ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶୋକାଷ୍ଟମୀ ଅବସରରେ ପରମ୍ପରା ଓ ନୀତିକାନ୍ତିର ସହ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ରୁକୁଣା ରଥ ଗଡ଼ିନଥିଲା। ରାଜ୍ୟରେ କୋଭିଡ ସ୍ଥିତି ସୁଧୁରିବା ପରେ ଶନିବାର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଅତି ଆନନ୍ଦର ସହ ରଥ ଟାଣିଛନ୍ତି।

ରଥରେ ବିଜେ ହୋଇଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମଣୀ। ଶ୍ରଦ୍ଧାଳୁମାନେ ରଥକୁ ଟାଣି ଟାଣି ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ନେବେ। ଆଜି ଦିନ ୩ଟାରେ ରଥଟଣା ପାଇଁ ସମୟ ସ୍ଥିର ହୋଇଥିଲା। କୌଣସି କାରଣରୁ ୧ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥ ଟଣା ସମୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ ଏବଂ ୯୦ ଜଣ ପୋଲିସ୍ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଏହି ରୁକୁଣା ରଥଯାତ୍ରା ୫ ଦିନ ଧରି ଚାଲିବ। ଆସନ୍ତା ଏପ୍ରିଲ ୧୩ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ରୁକୁଣା ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିବାର ସୁଯୋଗ ପାଇଛନ୍ତି ଭକ୍ତ। କୋଭିଡ କଟକଣା ଯୋଗୁଁ ୨୦୨୦ ମସିହାରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ। ପର ବର୍ଷ ଅର୍ଥାତ ୨୦୨୧ ମସିହାରେ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

Tags: #LingarajTemple #RukunaRatha #CarFestival #Ashokastami

Comment