ଓଡ଼ିଶାଲାଇଭ୍ ବ୍ୟୁରୋ

ଦଣ୍ଡପର୍ବ ପାଇଁ ଉତ୍ସବମୁଖର ହୋଇଛି ନୟାଗଡ଼ ଜିଲ୍ଲାର ପୁରପଲ୍ଲୀ। ଗାଁଠାରୁ ସହର ପର୍ଯ୍ୟନ୍ତ ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କ ମହିମା ଗାନ କରୁଛନ୍ତି ଦଣ୍ଡ ଉପାସକ। ଚୈତ୍ର ମାସରେ ନୟାଗଡ଼ ଜିଲ୍ଲାରେ ଶ୍ରୀରାମ ନବମୀ ଓ ଦଣ୍ଡପର୍ବ ପୁରପଲ୍ଲୀରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଛି।

ଦଣ୍ଡପର୍ବ ପାରମ୍ପରିକ ରୀତିନୀତି ସହ ଜିଲ୍ଲାରେ ପାଳନ କରାଯାଉଛି। ଦଣ୍ଡ ଉପାସକମାନେ ନିର୍ଜଳା ଉପବାସ କରି ପର୍ବ ପାଳନ କରୁଛନ୍ତି। ଉପାସକ ସନ୍ଧ୍ୟାରେ ଶଙ୍କର ଓ ଭବାନୀଙ୍କ ଦଣ୍ଡଛତ୍ର ଧାରଣ କରି ନଗର ଭ୍ରମଣ କରିବା ସହିତ ଜନକଲ୍ୟାଣ ଲାଗି ଝୁଣା ଧୂପ ଆହୁତି ଦେଉଛନ୍ତି।

ନୟାଗଡ଼ ସହର ଉପକଣ୍ଠ ସିନ୍ଦୁରିଆ ଦେଉଳପଲ୍ଲୀ, ଦୁର୍ଗାପ୍ରସାଦ ଓ ଇଟାମାଟି ଆଦି ଦଣ୍ଡ କୋଠିର ଉପାସକମାନେ ମହାଦେବଙ୍କ ମହିମା ଗାନ କରି ନୃତ୍ୟ ସଂଗୀତ ପରିବେଷଣ କରି ଲୋକଙ୍କୁ ଆକୃଷ୍ଟ କରୁଛନ୍ତି। ଆସନ୍ତା ଗୁରୁବାର ପଣା ସଂକ୍ରାନ୍ତି ଦିନ ଦଣ୍ଡୁଆମାନେ ଦଣ୍ଡ ବ୍ରତ ଓ ଉପବାସ ସମାପ୍ତ କରିବେ। ଶେଷ ଦିନରେ ସବୁଠି ସ୍ୱତନ୍ତ୍ର ଆୟୋଜନ କରାଯାଇଥିବା ଦଣ୍ଡ ଉପାସକ ତଥା ନୟାଗଡ଼ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

ସିନ୍ଦୁରିଆ ଗ୍ରାମର ଶ୍ରୀଲୋକନାଥ ମହାଦେବଙ୍କ ଦଣ୍ଡ ଉପାସକ ଓ ଦୁର୍ଗାପ୍ରସାଦ ଗାଁର କାମନା ଦଣ୍ଡ କୋଠି ଭକ୍ତମାନେ ବୁଧବାର ମେରୁ ଅବସରରେ ବିଶାଳ ଶୋଭାଯାତ୍ରାରେ ନୟାଗଡ଼ ସହର ପରିକ୍ରମା କରିଛନ୍ତି।

Tags: #NayagarhDist #DandaFestival #Celebration

Comment