ସଂଗୀତା ମାନସିଂହ

ସାମ୍ବାଦିକରୁ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରକୁ ବିଶ୍ଵର ଏକ ନମ୍ବର ସହରରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ବୋଲି ଓଡ଼ିଶାଲାଇଭ୍‌କୁ ସ୍ଵତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁଲୋଚନା ଦାସ।

ଦିନେ ସାମ୍ବାଦିକତାରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏବେ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ରାଜନୀତି ସହ ସମ୍ପର୍କ ତାଙ୍କର ନୂଆ ନୁହେଁ। କଲେଜ ପାଠପଢ଼ା ସମୟରୁ ରାଜନୀତି ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ପରିବାର ଏବଂ ଉଚ୍ଚଶିକ୍ଷା ଯୋଗୁଁ ରାଜନୀତିକୁ ଓହ୍ଲାଇ ପାରିନଥିଲେ ସୁଲୋଚନା ଦାସ।

ଭୁବନେଶ୍ଵର ମହାନଗର ନିଗମର ନିର୍ବାଚନ ସରିଲା। ଆପଣ ବର୍ତ୍ତମାନ ରାଜଧାନୀର ପ୍ରଥମ ମହିଳା ମେୟର କେମିତି ଥିଲା ନିର୍ବାଚନ ଲଢ଼େଇ?

ନିର୍ବାଚନକୁ ମୁଁ କେବେ ଲଢ଼େଇ ବୋଲି ଭାବିନି। ବିଜୁ ଜନତା ଦଳ ଲଢ଼େଇରେ ନୁହେଁ ବରଂ ଶାନ୍ତି ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ଵାସ ରଖେ। ଭୁବନେଶ୍ଵର ସହରବାସୀଙ୍କ ପାଖକୁ ଆମେ ଦଳର ପ୍ରତିଶ୍ରୁତି ନେଇକି ଯାଇଥିଲୁ। ସହରବାସୀଙ୍କ ଆଶୀର୍ବାଦ ମିଳିଛି। ମେୟର ନିର୍ବାଚନରେ ବିଜୟ କେବଳ ମୋର ନୁହେଁ ବିଜେଡି ସରକାର ଏବଂ ରାଜଧାନୀବାସୀଙ୍କର।

ଭୁବନେଶ୍ଵର ରାଜ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ମହାନଗର ନିଗମ। ଜଣେ ମେୟର ହିସାବରେ ସହରକୁ ଆଗକୁ ନେବା ପାଇଁ ଆପଣଙ୍କ ଭିଜନ କ’ଣ ରହିଛି?

ଓଡ଼ିଶାକୁ ଏବଂ ଭୁବନେଶ୍ଵରକୁ ବିଶ୍ଵସ୍ତରରେ ଏକ ନମ୍ବର ସହରରେ ପରିଣତ କରିବାକୁ ମୁଖ୍ୟନ୍ତ୍ରୀଙ୍କର ଭିଜନ ରହିଛି। ସେହି ଭିଜନ ପୂରା କରିବାକୁ ଆମେମାନେ ଆସିଛୁ। ଭୁବନେଶ୍ଵର ବିଭିନ୍ନ ପ୍ରାନ୍ତ ଏବଂ ବିଭିନ୍ନ ବର୍ଗକୁ ପ୍ରତିନିଧିତ୍ଵ କରେ। ଏଠାରେ ରହିଥିବା ବିଭିନ୍ନ ବର୍ଗର ଲୋକଙ୍କର ବିକାଶ ଏବଂ ରାଜଧାନୀର ସବୁସ୍ତରରେ ଉନ୍ନତି କରିବା ଆମର ଭିଜନ ରହିଛି।

ଭୁବନେଶ୍ଵର ମେୟର ଏବଂ କର୍ପୋରେଟର ଲୋକଙ୍କୁ ସେବା ଯୋଗାଇବା ପାଇଁ ସବୁବେଳେ ପ୍ରସ୍ତୁତ ରହିବେ। ଲୋକଙ୍କ ଦୁଆର ମୁହଁରେ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ ରହିଛି। ଭୁବନେଶ୍ଵର ସାଢ଼େ ୧୧ ଲକ୍ଷ ଲୋକ ହେଉଛନ୍ତି ଆମ ପରିବାର। ଆମ ପରିବାରର ପ୍ରତି ସଦସ୍ୟଙ୍କର ଦାୟିତ୍ଵ ଆମର।

ଭୁବନେଶ୍ଵରକୁ ଏକ ନମ୍ବର ସହର କରିବା କଥା କହୁଛନ୍ତି। କିନ୍ତୁ ସ୍ମାର୍ଟ ସିଟିରେ ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରୁନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମିବା ସହ ଡ୍ରେନ ପାଣି ଘର ଭିତରେ ପଶୁଛି। ଏ ସମସ୍ୟାର ସମାଧାନ କେବେ ହେବ?

ଭୁବନେଶ୍ଵରର ଡ୍ରେନେଜ ଅସୁବିଧା ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଅବଗତ। ମାତ୍ର ଅଳ୍ପ ଲୋକଙ୍କ ପାଇଁ ପ୍ଲାନିଂ କରାଯାଇ ଏ ସହର ଗଠନ ହୋଇଥିଲା। ବର୍ତ୍ତମାନ ଭୁବନେଶ୍ଵରର ଲୋକ ସଂଖ୍ୟା ସାଢ଼େ ୧୧ ଲକ୍ଷରୁ ଅଧିକ। ବିନା ପ୍ଲାନିଂରେ ଘର ହୋଇଛି ଏବଂ ସହର ମଧ୍ୟ ବଢ଼ିଛି। ତେଣୁ ଡ୍ରେନେଜ ସମସ୍ୟା ଉପୁଜୁଛି। ଡ୍ରେନେଜ ସମସ୍ୟାର ସମାଧାନ ପାଇଁ କାମ ଚାଲିଛି।

ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସମସ୍ୟା ସୃଷ୍ଟି ହେଉଥିବା ସହରର ପ୍ରାୟ ୭୫ଟି ସ୍ଥାନ ଚିହ୍ନଟ କରାଯାଇଛି। ବର୍ତ୍ତମାନ ପ୍ରାୟ ୪୦ଟି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବାକି ସ୍ଥାନଗୁଡ଼ିକରେ ଖୁବଶୀଘ୍ର କାମ ଆରମ୍ଭ କରାଯିବ। ବର୍ଷା ଦିନ ପୂର୍ବରୁ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରୁଛୁ।

ଆପଣଙ୍କ କ୍ୟାରିଅର ସାମ୍ବାଦିକତାରୁ। ତେବେ ରାଜନୀତିକୁ ଆସିବାକୁ କାହିଁକି ଭାବିଲେ?

ଛାତ୍ର ଜୀବନରୁ ମୋର ରାଜନୀତି ପ୍ରତି ଆଗ୍ରହ ରହିଥିଲା। ରାଜନୀତି କରିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳିନଥିଲା। ପାଠପଢ଼ା ପରେ ବିବାହ ହୋଇଯାଇଥିଲା। ତା’ପରେ ପରିବାର ଏବଂ ଛୁଆର ଦାୟିତ୍ଵ। ଛୁଆ ବଡ଼ ହେବା ପରେ ଭାବିଲି ଏବେ ରାଜନୀତିରେ ମୁଁ ମୋର ସମୟ ଦେଇପାରିବି। ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲି।

କଂଗ୍ରେସରୁ ଯେତେବେଳେ ବିଜେଡିରେ ଯୋଗ ଦେଲେ ସେ ସମୟରେ କଂଗ୍ରେସର କିଛି ତୁଙ୍ଗ ନେତା ଆପଣଙ୍କୁ ସମାଲୋଚନା କରିଥିଲେ। ସେମାନଙ୍କୁ କିଛି କହିବେ?

ନାଁ କାହା ପ୍ରତି ମୋର କୌଣସି ଅଭିଯୋଗ ନାହିଁ। କଂଗ୍ରେସରେ ଥିବା ସମୟରେ ମୁଁ ବଡ଼ ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ରାଜନୀତି ବିଷୟରେ ବହୁତ କିଛି ଶିଖିବାକୁ ପାଇଛି।

ଆପଣ କଂଗ୍ରେସରେ ଥିଲା ବେଳେ ବିଜେଡି ସରକାରଙ୍କୁ ସମାଲୋଚନା କରୁଥିଲେ। ଏବେ ବିଜେଡିରେ। କ’ଣ କହିବେ?

ମୁଁ ଯୋଉଠି ଅନ୍ୟାୟ ଦେଖେ ବିରୋଧ କରେ। ଆଜି ଦଳରେ ଥାଇ ମଧ୍ୟ ଯଦି ମୋ ପରିବାର ଭୁଲ କରେ ତେବେ ବି ମୁଁ ମୋ ପାରିବାରକୁ ସମାଲୋଚନା କରିବି। ଯେଉଁଠି ଥିଲେ ବି ମୁଁ ଅନ୍ୟାୟକୁ ଅନ୍ୟାୟ କହିବାକୁ ପଛେଇବି ନାହିଁ।

ଜଣେ ମହିଳା ମେୟର ହିସାବରେ ଆପଣ ଭୁବନେଶ୍ଵରର ମହିଳାମାନଙ୍କ ପାଇଁ କିଛି ଅଲଗା ଚିନ୍ତା କରିଛନ୍ତି?

ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଆଗକୁ ଆଣିବାକୁ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଆଗକୁ ମଧ୍ୟ ମହିଳାମାନଙ୍କୁ ଶସକ୍ତ କରିବାକୁ ଆମର ଯୋଜନା ରହିଛି।

ଆପଣ ଆଗରୁ ସାମ୍ବାଦିକ ଥିଲେ, ସରକାରଙ୍କୁ ପ୍ରଶ୍ନ ପଚାରୁଥିଲେ। ଏବେ ସରକାରୀ ଦଳର ଚୌକିରେ। ସେଦିନ ଆଉ ଆଜି ଭିତରେ କ’ଣ ଫରକ ଅନୁଭବ କରୁଛନ୍ତି?

ସାମ୍ବାଦିକତାର ଅନୁଭୂତି ମୋତେ ରାଜନୀତି କ୍ଷେତ୍ରରେ ବହୁତ ସହାର୍ଯ୍ୟ କରିଛି। ଜଣେ ସାମ୍ବାଦିକ ଯେଉଁ କ୍ଷେତ୍ରରେ କାମ କଲେ ମଧ୍ୟ ତା’ ହୃଦୟରୁ ସାମ୍ବାଦିକତା କେବେ ବାହାରି ପାରିବ ନାହିଁ। କେବଳ ସହରର ସମସ୍ୟା ନୁହେଁ, ଲୋକଙ୍କ ସୁବିଧା ଅସୁବିଧା ପରଖି ସେଗୁଡ଼ିକର ସମାଧାନ କରିବାକୁ ସାମ୍ବାଦିକତା ମୋତେ ଆଗକୁ ସହାୟକ ହେବ।

ରାଜନୀତି ବିଷୟରେ ବହୁତ କଥା ହେଲେ। ଟିକେ ଫେରିଯିବା ଆପଣଙ୍କ ପିଲାଦିନକୁ। କେମିତି ଥିଲା ପିଲାଦିନ?

ମୋର ଜନ୍ମ ଗାଁରେ, ମୁଁ ଗାଁରେ ବଢ଼ିଛି। ଯାଜପୁର ଜିଲ୍ଲା ବିଞ୍ଜାରପୁର ବ୍ଲକର ନଛିପୁରରେ ମୋର ପୈତୃକ ଘର। ଖୁବ ସାଧାରଣ ପରିବାରରୁ ମୁଁ ଆସିଛି। ଗାଁରେ ହିଁ ମୋ ପାଠ ପଢ଼ା। ତା’ ପରେ ବାହାଘର।

ଆମେ ଶୁଣିବାକୁ ପାଉଛୁ ଆପଣ ଲଭ୍ ମ୍ୟାରେଜ କରିଥିଲେ। ଏହା କ’ଣ ସତ?

ମୋର ଲଭ୍ ମ୍ୟାରେଜ ବୋଲି କେବେ କହିବିନି। କିନ୍ତୁ ହଁ, ମୁଁ ରେଭେନ୍ସାରେ ପାଠ ପଢ଼ିବା ସମୟରେ ପ୍ରଫୁଲ ବାବୁ ମୋତେ ପ୍ରପୋଜ କରିଥିଲେ। କିନ୍ତୁ ମୁଁ ମନା କରିଦେଥିଲି। କିଛି ବର୍ଷ ପରେ ମୋ ପାଇଁ ଗୋଟିଏ ବିବାହ ପ୍ରସ୍ତାବ ଆସିଥିଲା। ଯେଉଁ ପୁଅ ପାଇଁ ପ୍ରସ୍ତାବ ଆସିଥଲା, ପରେ ଜାଣିବାକୁ ପାଇଲି ସେ ପ୍ରଫୁଲ ବାବୁ ବୋଲି। ଆଗରୁ ଯେହେତୁ ତାଙ୍କୁ ମୁଁ ଜାଣିଥିଲି ବିବାହ ପାଇଁ ହଁ କରିଥିଲି। ତା’ ପରେ ଆମର ବିବାହ ହୋଇଥିଲା। ପ୍ରଫୁଲ ବାବୁ ମଧ୍ୟ ଜଣେ ସାମ୍ବାଦିକ।

ଆପଣଙ୍କ ସ୍ଵାମୀ ଜଣେ ବରିଷ୍ଠ ସାମ୍ବାଦିକ। ବିଭିନ୍ନ ସମୟରେ ସେ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। କିନ୍ତୁ ବିଭିନ୍ନ ମିଡିଆରେ ଆପଣ କହିଛନ୍ତି ଯେ, ପେସାଦାର ଜୀବନରେ ଆପଣ ଏବଂ ଆପଣଙ୍କ ସ୍ଵାମୀ କେହି କାହା କଥାରେ ମୁଣ୍ଡ ପୂରାନ୍ତିନି। ଏହା ଉପରେ କ’ଣ କହିବେ?

ଠିକ୍ ଶୁଣିଛନ୍ତି। ମୋ ସ୍ଵାମୀ ଜଣେ ସାମ୍ବାଦିକ। କିନ୍ତୁ ମୋ ରାଜନୈତିକ କ୍ୟାରିଅରକୁ ନେଇ କେବେ ମୁଣ୍ଡ ଖେଳାନ୍ତି ନାହିଁ। ଆଗରୁ ସାମ୍ବାଦିକ ଥିଲି ସହଯୋଗ ମିଳୁଥିଲା, ଏବେ ରାଜନୀତିରେ ଅଛି ସହଯୋଗ କରୁଛନ୍ତି। ତାଙ୍କ ସହଯୋଗ ନଥିଲେ ଏତେ ବାଟ ଆସିବା ସମ୍ଭବ ହୋଇନଥାନ୍ତା।

ରାଜଧାନୀକୁ ଗଢ଼ିବାରେ ବସ୍ତିବାସିନ୍ଦାଙ୍କର ଅନେକ ଯୋଗଦାନ ରହିଛି। ସେମାନଙ୍କର ଜୀବନ ଜୀବିକା, ବାସସ୍ଥାନ ସବୁବେଳେ ବିପନ୍ନ ହୋଇ ରହିଆସିଛି। ସେମାନଙ୍କର ଦୀର୍ଘ ସ୍ଥାୟୀ ବିକାଶ ପାଇଁ ଆପଣ କିଛି ଭାବିଛନ୍ତି?

ଭୁବନେଶ୍ଵରରେ ପ୍ରାୟ ୪୦୦ରୁ ଅଧିକ ବସ୍ତି ରହିଛି। ବସ୍ତିରେ ରହୁଥିବା ମଣିଷ ବି ଏ ଦେଶର ନାଗରିକ। ବସ୍ତି ବାସିନ୍ଦାଙ୍କ ସବୁଧା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି।

ସବୁ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବସ୍ତି ଆଉ ବସ୍ତି ହୋଇ ରହିବ ନାହିଁ। ଏହି ଆଦର୍ଶ କନୋନୀରେ ସମସ୍ତ ମୌଳିକ ସୁବିଧା ରହୁଛି। ଅନେକ ବସ୍ତି ଏବେ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇସାରିଛି। ବାକି ଯେଉଁ ଗୁଡ଼ିକ ରହିଛି ସେସବୁକୁ ଏହି ଯୋଜାନରେ ସାମିଲ କରିବାକୁ କାମ ଚାଲିଛି।

ଭୁବନେଶ୍ଵରବାସୀ – ଯାହାଙ୍କ ପାଇଁ ଆପଣ ଆଜି ମେୟର ସେମାନଙ୍କୁ ଶେଷରେ କ’ଣ କହିବାକୁ ଚାହିଁବେ?

ଭୁବନେଶ୍ଵର ବାସିନ୍ଦାଙ୍କ ସହଯୋଗ ପାଇଁ ମୁଁ ଆଜି ମେୟର ହୋଇପାରିଛି। ସେମାନଙ୍କ ଭଲ ପାଇବା ମିଳିଛି, ଆଶୀର୍ବାଦ ମିଳିଛି। ଭୁବନେଶ୍ଵରକୁ ବିଶ୍ଵସ୍ତରୀୟ କରିବାକୁ ସମସ୍ତଙ୍କର ସହଯୋଗ ଦରକାର। କେବଳ ଜଣେ ମେୟର କିମ୍ବା କର୍ପୋରେଟର ଚାହିଁଲେ ହେବନି ସହରବାସୀଙ୍କ ସହଯୋଗ ସୁବବେଳେ କାମନା କରିବୁ।

Tags: #BhubaneswarMunicipalCorporation #BMC #BMCMayor #SulochanDas #Politics #Journalist

Comment