ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି କେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶମୂଳକ କାମ ବୁଲି ଦେଖିଛନ୍ତି। ପାଣ୍ଡିଆନ ଗୋପବନ୍ଧୁଙ୍କ ଘରକୁ ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଥିଲେ। ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମର ନିର୍ମାଣ କାର୍ଯ୍ୟକୁ ୫ଟି ସଚିବ ବୁଲି ଦେଖିବା ସହ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଂ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଭି କେ ପାଣ୍ଡିଆନ ବୁଲି ଦେଖିଥିଲେ। ଏହା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶମୂଳକ କାମର ଅନୁଧ୍ୟାନ କରିଥିଲେ। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ୧୫ ଫୁଟ ଉଚ୍ଚତାର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।

ପ୍ରାୟ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ ୫ଟି ସଚିବ। ଦୀର୍ଘ ୫୦ ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଥିବାରୁ ଗ୍ରାମବାସୀ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି। ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #Puri #Suando #UtkalamaniGopabandhuDas #5TSecretary #VKPandian

Comment