ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୧୩ ତାରିଖ ରାଜଧାନୀ ଭୁବନେଶ୍ଵରର ୭୪ ତମ ପ୍ରତିଷ୍ଠା ଦିବସ। ତିନିଦିନ ଧରି ପ୍ରତିଷ୍ଠା ଉତ୍ସବ ପାନଳ କରାଯିବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ଭୁବନେଶ୍ଵର ମହାନଗର ନିଗମ ମିଳିତ ଭାବେ ଏହି ଉତ୍ସବ ପାଳନ କରୁଛନ୍ତି।

୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ଵରକୁ ରାଜଧାନୀର ସ୍ଵୀକୃତି ମିଳିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ। ମାତ୍ର ୪୦ ହଜାର ଲୋକଙ୍କ ବସବାସ ପାଇଁ ପ୍ଲାନିଂ ହୋଇ ଭୁବନେଶ୍ଵର ଗଠନ କରାଯାଇଥିଲା। କିନ୍ତୁ ଏଠାରେ ଏବେ ଲୋକ ସଂଖ୍ୟା ସାଢ଼େ ୧୧ ଲକ୍ଷ ଅତିକ୍ରମ କରିଛି। ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ବର୍ଗର ଲୋକ ଭୁବନେଶ୍ଵରରେ ବସବାସ କରୁଛନ୍ତି। ଇତି ମଧ୍ୟରେ ଦେଶରେ ଭୁବନେଶ୍ଵର ସ୍ମାର୍ଟ ସିଟିର ମାନ୍ୟତା ମଧ୍ୟ ପାଇଛି।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରାଜଧାନୀର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି। ସଂସ୍କୃତି, ଶିକ୍ଷା ଏବଂ ସ୍ଵାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ଵରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି। ଭୁବନେଶ୍ଵରକୁ ବିକାଶର ଶିଖରରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅସନ୍ତୁଷ୍ଟ ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଅନ୍ୟପଟେ ରାଜଧାନୀର ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ଵିଟ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି ସାଂସଦ ଅପରାଜିତା। ସେ କହିଛନ୍ତି, “ଆଜି ହେଉଛି ଏପ୍ରିଲ ୧୩ ତାରିଖ, ରାଜଧାନୀର ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯାଉଛି। ରାଜ୍ୟ ସରକାର ଉତ୍ସବର ଆୟୋଜନ କରିଛନ୍ତି। ଉତ୍ସବରେ ଯୋଗ ଦେବାକୁ ମୋତେ ବାଦ ଦେଇ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ମୋତେ ଏହି ଉତ୍ସବରେ ସାମିଲ ହେବାରୁ ବଞ୍ଚିତ କରାଯାଇଛି”।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସେ ଏହି ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ। ତାଙ୍କର ଭୁଲ କ’ଣ? ଯେଉଁଥି ପାଇଁ ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ ବୋଲି ପ୍ରଶ୍ନ କହିଛନ୍ତି ସାଂସଦ ଅପରାଜିତା।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ନିୟମ କରିଛି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ କିମ୍ବା ବାଚସ୍ପତିଙ୍କୁ ନିମନ୍ତ୍ରଣ କରିବାକୁ। ରାଜ୍ୟପାଳ ଅନ୍ୟ ରାଜ୍ୟ ଗସ୍ତରେ ଥିବାରୁ ଉତ୍ସବରେ ସାମିଲ ହେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି।

Tags: #BhubaneswarFoundationDay #Celebration #CMNaveenPatnaik #MPAparajitaSarangi

Comment