ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ସ୍ଥିତ କେଶରୀ ମଲରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ମଲରେ ଥିବା ୬ରୁ ୭ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ ଏହି ଅଗ୍ନିକାଣ୍ଡର ତଦନ୍ତ କରିବ ବୋଲି ସୂଚନା ମିଳିଛି।

କେଶରୀ ମଲରେ ଥିବା ଏକ ଲୁଗା ଦୋକାନରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମଲର କାଚ ଭାଙ୍ଗି ମଲ୍ ଭିତରେ ପଶି ନିଆଁକୁ ଆୟତ୍ତ କରାଯାଇଥିଲା। ହୁତୁ ହୁତୁ ହୋଇ ମଲ ଜଳିଯିବା ପରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି।

ମଲ ନିକଟରେ ପୋଲିସ ମୁତୟନ ହୋଇଛନ୍ତି। ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀ ଏବଂ କମିଶନରେଟ ପୋଲିସ୍ ଅଧିକାରୀ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ମେୟର ସୁଲୋଚନା ଦାସ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ତଦନ୍ତ ହେବ ବୋଲି କହିଛନ୍ତି।

Tags: #KeshariMal #FireAccident #Bhubaneswar #MarketBuilding

Comment