରଣ। ପଳାଶୁଣୀ ଦୁର୍ଘଟଣା ଉପରେ ଟିକେ ଗଭୀର ଭାବେ ନଜର ପକାଇବା। ସାମ୍ନାରେ ଜଣେ ମଟରସାଇକେଲ୍ ଚାଳକ ସଡ଼କ ପାର ହେଉଥିବାରୁ ଗୋଟିଏ ଟ୍ରକ୍ ଅଟକି ଗଲା। ତା’ ପଛରେ ଥିବା ଏକ କାର୍ (ଦୁର୍ଘଟଣା ଶିକାର ହୋଇଥିବା ଗାଡ଼ି) ମଧ୍ୟ ଅଟକିଲା।

ପ୍ରଥମ କାର୍ ପଛରେ ଆସୁଥିବା ଆଉ ଗୋଟିଏ କାର୍ ଅଟକିବା ପାଇଁ ସମ୍ଭବତଃ ଉଦ୍ୟମ କରୁଥିଲା। ଏହି ସମୟରେ ପଛରୁ ଗୋଟିଏ ବାଲି ବୋଝେଇ ହାଇୱା ଟ୍ରକ୍ ୨ ନମ୍ବର କାର୍‌କୁ ପଛରୁ ଅତର୍କିତ ଭାବେ ପିଟିଲ।। ଏହି ମାଡ଼ରେ ୨ ନମ୍ବର କାର୍ ଚାଳକ ତାଙ୍କ ଷ୍ଟିୟରିଂ ମୋଡ଼ି ଦେବା ଫଳରେ ଗାଡ଼ିଟି ଡିଭାଇଡର୍ ଟପି ରାସ୍ତାର ଆର ପାଖକୁ ଛିଟିକି ଗଲା।

ଏତିକିରେ ହାଇୱା ଅଟକିଲା ନାହିଁ। ଦ୍ଵିତୀୟ କାର୍‌କୁ ଧକ୍କା ଦେବା ପରେ ଠିଆ ହୋଇଥିବା ପ୍ରଥମ କାର୍ ଉପରେ ସିଧାସଳଖ ଚଢ଼ିଗଲା। ବାସ୍ତବିକ୍ ଦେଖିବାକୁ ଗଲେ ଏହି ୧ ନମ୍ବର କାର୍ ଆଗରେ ଠିଆ ହୋଇଥିବା ଟ୍ରକ୍ ସହିତ କାର୍‌ଟିକୁ ଏକ ପ୍ରକାର ଚାପି ଦେଇଗଲା। କୌଣସି କାର୍ଟୁନ୍ ସିନେମାରେ ଗୋଟିଏ ଚରିତ୍ର ଚାପି ହୋଇ ପତଳା କାଗଜ ଭଳି ହୋଇଗଲା ପରି ମୁହୂର୍ତ୍ତକରେ ସେ କାର୍ ମୃତ୍ୟୁର ଜନ୍ତା ପାଲଟିଗଲା। ଏହାର ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କଲେ। kendrapada truck

ସୂଚନା ଅନୁଯାୟୀ ଏଭଳି ଭୟଙ୍କର ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକ୍ ସେଠାରେ ନ ଅଟକି ସହର ମଝିରେ ଦ୍ରୁତ ଗତିରେ ଆଗେଇ ଯାଇଥିଲା। ଶେଷରେ ଖଣ୍ଡଗିରି ନିକଟରେ ପୋଲିସ୍ ଏହାକୁ ଅଟକାଇ ଥିଲା।

ଅସୁରକ୍ଷିତ ଭୁବନେଶ୍ଵର ସଡ଼କ!

ଏହି ଘଟଣାରୁ ଯେ କେହି ସାଧାରଣ ନାଗରିକ ଗୋଟିଏ ମନ୍ତବ୍ୟ ଦେଇପାରେ – ଅସୁରକ୍ଷିତ ଭୁବନେଶ୍ଵର ସଡ଼କ। ଗୋଟିଏ ସଡ଼କ ଦୁର୍ଘଟଣା ବଡ଼ କଥା ନୁହେଁ ବୋଲି ପୋଲିସ ଓ ପ୍ରଶାସନ ମନେ କରିପାରନ୍ତି। କିନ୍ତୁ ଏହା ବାସ୍ତବରେ ଗୋଟିଏ ସଡ଼କ ଦୁର୍ଘଟଣା ନୁହେଁ। କିମ୍ବା ଏହା କେବଳ ଭୁବନେଶ୍ଵରରେ ଘଟୁଥିବା ଏକମାତ୍ର ଘଟଣା ନୁହେଁ। ଭୁବନେଶ୍ଵର, କଟକ ସହର ଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଲୋକାଲ୍ ଟ୍ରକଗୁଡ଼ିକ କିପରି ସଡ଼କରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରନ୍ତି ତାହା ଲକ୍ଷ ଲକ୍ଷ ଜନତା ଏକ ସ୍ଵରରେ କହିପାରିବେ।

ଗତ କିଛି ବର୍ଷ ହେଲା ଯାନବାହନ ଆଇନରେ ସଂଶୋଧନ ଆସିବା ଫଳରେ ଭାରତର ସଡ଼କ ଅପେକ୍ଷାକୃତ ସୁରକ୍ଷିତ ମନେ ହେଉଛି। କିନ୍ତୁ ବାସ୍ତବରେ ସୁରକ୍ଷା କ୍ଷେତ୍ରରେ ‘ଅପେକ୍ଷାକୃତ’ ଏକ ଗ୍ରହଣୀୟ ଶବ୍ଦ ନୁହେଁ। ଦେଶର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ନିୟମ ପ୍ରଣୟନ କରାଯାଉଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ, ପ୍ରଶାସନ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ରହିଛନ୍ତି। କିନ୍ତୁ ପଳାଶୁଣୀ ଦୁର୍ଘଟଣା ପୁଣି ପ୍ରମାଣିତ କରିଦେଲା ଯେ ଆମ ରାଜ୍ୟର ସଡ଼କ ଆଜି ବି ସୁରକ୍ଷିତ ନୁହେଁ। କାରଣ ରାସ୍ତାରେ ଯାଉ ଯାଉ କେତେବେଳେ ଯେ କେଉଁ ନିରୀହ ଲୋକକୁ ଭାରି ଯାନ ଚଢ଼ାଇ ଦେଇ ଚାଲିଯିବ ଏଥିରେ କିଛି ଆଶ୍ଚର୍ଯ୍ୟ ହେଲା ଭଳି କଥା ନାହିଁ।

ସଡ଼କରେ ଭୟ ସୃଷ୍ଟି କରୁଥିବା ଗାଡ଼ି

ରାଜ୍ୟର ଅନ୍ୟ ଛୋଟ ମୋଟ ସହର ବା ଗ୍ରାମାଞ୍ଚଳର କଥା ଛାଡ଼ି ଦିଅନ୍ତୁ, ଆମେ ଆଜି କଥା ହେଉଛନ୍ତି ଖୋଦ୍ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସମ୍ପର୍କରେ। ଯେଉଁ ଲୋକମାନେ ପ୍ରତିଦିନ କଟକରୁ ଭୁବନେଶ୍ଵର, ଖୋର୍ଦ୍ଧାରୁ ଭୁବନେଶ୍ଵର ବା ପୁରୀରୁ ଭୁବନେଶ୍ଵର ରାସ୍ତାରେ ଯିବାଆସିବା କରୁଛନ୍ତି ସମସ୍ତେ ଏ ସାମ୍ବାଦିକ ସହିତ ଏକମତ ହେବେ ଯେ ବଡ଼ ବଡ଼ ଟ୍ରକ୍ ଏବଂ ବସ୍ କିଭଳି ସଡ଼କରେ ଭୟ ସୃଷ୍ଟି କରୁଛନ୍ତି।

ବାଲି, ଗୋଡ଼ି, ମାଙ୍କଡ଼ା ପଥର ଓ ବିଭିନ୍ନ ସାମଗ୍ରୀ ଓଭରଲୋଡ୍ କରି, ତା’ ଉପରେ ନାମକୁ ମାତ୍ର ଏକ ପାଲ ପକାଇ ରାଜଧାନୀ ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଯାଉଥିବା ବଡ଼ ବଡ଼ ଟ୍ରକ୍ ବିଶେଷ କରି ହାଇୱା ଜାତୀୟ ଗାଡ଼ି ଉପରେ ଖାଲି ନଜର ପକାନ୍ତୁ। ଏଗୁଡ଼ିକର ମତି (ଅର୍ଥାତ୍ ଡ୍ରାଇଭରର ମାନସିକତା), ଗତି (ଅର୍ଥାତ୍ ସ୍ପିଡ୍) ଉପରେ ନଜର ପକାଇଲେ ଜାଣିହୁଏ ଯେ ଏମାନେ ସଡ଼କରେ କିଭଳି ଢଙ୍ଗରେ ଯିବାଆସିବା କରନ୍ତି। ଲଗାତର ହର୍ଣ୍ଣ ବଜାଇବା, ଲେନ୍ ଚେଞ୍ଜ କରିବା, ସାମ୍ନା ଗାଡ଼ି ପଛରେ ଲାଗିଆସି ଭୟ ସୃଷ୍ଟି କରିବା ଏସବୁ ସାଧାରଣ କଥା। ଏହି ଗାଡ଼ିଗୁଡ଼ିକ ଆମ୍ବୁଲାନ୍ସଠାରୁ ଅଧିକ ତରବର। ଯେଉଁ ରାସ୍ତାରେ କାର୍‌ଟିଏ ଯାଇପାରିବ ନାହିଁ ସେ ରାସ୍ତାରେ ଏମାନେ ବୀରଦର୍ପରେ ପଶିଯାଆନ୍ତି। ଅର୍ଥାତ୍ ସଡ଼କ ଏମାନଙ୍କ ବାପାଙ୍କର।

ସେହିଭଳି ରାସ୍ତାରେ ଯାଉଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ମଧ୍ୟ କମ୍ ଟେରର୍ ସୃଷ୍ଟି କରୁନାହାନ୍ତି। ସେମାନଙ୍କ ରଙ୍ଗଢଙ୍ଗରୁ ମନେ ହେବ ଯେମିତି ପୋଲିସବାଲା ଜଣେ ଭିଭିଆଇପିଙ୍କୁ ପାଇଲଟିଂ କରି ନେଇ ଯାଉଛନ୍ତି। ବାଲି ବା ଚିପ୍ ବୋଝେଇ ହାଇୱାଭଳି ଏମାନଙ୍କର ବହୁତ ଲକ୍ଷଣ ରହିଛି। ପ୍ରତି ୪ ହାତରେ ଏମାନେ ଲେନ୍ ଚେଞ୍ଜ କରନ୍ତି। ପ୍ରତି ହାତକରେ ଭୟଙ୍କର ଭାବରେ ଏୟାର୍ ହର୍ଣ୍ଣ ଦବାନ୍ତି। kendrapara truck

ପ୍ରତିଦିନ ସଡ଼କରେ ଗଲାବେଳେ ବଡ଼ ବଡ଼ ଦମ୍ଭିଲା ମଣିଷଙ୍କ ତାଉ ଦେଖି ଦବିଯିବ। ଏହି ବଡ଼ ଗାଡ଼ିଗୁଡ଼ିକର ରଙ୍ଗଢଙ୍ଗ ଦେଖି ଛୋଟ ଛୋଟ ପିକ୍ ଅପ୍ ଟ୍ରକ୍ ମଧ୍ୟ ରାସ୍ତାରେ ଅନୁରୂପ ବ୍ୟବହାର ଦେଖାଉଛନ୍ତି। ଏହି ସାମ୍ବାଦିକ ଅତୀତରେ ଏଭଳି ଦୁର୍ଘଟଣାର ଶିକାର ହୋଇଛି ଏବଂ ଆଖି ସାମ୍ନାରେ ଟ୍ରକ୍ ଅନ୍ୟ ଗାଡ଼ିକୁ ପିଟି ନିଧଡ଼କ ଭାବେ ଆଗକୁ ମାଡ଼ିଯିବାର ଦେଖିଛି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଥିବା ଏହି ଜାତୀୟ ଗାଡ଼ିଙ୍କ ଉପରେ ପ୍ରଶାସନ ବା ପୋଲିସର କୌଣସି ବିଶେଷ ପ୍ରଭାବ ନାହିଁ।

ଲୋକାଲ୍ ଟ୍ରକ୍ଗୁଡ଼ିକର ତାଉ

ଏଠି ଗୋଟିଏ ବିଷୟ ଉଲ୍ଲେଖ କରିବାକୁ ମୁଁ ଉଚିତ୍ ମନେକରୁଛି। ଅଧିକାଂଶ ସ୍ଥାନରେ ସଡ଼କରେ ଭୟର ବାତାବରଣ ସୃଷ୍ଟି କରୁଥିବା ଛୋଟ ବଡ଼ ଟ୍ରକ୍ ମଧ୍ୟରେ ଦେଖାଯାଉଛି ଯେ ଲୋକାଲ୍ ଗାଡ଼ିଗୁଡ଼ିକର ତାଉ ବେଶୀ। ନଦୀରୁ ବାଲି ଉଠାଉଥିବା, ଗୋଦାମରୁ ଚିପ୍ସ ନେଉଥିବା, ଇଟାଭାଟିରୁ ଇଟା ନେଉଥିବା କିମ୍ବା ପଥର ଖଣିରୁ ପଥର ଉଠାଇ ନେଇ ଯାଉଥିବା ଟ୍ରକ୍‌ଗୁଡ଼ିକ ରଙ୍ଗଢଙ୍ଗ ଅଲଗା। ଏହି ସମସ୍ୟାର କାରଣ କେବଳ ଗାଡ଼ିଗୁଡ଼ିକର ଚାଳକ ନୁହନ୍ତି। ଡ୍ରାଇଭରମାନଙ୍କର ଏହି ମନୋଭାବ ପଛରେ ନିଶ୍ଚିତ ଭାବରେ ଗାଡ଼ି ମାଲିକମାନଙ୍କର ହାତ ରହିଛି।

ଆହୁରି ଗଭୀର ଭାବେ ଅନୁଧ୍ୟାନ କଲେ ମନେହୁଏ ଯେ ସଡ଼କରେ ଏଭଳି ଦାଦାଗିରି କରୁଥିବା ଗାଡ଼ିଗୁଡ଼ିକ ପଛରେ କେଉଁଠି ନା କେଉଁଠି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସର ଢିଲାପଣ ରହିଛି। ଆରେ ବିଜୁଳି, ଶାସନ ଗଲେଣି ହୁଗୁଳି – ପଳାଶୁଣୀ ଦୁର୍ଘଟଣାକୁ ସାମ୍ନାକୁ ଆଣିଲେ ଏହି ବାକ୍ୟଟି ଆଜିବି ପ୍ରାସଙ୍ଗିକ ମନେହେଉଛି।

ସ୍କାନରରେ ଟ୍ରକ୍ ଚାଳକ

ଯେକୌଣସି ଦୁର୍ଘଟଣାକୁ ସମୀକ୍ଷା କଲେ ପ୍ରଥମ ନଜରରେ ପଡ଼ନ୍ତି ଦୁର୍ଘଟଣା ପାଇଁ ମୁଖ୍ୟତଃ ଦାୟୀ ଗାଡ଼ିର ଚାଳକଙ୍କ ଉପରେ। କାରଣ ଗାଡ଼ି କେବେ ନିଜକୁ ଚଳାଏ ନାହିଁ କିମ୍ବା ଦୁର୍ଘଟଣା କରେ ନାହିଁ। ଗାଡ଼ିକୁ ଚଳାଏ ଜଣେ ମଣିଷ। ତେଣୁ ଏହି ବ୍ୟକ୍ତିର ଦକ୍ଷତା ଏବଂ ମାନସିକତା ଗାଡ଼ିକୁ ନିୟନ୍ତ୍ରଣ କରିଥାଏ। ତା’ସହିତ ସଡ଼କ ସୁରକ୍ଷା ପାଇଁ କରାଯାଇଥିବା ବିଭିନ୍ନ ନିୟମ ଓ ସତର୍କତା ଠିକ୍ ଭାବେ ପାଳନ କରାଗଲେ ପଳାଶୁଣୀ ଭଳି ହୃଦୟ ବିଦାରକ ଦୁର୍ଘଟଣା ଯେ ଘଟିବ ନାହିଁ ଏଥିରେ କୌଣସି ସନ୍ଦେହ ନାହିଁ।

ସାମାଜିକ ଓ ମନୋବିଜ୍ଞାନୀ ଦୃଷ୍ଟିକୋଣରୁ ବିଚାର କଲେ ଦୁର୍ଘଟଣାକୁ ଆହୁରି ସମୀକ୍ଷା କରିବାକୁ ହେବ। ଯେକୌଣସି ଗାଡ଼ି ଚାଳକଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ, ଶିକ୍ଷାଦୀକ୍ଷା ଏବଂ ତାଲିମ ହିଁ ତାଙ୍କୁ ଜଣେ ଦାୟିତ୍ଵବାନ୍ ଡ୍ରାଇଭର୍ ଭାବେ ତିଆରି କରିପାରିବ। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଆମ ଦେଶର ଲକ୍ଷ ଲକ୍ଷ ଚାଳକ ଏସବୁ ଦୃଷ୍ଟିରୁ ଫେଲ୍। କେବଳ ପକେଟରେ ତାଙ୍କର ଡ୍ରାଇଭିଂ ଲାଇସେନ୍ସଟି ରହିଛି। ଏମାନଙ୍କର କୌଣସି ବିଧିବଦ୍ଧ ତାଲିମ୍ ନାହିଁ କିମ୍ବା ଗାଡ଼ିର ମାଲିକମାନଙ୍କ ପକ୍ଷରୁ ଉଚିତ୍ ତଦାରଖ ବା ମନିଟରିଂ ବ୍ୟବସ୍ଥା ନାହିଁ। ଆଜିର ଦିନରେ ଆମ ସଡ଼କକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବାକୁ ସବୁ ଚାଳକଙ୍କୁ ପ୍ରଥମେ ଦାୟିତ୍ଵବାନ୍ ହେବାକୁ ପଡ଼ିବ।

ସଡ଼କ ସୁରକ୍ଷା ଜୀବନ ରକ୍ଷା – ଏହି ସ୍ଲୋଗାନଟି ଦେଇ ବିଭିନ୍ନ ଗଣମାଧ୍ୟମରେ କେବଳ ପ୍ରଚାର କରିଦେଲେ ଯେ ଏ ସମସ୍ତଙ୍କ ଭିତରେ ଯେ ସଚେତନତା ଆସିଯିବ ତାହା ନୁହେଁ। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ରୋଗ ଦେଖି ଔଷଧ ଦେବା ପରି ବିଭିନ୍ନ ଦୁର୍ଘଟଣା ଘଟାଉଥିବା ଚାଳକବର୍ଗଙ୍କୁ ଚିହ୍ନଟ କରି ସେମାନଙ୍କ ପାଇଁ ବ୍ୟାପକ ଭାବେ ତାଲିମ ଓ ସଚେତନତା କାର୍ଯ୍ୟକ୍ରମ କରିବାକୁ ହେବ। ଏହାଛଡ଼ା ବେପରୁଆ ଭାବେ ଗାଡ଼ି ଚାଳନା କରି ସଡ଼କରେ ଅନ୍ୟର ଧନଜୀବନ ବିପନ୍ନ କରୁଥିବା ବ୍ୟକ୍ତିଙ୍କୁ ଧରି ଆଇନ ଅନୁଯାୟୀ କଡ଼ା ଦଣ୍ଡ ଦେବା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେବ।

କଟକରେ ୪୨ ମୌଜାରେ ହାଇଓ୍ଵା ନେଲା ଜୀବନ

ସେହି ୪ ତାରିଖର ଆଉ ଗୋଟିଏ ଦୁର୍ଘଟଣା ଉପରେ ନଜର ପକାଇବା। କଟକ ୪୨ ମୌଜା ନିକଟରେ ଜଣେ ବରିଷ୍ଠ ନାଗରିକ ଦୁଇଚକିଆ ଯାନ ଉପରେ ଏକ ବାଲି ବୋଝେଇ ହାଇଓ୍ବା ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ଵର ଭଳି କଟକ ସହରର ସଡ଼କ ଯେ ଅସୁରକ୍ଷିତ ହୋଇପଡ଼ିଛି ୪୨ ମୌଜାର ଏହି ଦୁର୍ଘଟଣା ଏକ ତାଜା ଉଦାହରଣ।

ଭୁବନେଶ୍ଵର ପଳାଶୁଣୀ ଏବଂ କଟକ ୪୨ ମୌଜାର ଦୁଇଟି ଦୁର୍ଘଟଣା ମଧ୍ୟରେ କେବଳ ସ୍ଥାନ, ବ୍ୟକ୍ତି ଓ ଗାଡ଼ିଗୁଡ଼ିକ ଅଲଗା। କାହାଣୀ କିନ୍ତୁ ଗୋଟିଏ। ବେପରୁଆ ବା ଦାୟିତ୍ଵହୀନ ଗାଡ଼ି ଚାଳନାର ଚରମ ପରିଣତି।

ରାଜଗାଙ୍ଗପୁରରେ ଆମ୍ବୁଲାନ୍ସ ଉପରେ ଅଜାଡ଼ି ହୋଇଗଲା ପଥର

ଏହି ରିପୋର୍ଟଟି ଲେଖିବା ବେଳକୁ ଆଉ ଗୋଟିଏ ଘଟଣା ନଜରକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଘଟିଥିବା ସେହି ୪ ତାରିଖର ଘଟଣା। ଦିନ ପ୍ରାୟ ୧୨ଟା ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଗୋଟିଏ ବାଇକ୍ ଆମ୍ବୁଲାନ୍ସ ମା’ ଗୃହକୁ ଯାଉଥିଲା। ବାଟରେ ରେଲ୍‌ଓ୍ଵେ ଲେବଲ କ୍ରସିଂ ପଡ଼ିଲା। ରେଳ ଫାଟକ ବନ୍ଦ ଥିବାରୁ ରାସ୍ତାର ଉଭୟ ପଟେ ଜାମ୍ ଥିଲା।

ଫାଟକ ଖୋଲିବା ପରେ ବାଇକ୍ ଆମ୍ବୁଲାନ୍ସିଟି ଆଗକୁ ବଢ଼ିଥିଲା। ଏହି ସମୟରେ ବିପରୀତ ପଟୁ ଆସୁଥିବା ଏକ ପଥର ବୋଝେଇ ହାଇଓ୍ଵା ଟ୍ରକ୍ ତାକୁ ଅତିକ୍ରମ କରିବା ବେଳେ ହାଇଓ୍ଵାର ଡାଲା ଖୋଲିଯାଇ ପଥର ଅଜାଡ଼ି ହୋଇପଡ଼ିଲା। ଏହି ଘଟଣାରେ ସୌଭାଗ୍ୟ କ୍ରମେ ବାଇକ୍ ଆମ୍ବୁଲାନ୍ସରେ ଯାଉଥିବା ଗର୍ଭବତୀ ମହିଳା ଏବଂ ଚାଳକ ଅଳ୍ପକେ ବଞ୍ଚିଯାଇଥିଲେ।

ତେଣୁ ଏହି ଘଟଣା କେବଳ ଭୁବନେଶ୍ଵରର ପଳାଶୁଣୀ କିମ୍ବା ରାଜଗାଙ୍ଗପୁର ସଡ଼କରେ ସୀମିତ ହୋଇରହିନାହିଁ। ଏହି ସମସ୍ୟାର ଜଡ଼ ସାରା ରାଜ୍ୟରେ ଦେଖିବାକୁ ମିଳିବ। ପ୍ରତିଦିନ ଏମିତି କେତେ ଦୁର୍ଘଟଣା ଘଟିଲେ, କେତେ ଜୀବନ ହାନି ହେଲେ ଆମକୁ ଶିକ୍ଷା ମିଳିବ। ସାଧାରଣ ନାଗରିକ ପାଇଁ ଆମ ସଡ଼କ କେବେ ସୁରକ୍ଷିତ ହେବ? ସର୍ବସାଧାରଣ ସଡ଼କକୁ ‘ମରଣଯନ୍ତା’ ବୋଲି ମିଡିଆରେ ଯେଉଁଭଳି ଭାବେ ବର୍ଣ୍ଣନା କରାଯାଏ ତାହା ଆଉ ଲେଖିବାକୁ ପଡ଼ିବନି!

ହେଭି ଭେହିକିଲ ଚାଳକଙ୍କ ପାଇଁ ତାଲିମ

ଖୁସିର କଥା ଯେ ବସ୍ ଓ ଟ୍ରକ୍ ଭଳି ହେଭି ମୋଟର ଭେହିକିଲ୍ ଚଲାଇବା ପାଇଁ ତାଲିମ୍ ଦେବାକୁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭିଙ୍ଗ୍ ଟ୍ରେନିଂ କେନ୍ଦ୍ର ଖୋଲିଛନ୍ତି। ପଳାଶୁଣୀ ଦୁର୍ଘଟଣାକୁ ଉଦାହରଣ ଭାବେ ନେଇ ଏ ସାମ୍ବାଦିକ ଆଜି ସରକାର, ବିଶେଷକରି ରାଜ୍ୟ ପରିବହନ ବିଭାଗ ଏବଂ ଓଡ଼ିଶା ପୋଲିସକୁ କେତୋଟି ପ୍ରସ୍ତାବ ଦେବାକୁ ଚାହେଁ।

(୧) ଆମ ରାଜ୍ୟରେ ବସ୍ ଓ ଟ୍ରକ୍ ଭଳି ହେଭି ଭେହିକିଲ୍ ଚଲାଉଥିବା ସମସ୍ତ ଚାଳକଙ୍କୁ ତାଲିକାଭୁକ୍ତ କରି ସେମାନଙ୍କର ଦକ୍ଷତା, ମାନସିକତା ସମୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇପାରିବ କି? ଏହି କାର୍ଯ୍ୟକୁ ଜିଲ୍ଲାସ୍ତରରେ ପରିଚାଳନା କରାଯାଇପାରେ। ଗୋଟିଏ ଥର ବୁଲି ଆସିଲେ ଅନେକ ଅଯୋଗ୍ୟ ଏବଂ ବେପରୁଆ ଚାଳକଙ୍କୁ ହୁଏତ ଚିହ୍ନଟ କରାଯାଇ ରାସ୍ତାକୁ ଅଣାଯାଇପାରିବ।

(୨) କୌଣସି ହେଭି ଭେହିକିଲ୍ ଚଲାଉଥିବା ଚାଳକମାନଙ୍କ ବିଧିବଦ୍ଧ ତାଲିମ୍ ଉପରେ ଗୁରୁତ୍ଵ ଦିଆଯିବା ଦରକାର। ବିନା ତାଲିମରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଏଭଳି ଗାଡ଼ି ଚଳାଇବାକୁ ଅନୁମତି ବା ଡ୍ରାଇଭିଂ ଲାଇସେନ୍ସ ଦିଆନଯାଉ।

(୩) କେବଳ କଟକ, ଭୁବନେଶ୍ଵର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ବେପରୁଆ ଭାବେ ଟ୍ରକ୍ ଚଲାଉଥିବା ଚାଳକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଚେତାବନୀ ଦିଆଯାଉ। ଯେଉଁ ଚାଳକମାନେ ବାରମ୍ବାର ସଡ଼କ ନିୟମ ପାଳନ କରୁନାହାନ୍ତି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ସମ୍ପୂର୍ଣ୍ଣ ବାତିଲ୍ କରାଯିବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

(୪) ସଡ଼କରେ ଅନ୍ୟ ଗାଡ଼ିଗୁଡ଼ିକୁ ଭୟଭୀତ କରି ଏବଂ ଅତି ଜୋର୍‌ରେ ହର୍ଣ୍ଣ ବଜାଇ ମାଡ଼ି ଯାଉଥିବା ଗାଡ଼ିଗୁଡ଼ିକ ଉପରେ କଟକଣା ଜାରି କରାଯାଉ। ଅନ୍ତତଃ ଯେଉଁସବୁ ସହରରେ ଏବଂ ଜାତୀୟ ରାଜପଥରେ ସିସିଟିଭି ବ୍ୟବସ୍ଥା ରହିଛି ସେଥିରୁ ଡାଟା ଆଣି ପରିବହନ ବିଭାଗ ନିଜଆଡ଼ୁ ପଦକ୍ଷେପ ନିଅନ୍ତୁ। କେବଳ ସ୍ପିଡ୍ ଯାଉଥିବା ଗାଡ଼ିକୁ ଫାଇନ୍ କରି ଛାଡ଼ିଦେଲେ ସଡ଼କ ସୁରକ୍ଷିତ ହୋଇପାରିବ ନାହିଁ।

(୫) ଓଡ଼ିଶା ସଡ଼କକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର, ପରିବହନ ବିଭାଗ ଏବଂ ପୋଲିସ ପ୍ରତିଜ୍ଞା କରନ୍ତୁ। ଏହି ପ୍ରତିବଦ୍ଧତାର ଏକ ନମୁନା ଭାବେ ସର୍ବସାଧାରଣ କୌଣସି ଅଭିଯୋଗ କରିବା ପାଇଁ ଏକ ଫ୍ରି ହେଲ୍ପଲାଇନ୍ ବ୍ୟବସ୍ଥା କରାଯାଇପାରେ। ସଡ଼କରେ କୌଣସି ପ୍ରକାର ଅସୁରକ୍ଷିତ ବା ବେପରୁଆ ଗାଡ଼ି ଚାଳନା ବା ଦାଦାଗିରି କରୁଥିବା ଗାଡ଼ି ସମ୍ପର୍କରେ ଏହି ହେଲ୍ପଲାଇନରେ ଫୋନ୍ କରି ରିପୋର୍ଟ କରିବାକୁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଉ।

ସଡ଼କ ଦୁର୍ଘଟଣାର କ୍ଷତି ଯେ ସହିଛି ସେ ଜାଣିଛି। ତେଣୁ ସାଧାରଣ ଲୋକର ବାଇକଟିଏ ହେଉ ବା କାର୍ ଯେତେବେଳେ ଦୁର୍ଘଟଣାଗ୍ରସ୍ତ ହୁଏ ତା’ ପକେଟକୁ ବାଧେ। ସେହିପରି ବିଭିନ୍ନ ଦୁର୍ଘଟଣାରେ କିଛି ଲୋକ ସାରାଜୀବନ ପାଇଁ ଭିନ୍ନକ୍ଷମ ହୋଇଯାଆନ୍ତି ଏବଂ ଅନେକ ନିଜ ପ୍ରିୟ ପରିଜନଙ୍କୁ ହରାଇ ବସନ୍ତି। ନିଜର କୌଣସି ଭୁଲ ନଥାଇ ଅନ୍ୟ ଜଣଙ୍କ ପାଇଁ ସାରା ଜୀବନ ଲାଗି ଜଣେ ନିରୀହ ସଡ଼କ ବ୍ୟବହାରକାରୀ ଦଣ୍ଡିତ ହୁଏ। କୌଣସି ସରକାର, ପୋଲିସ, ଇନସ୍ୟୁରାନ୍ସ କମ୍ପାନି ଏହି କ୍ଷତିକୁ ଭରଣା କରିପାରିବ ନାହିଁ।

ଅନେକ ସମୟରେ ଆମେ ଦୁର୍ଘଟଣାକୁ ଆକସ୍ମିକ କହି ଏଡ଼ାଇ ଦେଉ। କିନ୍ତୁ ପଳାଶୁଣୀରେ ଘଟିଥିବା ଦୁର୍ଘଟଣାକୁ ଆକସ୍ମିକ କୁହାଯାଇପାରିବ ନାହିଁ। ଏହା ଏକ ବେପରୁଆ ଗାଡ଼ି ଚାଳନାର ପରିମାଣ। ଏହା ଏକ ଦୁର୍ଘଟଣା ନୁହେଁ, ସ୍ପଷ୍ଟ ଦିବାଲୋକରେ ହତ୍ୟା। ତେଣୁ ଏହି ଘଟଣାକୁ ସେହିଭଳି ବିଚାରକରି ଦୋଷୀକୁ କଠୋର ଦଣ୍ଡ ଦିଆଯିବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ)

Tags: #RoadAccident #BhubaneswarPalasuni #Cuttack #Rajgangpur #HighwaTruck #LocalTruck

Comment