ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବୁଧବାର ଓ ଗୁରୁବାର ଦୁଇ ଦିନିଆ କୋଇଡ଼ା ଏବଂ ଲହୁଣୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହିତ ପ୍ରଥମ ଦିନ ସେ କୋଇଡ଼ା ଗସ୍ତରେ ଯାଇଥିବା ବେଳେ ଦ୍ୱିତୀୟ ଦିନ ଲହୁଣୀପଡ଼ା ବ୍ଲକରେ କେତେକ ନୂତନ କାର୍ଯ୍ୟକ୍ରମର ଉଦଘାଟନ ସହିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଲହୁଣୀପଡ଼ା ବ୍ଲକର ପ୍ରତାପପୁରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବଣାଇଁ ବିଧାୟକ ୧୬ଟି ନୂଆ ରାସ୍ତାର ଉଦଘାଟନ କରିଥିଲେ। ସେଥିମଧ୍ୟରେ ଲହୁଣୀପଡ଼ା ବ୍ଲକରେ ୧୨ଟି ରାସ୍ତା ରହିଥିବାବେଳେ କୋଇଡ଼ା ବ୍ଲକରେ ୪ଟି ରହିଛି।

ଏହାପରେ ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଖୁଣ୍ଟଗାଁ ଅଭିମୁଖେ ଯାଇ ସେଠାରେ ଚାଲିଥିବା ଟସର ସିଲକ ପାର୍କ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟସର ସିଲକ ପାର୍କ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାରେ ଟସର ଉତ୍ପାଦନ ବୃଦ୍ଧି ପାଇବା ସହିତ ଏଥରୁ ବିଭିନ୍ନ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରାଯିବ।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଜିଲ୍ଲାପାଳ ଖୁଣ୍ଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ଲହୁଣୀପଡ଼ା ବ୍ଲକର ପାଉଡି ଭୂୟାଁ ଅଞ୍ଚଳରେ ବାଲ୍ୟ ବିବାହ ପ୍ରଥାକୁ ଭାଙ୍ଗି ନିର୍ଦ୍ଧାରିତ ବୟସରେ ବିବାହ କରିଥିବା ପାଉଡ଼ି ଭୂୟାଁ ସଂପ୍ରଦାୟର ଅଷ୍ଟମୀ ଦେହୁରୀ, ପୁନି ଦେହୁରୀ, ବୀଣା ପ୍ରଧାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତେଣୁ ଖୁଣ୍ଟଗାଁସ୍ଥିତ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଜିଲ୍ଲାପାଳ ଏହି ମହିଳାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି।

ସେହିପରି ପାଉଡ଼ି ଭୂୟାଁ ଅଞ୍ଚଳରେ କୋଭିଡ୍ ଟିକା ପ୍ରଦାନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଦୁଇ ଜଣ କମ୍ୟୁନିଟି ରିସୋର୍ସ ପ୍ରୋଭାଇଡରଙ୍କୁ ଭାକ୍ସିନ ବାକ୍ସ ଏବଂ ୨ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ରେକର୍ଡ ବହି ପ୍ରଦାନ କରିଥିଲେ ଜିଲ୍ଲାପାଳ। ଏହା ସହ ଘରେ ବିଭିନ୍ନ ଶସ୍ୟ ସଂରକ୍ଷିତ କରି ରଖିବା ଲାଗି ଜିଲ୍ଲାପାଳ କେତେକ ଚାଷୀଙ୍କୁ ବାଉଁଶରେ ପ୍ରସ୍ତୁତ ସାମଗ୍ରୀ ପ୍ରଦାନ କରିଥିଲେ।

ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପଡ଼ିଆ ଜମିରେ ୱାଡି ପ୍ରକଳ୍ପ କରାଯାଉଛି। ତେଣୁ ଏହି ପ୍ରକଳ୍ପ ପାଉଡି ଭୂୟାଁ ଅଞ୍ଚଳର ଅଧିକ ଗାଁରେ କିପରି କାର୍ଯ୍ୟକାରୀ କରାଯିବ ତା’ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ହଳଦୀକୁଦରର ୭୦ ଏକର ଓ ଉପରଗିନିଆର ୨୦ ଏକର ଜମିରେ ହେବାକୁ ଥିବା ୱାଡି ପ୍ରକଳ୍ପ ଲାଗି ସଂପୃକ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ସେହିପରି ତଳଗିନିଆଠାରେ ବିଜୁ କୃଷକ ବିକାଶ ଯୋଜନା ଅଧୀନରେ କେତେକ ଚାଷୀ ଡିପ୍ ବୋରୱେଲ କରି ଚାଷ ଜମିକୁ ଜଳସେଚନ କରୁଛନ୍ତି। ଜିଲ୍ଲାପାଳ ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ।

ଚାଷୀମାନଙ୍କ ସୁବିଧା ପାଇଁ ଉଦ୍ୟାନ କୃଷି ବିଭାଗର ସହାୟତାରେ କୁଲିପୋଷଠାରେ ୧୦ ମେଟ୍ରିକ ଟନ୍ ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ କରାଯାଉଛି। ଜିଲ୍ଲାପାଳ ଏହି ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କେନ୍ଦୁଡିହିଠାରେ ୩୨ ଏକର ଜାଗାରେ ଥିବା ମେଗା ନର୍ସରୀର ନିର୍ମାଣାଧୀନ ପାଚେରୀ କାର୍ଯ୍ୟ ବୁଲି ଦେଖିଥିଲେ।

ଶେଷରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବଣାଇଁ ବନ ବିଭାଗ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ବଣ୍ଟନ କରିଥିଲେ। ବିଭିନ୍ନ କାରଣରୁ ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ୍ତ କରିବାରେ ଏହି ଯନ୍ତ୍ର ବିଶେଷ ସହାୟକ ହେବ। ବଣାଇଁ ଡିଏଫଓ ସନତ୍ କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ ଏହି ଗସ୍ତରେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #DevelopmentalProject #Reviews #Sundargarsh #Lahunipara

Comment