ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ବିଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିଞ୍ଚିଙ୍କ ଜନ୍ମଦିନ ଏପ୍ରିଲ ୧୫ ତାରିଖରେ ବିଶ୍ୱକଳା ଦିବସ ପାଳନ କରାଯାଉଛି। ଏଥିପାଇଁ ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଛି ଏକ ‘ବୃହତ୍ତ ଚିତ୍ରକଳା’ ଶିବିର। ଚିତ୍ରଶିଳ୍ପୀମାନେ ୧୬ ଫୁଟରେ ୬ଫୁଟର କାନଭାସରେ ମିଳିତ ଭାବେ ଅଙ୍କନ କରିଛନ୍ତି ଏକ ବୃହତ୍ତ ଚିତ୍ରକଳା।

ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ କଳା ଜରିଆରେ ଶିଳ୍ପୀଙ୍କୁ ସମ୍ମାନ ଦେବାର ଏହି ନିଆରା ପ୍ରୟାସକୁ ପ୍ରଶଂସା କରିଥିଲେ। ଉତ୍ତମ କଳାକୃତି ଜରିଆରେ ଉଭୟ କଳା ଓ କଳାକାର ଅମର ହୋଇ ରହିଥାନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ। ସମ୍ମାନୀତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଚକ୍ରଧର ବେହେରା, ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, କାର୍ଯ୍ୟକାରୀ ସମିତିର ସଦସ୍ୟା କମଳିନୀ ରଥ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିଜୟ କୁମାର ପରିଡ଼ା ଲିଓନାର୍ଡୋ ଡା ଭିଞ୍ଚିଙ୍କ ପରି ଆଜିର ଯୁବଶିଳ୍ପୀମାନେ ନିଜକୁ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଅତିଥି ଓ ଶିଳ୍ପୀମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକାରୀ ସଭାପତି ଓ ହୃଷିକେଶ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ଦିବସ ପାଳନ ଅବସରରେ ଭୁବନେଶ୍ୱରରୁ ଶିଳ୍ପୀ ରବୀନ୍ଦ୍ର ମହାରଣା, ସୁଶାନ୍ତ କୁମାର ସିଂସାମନ୍ତ, ଜନାର୍ଦନ ପରମଗୁରୁ, ଅବନ୍ତୀ ମହାରଣା, ରାଜକିଶୋର ମହାରଣା, ରାଉରକେଲାରୁ ଦେବେନ୍ଦ୍ର ମହାରଣା, ପି. ଵି ଗଣେଶ ପ୍ରମୁଖ ଚିତ୍ରରେ ଲିଓନାର୍ଡଙ୍କ ପ୍ରତିକୃତିଠୁ ଆରମ୍ଭ କରି ଓଡ଼ିଶାର କଳା ଓ ଐତିହକୁ ସ୍ଥାନ ଦେବା ସହିତ ଶିଳ୍ପୀମାନେ ସମସାମୟିକ ବିଷୟ ବସ୍ତୁକୁ ଜୀବନ୍ତ ଭାବେ କାନଭାସରେ ଆଙ୍କିଛନ୍ତି।

ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ମିଶି ଚିତ୍ରକୁ ଶେଷ ସ୍ପର୍ଶ ଦେଇଥିଲେ।ଏହି ଅବସରରେ ଶିଳ୍ପୀମାନଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା।

Tags: #WorldArtDay #LeonardodaVinci #ArtFest2022

Comment