ଓଡ଼ିଶାଲାଇଭ୍ ବ୍ୟୁରୋ

‘ଦି ତାଜ’ ଟାଟା ଗ୍ରୁପର ‘ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲିମିଟେଡ’ର ଏକ ବ୍ରାଣ୍ଡ। ନିକଟରେ ହୋଟେଲ ‘ଦି ତାଜ’କୁ ବିଶ୍ଵର ସବୁଠାରୁ ଶକ୍ତିଶାଳି ହୋଟେଲ ବ୍ରାଣ୍ଡ ଭାବେ ଚୟନ କରାଯାଇଛି। ହେଲେ ଏହି ହୋଟେଲ ନିର୍ମାଣ ହେବା ପଛରେ ରହିଛି ଏକ ରୋଚକ କାହାଣୀ। ଯାହା ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଏହି ହୋଟେଲ ନିର୍ମାଣ କରି ଟାଟା ଗ୍ରୁପର ସଂସ୍ଥାପକ ଜାମସେଦଜୀ ଟାଟା ଇଂରେଜମାନଙ୍କଠାରୁ ନିଜ ଅପମାନର ପ୍ରତିଶୋଧ ନେଇଥିଲେ। ଆସନ୍ତୁ ଜାଣିବା ହୋଟେଲ ‘ଦି ତାଜ’ ନିର୍ମାଣ ପଛର କ’ଣ ରହିଛି କାହାଣୀ

ଏକ ପ୍ରତିଶୋଧର ପୃଷ୍ଠଭୂମିରେ ଭାରତର ଐତିହାସିକ, ରାଜକୀୟ ହୋଟେଲ ‘ଦି ତାଜମହଲ’ ବା ‘ଦି ତାଜ୍’ର ପରିକଳ୍ପନା କରାଯାଇଥିଲା। ଜାମସେଦଜି ଟାଟା ଏକ ଅପମାନର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଏହି ହୋଟେଲ ଗଢ଼ିବା ପାଇଁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଏହି ସ୍ୱପ୍ନ ସତ ହେବାର ୧୨୦ ବର୍ଷ ପୂର୍ଣ୍ଣ କରିବ। ୨୦୦୮ର  ଆତଙ୍କବାଦୀ ଆକ୍ରମଣ ସହିଛି ଏହି ହୋଟେଲ। କିନ୍ତୁ ଆଜି ବି ସେମିତି ଅଟଳ ହୋଇ ଛିଡ଼ା ହୋଇଛି। ହଜାର ହଜାର ଲୋକଙ୍କ ରହଣୀ ପାଇଁ ଏହି ହୋଟେଲ ପ୍ରଥମ ପସନ୍ଦ ହେବା ସହ ଦର୍ଶନୀୟ ସ୍ଥାନ ପାଲଟିଯାଇଛି।

ବ୍ରିଟିସ ଶାସନ ସମୟରେ ଥରେ ଜାମସେଦଜୀ ଟାଟାଙ୍କୁ ବମ୍ବେର ତତ୍କାଳୀନ ପ୍ରସିଦ୍ଧ ହୋଟେଲ ଓ୍ୱାଟସନ’ସକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା। କାରଣ ସେ ହୋଟେଲ କେବଳ ଗୋରାମାନଙ୍କ ପ୍ରବେଶ ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଅପାମାନ ସାରା ଭାରତବାସୀଙ୍କ ପାଇଁ ଭାବି ଏହି ଭଳି ଏକ ହୋଟେଲ କରିବେ ବୋଲି କଳ୍ପନା କରିଥିଲେ ଜାମସେଦଜୀ ଟାଟା।

କେବଳ ଭାରତୀୟ ନୁହଁନ୍ତି ଜାମସେଦଜୀ ଟାଟାଙ୍କ କଳ୍ପନାର ହୋଟେଲରେ ସମଗ୍ର ବିଶ୍ୱର ଲୋକମାନେ ରହିପାରିବେ। ଏହି ହୋଟେଲରେ ପ୍ରବେଶ ପାଇଁ ଜାତି, ଧର୍ମ ଓ ବର୍ଣ୍ଣରେ କୌଣସି ଭେଦଭାବ ରହିବ ନାହିଁ। ସେଦିନର ସେହି ଅପମାନ ଏକ ସୁନ୍ଦର ସୌଧରେ ପରିଣତ ହେଲା। ୧୮୯୮ ମସିହାରେ ହୋଟେଲ ତାଜମହଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଜାମସେଦଜୀ ଟାଟା।

ଅଭୂତପୂର୍ବ ସ୍ଥାପତ୍ୟର ଏକ ଚମତ୍କାର ନିଦର୍ଶନ ହୋଟେଲ ତାଜମହଲ ଅତିଥିମାନଙ୍କ ପାଇଁ ପ୍ରଥମ ଥର ଖୋଲିଲା ୧୯୦୨ ମସିହା ଡିସେମ୍ବର ୧୯ ତାରିଖରେ। ହୋଟେଲରେ ଦୁଇଟି ବିଲ୍ଡିଂ ରହିଥିଲା। ଗୋଟିଏ ତାଜମହଲ ପ୍ୟାଲେସ୍ ଓ ଅନ୍ୟଟି ତାଜମହଲ ଟାଓ୍ୱାର। ଐତିହାସିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଉଭୟ ବିଲ୍ଡିଂ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତାଜମହଲ ପ୍ୟାଲେସ୍ ଖୋଲିବାର ପ୍ରାୟ ୭୦ ବର୍ଷ ପରେ ଟାଓ୍ୱାର ଖୋଲିଥିଲା।

ହୋଟେଲ ତାଜମହଲ ପ୍ୟାଲେସରେ ୫୬୦ ରୁମ୍ ଓ ୪୪ଟି ସ୍ୱିଟ୍ସ ରହିଛି। ଟାଟା ଗ୍ରୁପର ଏକ ଲୋକପ୍ରିୟ ବ୍ୟବସାୟ କେନ୍ଦ୍ର ଭାବେ ଏଠାରେ ୧୬୦୦ରୁ ଅଧିକ କର୍ମଚାରୀ କାମ କରନ୍ତି। ଏହି ହୋଟେଲର ସ୍ଥପତି ଥିଲେ ସୀତାରାମ ଖଣ୍ଡେରାଓ ଏବଂ ଡିଏନ୍ ମୀର୍ଜା। ଏହି ହୋଟେଲ ପ୍ରକଳ୍ପ ଡବ୍ଲ୍ୟୂ ଏ ଚ୍ୟାମ୍ବର୍ସ ନାମକ ଜଣେ ବ୍ରିଟିସ ଇଞ୍ଜିନିୟରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିଲା। ଏହାର ବିଲ୍ଡର ଥିଲେ ଖାନ ସାହେବ ସୋରାବଜୀ ରୁତୋନଜୀ। ଏହାକୁ ତିଆରି କରିବା ପାଇଁ ସେ ସମୟରେ ୨ ଲକ୍ଷ ୫୦ ହଜାର ପାଉଣ୍ଡ ଖର୍ଚ୍ଚ ହୋଇଥିଲା।

ଦେଶ ସ୍ୱାଧୀନ ହେବାର ପ୍ରାୟ ୪୫ ବର୍ଷ ପୂର୍ବରୁ ପ୍ରତିଷ୍ଠିତ ଏହି ହୋଟେଲ ବମ୍ବେର ପ୍ରଥମ ହୋଟେଲ ଥିଲା, ଯାହା ବିଦ୍ୟୁତ୍ ଦ୍ୱାରା ଆଲୋକିତ ହୋଇଥିଲା। ଏହା ଛଡ଼ା ଏଠାରେ ଆମେରିକୀୟ ଫ୍ୟାନ, ଜର୍ମାନ ଏଲିଭେଟର, ଟର୍କିସ ବାଥ୍ ଥିଲା। ବମ୍ବେର ପ୍ରଥମ ଲାଇସେନ୍ସ ବାର୍ ଏହି ଠାରେ ହିଁ ଖୋଲିଥିଲା। ସେ ସମୟରେ ଫ୍ୟାନ୍ ଥିବା ରୁମ ପାଇଁ ୧୩ ଟଙ୍କା ଦେବାକୁ ପଡୁଥିଲା। ୧୯୫୦ରୁ ୧୯୭୦ ମସିହା ମଧ୍ୟରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି ହୋଟେଲ ଅବହେଳିତ ହୋଇଥିଲା। କାରଣ ଧୀରେ ଧୀରେ ବ୍ରିଟିସ ଅତିଥିଙ୍କ ସଂଖ୍ୟା କମିବାରେ ଲାଗିଥିଲା। ୧୯୭୨ ମସିହାରେ ଏହାର ପରିଚାଳନା ଦାୟିତ୍ୱ ପାନ୍ ଆମ୍ସ ଇଣ୍ଟର କଣ୍ଟିନେଣ୍ଟାଲ ହୋଟେଲ୍ସ ଡିଭିଜନ ହାତକୁ ଯାଇଥିଲା। ଏହାର ନାମ ‘ଦି ତାଜମହଲ ଇଣ୍ଟରକଣ୍ଟିନେଣ୍ଟାଲ’ ନାମରେ ନାମିତ ହୋଇଥିଲା ଏବଂ ତାଜମହଲ ଟାଓ୍ୱାର ମଧ୍ୟ ଖୋଲିଥିଲା।

ଏହା ପରେ ଏହି ହୋଟେଲ ଗ୍ରୁପ ପରିଚାଳନା ଦୃଷ୍ଟିରୁ ଅଗ୍ରଗତି କରିବା ସହ ନୂଆ ନୂଆ ହୋଟେଲ ଖୋଲିବାକୁ ଲାଗିଥିଲା। ବିଭିନ୍ନ ସ୍ଥାନରେ ରାଜପ୍ରାସାଦ ହୋଟେଲରେ ପରିଣତ ହେଲା। ୧୯୯୫ରେ ଏହି ହୋଟେଲର ନାମ ‘ତାଜମହଲ ହୋଟେଲ’ରେ ପରିଣତ ହେଲା। ୨୦୦୩ରେ ହୋଟେଲର ଶତବାର୍ଷିକୀ ଅବସରରେ ପୁନର୍ବାର ଏହାର ନାମକରଣ କରାଯାଇ ‘ଦି ତାଜମହଲ ପ୍ୟାଲେସ ଆଣ୍ଡ ଟାଓ୍ୱାର’ ନାମରେ ନାମିତ କରାଗଲା। ୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନଷ୍ଟ ହୋଇଥିବାରୁ କିଛି ଦିନ ପାଇଁ ବନ୍ଦ ରହିଥିଲା ହୋଟେଲ। ଆବଶ୍ୟକ ମରାମତି ଓ ସୌନ୍ଦର୍ଯ୍ୟକରଣ କାମ ପରେ ପୁଣି ଏହା ଅତିଥିମାନଙ୍କ ପାଇଁ ଖୋଲିଥିଲା।

ମାର୍ଚ୍ଚ ୨୦୧୦ ମସିହାରେ ଏହା ସମ୍ପୂର୍ଣ୍ଣ ଭାବେ ଖୋଲିଥିବାବେଳେ ଏହାର ନାମରୁ ‘ଟାଓ୍ୱାର’ ହଟାଯାଇ କେବଳ ‘ଦି ତାଜମହଲ ପ୍ୟାଲେସ’ ରଖାଗଲା। ୨୦୧୦ ନଭେମ୍ବର ୬ ତାରିଖରେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଭାବେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏଠାକୁ ଆସିଥିଲେ। ଏକ ଅଭିଭାଷଣରେ ସେ କହିଥିଲେ ତାଜମହଲ ପ୍ୟାଲେସ ଭାରତୀୟଙ୍କ ଶକ୍ତି ଓ ସହନଶୀଳତାର ପ୍ରତୀକ। ହୋଟେଲ ଉପରେ ଆକ୍ରମଣକୁ ନେଇ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା। ଫିଲ୍ମଟିରେ ତାଜ ହୋଟେଲ ଆକ୍ରମଣ ଘଟଣାକୁ ନିପୁଣ ଭାବେ ପ୍ରଦର୍ଶିତ କରାଯାଇଥିଲା।

ଏହି ହୋଟେଲରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଆତିଥ୍ୟ ଗ୍ରହଣ କରିଛନ୍ତି। ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନାଙ୍କ ଦ୍ୱିତୀୟ ପତ୍ନୀ ରତ୍ନାବାଇ ପେଟିଟ ଏହି ହୋଟେଲରେ ତାଙ୍କର ଶେଷ ସମୟ ବିତାଇ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ହୋଟେଲକୁ ୬୦୦ ଶଯ୍ୟା ବିଶିଷ୍ଟ ମିଲିଟାରୀ ଡାକ୍ତରଖାନାରେ ପରିଣତ କରାଯାଇଥିଲା। ଅନେକ ଉତ୍ଥାନ ପତନ ସହ ଏହି ହୋଟେଲ ଗୌରବ ସାଉଁଟିଛି। ହୋଟେଲ ବ୍ୟବସାୟ କ୍ଷେତ୍ରରେ ଗ୍ଲୋବାଲ ବ୍ରାଣ୍ଡ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ହୋଟେଲ୍ ‘ଦି ତାଜ୍’।

Tags: #HotelTheTaj #TheTajMahalPalace #JamsetjiTata #TheTajAttack

Comment