ଓଡ଼ିଶାଲାଇଭ୍ ବ୍ୟୁରୋ

  • ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଟେନ୍‌ସା ନେଚର କ୍ୟାମ୍ପ
  • ଶାନ୍ତ ପରିବେଶ, ସବୁଜ ବନାନୀ ଟେନ୍‌ସାର ଅନ୍ୟତମ ଆକର୍ଷଣ
  • ପର୍ଯ୍ୟଟକଙ୍କ ରାତ୍ରୀଯାପନ ପାଇଁ ରହିଛି କଟେଜ୍ ସୁବିଧା

ସୁନ୍ଦର ପ୍ରକୃତି, ସୁନ୍ଦର ସଂସ୍କୃତି ଓ ସୁନ୍ଦରତାର ସମାହାର ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ। ସେଥିମଧ୍ୟରୁ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଟେନ୍‌ସା ନେଚର କ୍ୟାମ୍ପ। ଜିଲ୍ଲାର ଖଣି ପ୍ରଭାବିତ କୋଇଡ଼ା ବ୍ଲକର ଟେନ୍‌ସାଠାରେ ରହିଛି ଏହି ନେଚର କ୍ୟାମ୍ପ। ଏଠାକାର ଘଞ୍ଚ ଜଙ୍ଗଲ ଓ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି।ଟେନ୍‌ସା ନେଚର କ୍ୟାମ୍ପକୁ ଆସୁଥିବା ପର୍ଯ୍ୟଟକମାନେ ଖୁବ ଆନନ୍ଦ ସହକାରେ ଏହି ସ୍ଥାନକୁ ଉପଭୋଗ କରୁଛନ୍ତି। କୋଲକାତାରୁ ଆସିଥିବା ଜଣେ ପର୍ଯ୍ୟଟକ ଦୀପା ସାହା କହନ୍ତି, ‘‘ସହରର କୋଳାହାଳଠାରୁ ଦୂରରେ ଥିବା ଟେନ୍‌ସା ନେଚର କ୍ୟାମ୍ପ ସତରେ ଅତି ସୁନ୍ଦର। ଏଠାରେ ମତେ ଭୂସ୍ୱର୍ଗ ଭଳି ଅନୁଭବ ମିଳିଛି। ଓଡ଼ିଶାର ଏହି ସୁନ୍ଦର ସ୍ଥାନ ମତେ ଏକ ନିଆରା ଅନୁଭୂତି ଦେଇଛି।’’

“ମୁଁ ଅନେକ ସ୍ଥାନ ବୁଲିଛି। ହେଲେ ଏଠାରେ ମତେ ଯେଉଁ ଅନୁଭୂତି ମିଳିଲା ତା’ ଆଉ କୋଉଠି ପାଇନି। ଏଠାକାର ଶାନ୍ତ ପରିବେଶ, ସବୁଜ ବନାନୀ, ଚଢ଼େଇଙ୍କ କଳରବ, ଝରଣାର କୁଳୁକୁଳ ଶବ୍ଦ ମତେ ବିମୋହିତ କରିଛି। ତେଣୁ ମୋ ମତରେ ଯେଉଁମାନେ ପର୍ଯ୍ୟଟନସ୍ଥଳୀ ବୁଲିବାରେ ରୁଚି ରଖନ୍ତି ସେମାନେ ନିଶ୍ଚୟ ଥରେ ଟେନ୍‌ସାକୁ ଆସନ୍ତୁ’’ କହିଛନ୍ତି କୋଲକାତାରୁ ଆସିଥିବା ଅନ୍ୟ ଜଣେ ପର୍ଯ୍ୟଟକ ମୁକୁଲ ସାହା।ପ୍ରକୃତି କୋଳରେ କିଛି ସମୟ ବିତାଇବା ସହିତ ପର୍ଯ୍ୟଟକମାନେ ଯେମିତି ସୁରକ୍ଷିତ ରାତ୍ରୀଯାପନ କରିପାରିବେ ସେଥିପାଇଁ ଟେନ୍‌ସା ନେଚର କ୍ୟାମ୍ପରେ କଟେଜ୍ ସୁବିଧା ରହିଛି। ଏହି କଟେଜ୍‌ଗୁଡ଼ିକର ସ୍ଵତନ୍ତ୍ରତା ହେଉଛି ଏହାର ନାମକରଣ। ବର୍ଷକର ଛଅ ଋତୁ ଯେମିତି ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ନାଁରେ ୬ଟି କଟେଜ୍‌ ଟେନ୍‌ସାରେ ରହିଛି।ଟେନ୍‌ସାରେ ପର୍ଯ୍ୟଟକଙ୍କ ରହିବା ସହିତ ମଧ୍ୟାହ୍ନ ଓ ରାତ୍ରୀ ଭୋଜନର ବ୍ୟବସ୍ଥା ରହିଛି, ଆଉ ଏ ସମସ୍ତ କାର୍ଯ୍ୟର ପରିଚାଳନା କରୁଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଯୁବତୀ। ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ ପରିଚାଳକ ଓ ସ୍ଥାନୀୟ ଫରେଷ୍ଟର ଏହି କାର୍ଯ୍ୟରେ ସେମାନଙ୍କୁ ଗାଇଡ କରୁଛନ୍ତି। ତେଣୁ ଟେନ୍‌ସା ନେଚର କ୍ୟାମ୍ପ ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାରର ଏକ ବାଟ ଦେଖାଇ ପାରିଛି।

‘‘ମୁଁ ଟେନ୍‌ସା ନେଚର କ୍ୟାମ୍ପରେ କାର୍ଯ୍ୟ କରୁଛି। ଏଠାରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାଠାରୁ ଆରମ୍ଭ କରି ସେମାନେ ବିଦାୟ ନେବା ପର୍ଯ୍ୟନ୍ତ ଯେମିତି କୌଣସି ସମସ୍ୟା ନହୁଏ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ପର୍ଯ୍ୟଟକମାନେ କିଭଳି ଆମମାନଙ୍କ ସେବାରେ ଖୁସି ହୋଇ ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଆମେ ସବୁବେଳେ ଗୁରୁତ୍ୱ ଦେଉଛୁ’’, କହନ୍ତି ଟେନ୍‌ସା ନେଚର କ୍ୟାମ୍ପରେ କାର୍ଯ୍ୟରତ ସୁଜିତ ନାୟକ।ଟେନ୍‌ସା ନେଚର କ୍ୟାମ୍ପକୁ ଚାରିପଟୁ ଘେରି ରହିଛି ଜଙ୍ଗଲ, ଆଉ ଏହାର ରକ୍ଷଣାବେକ୍ଷଣ ଉପରେ ଜିଲ୍ଲା ଜଙ୍ଗଲ ବିଭାଗ ନଜର ରଖିଛି। ତେଣୁ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଅଧିବାସୀଙ୍କୁ ନେଇ ଏକ ଇକୋଟୁରିଜମ୍ ଗ୍ରୁପ୍ ବା ଇଟିଜି ମଧ୍ୟ ଗଠନ କରାଯାଇଛି। ସେହିପରି ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ କ୍ୟାମ୍ପକୁ ପର୍ଯ୍ୟଟକଙ୍କ ଗମନାଗମନ ନିମନ୍ତେ ରାସ୍ତାଘାଟର ଉନ୍ନତିକରଣ କରାଯିବା ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହାସହ କ୍ୟାମ୍ପରେ ଏକ ୱାଚ୍ ଟାଓ୍ୱାର ରହିଛି, ଯେଉଁଠାରୁ ପର୍ଯ୍ୟଟକମାନେ ଟେନ୍‌ସାର ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରୁଛନ୍ତି।

ତେବେ ଟେନ୍‌ସାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆପଣ www.ecotourodisha.com ୱେବ ପୋର୍ଟାଲ ବୁକିଂ କରିପାରିବେ।କେମିତି ପହଁଚିବେ?

ଟେନ୍‌ସା ପହଞ୍ଚିବାପାଇଁ ଆପଣ ବାଇ ରୋଡ୍, ଟ୍ରେନ କିମ୍ଵା ଫ୍ଲାଇଟ ଆଦିରେ ଯାଇପାରିବେ। ଯଦି ଆପଣ ଟ୍ରେନରେ ଯାଉଛନ୍ତି, ତାହାଲେ ଟେନ୍‌ସାର ନିକଟତମ ରେଲଓ୍ଵେ ଷ୍ଟେସନ ହେଉଛି ରାଉରକେଲା ଜଙ୍କସନ୍। ସେହିପରି ଏହାର ନିକଟତମ ବିମାନ ବନ୍ଦର ହେଲା ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର।

ଯଦି ଆପଣ ବାଇ ରୋଡ୍ ଟେନସା ଯିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ରାଉରକେଲା ଯିବାକୁ ହେବ। ସେଠାରୁ ଟେନ୍‌ସାର ଦୂରତା ୯୦ କିଲୋମିଟର। ଆପଣ ବସ୍ କିମ୍ବା କାର୍ ଯୋଗେ ଟେନ୍‌ସାରେ ପହଞ୍ଚିପାରିବେ।

‘ହନୁମାନ ବାଟିକା’ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ଥିବା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ।

ସୁନ୍ଦରଗଡ଼ରେ ଅନ୍ୟାନ୍ୟ ବୁଲିବା ସ୍ଥାନ

ଟେନ୍‌ସା ନେଚର କ୍ୟାମ୍ପ ବୁଲିବାକୁ ଆପଣ ସୁନ୍ଦରଗଡ଼ ଯାଉଥିଲେ, ମନେରଖନ୍ତୁ କେବଳ ଟେନ୍‌ସା ହିଁ ନୁହେଁ ସୁନ୍ଦରଗଡ଼ ଜିଲ୍ଲାରେ ଆହୁରି ଅନେକ ଭଲ ଭଲ ପର୍ଯ୍ୟଟନସ୍ଥଳୀ ରହିଛି। ଖଣ୍ଡାଧାର ଓ ସରଫଗଡ଼ ଜଳପ୍ରପାତ, ସ୍ମାର୍ଟସିଟି ରାଉରକେଲାର ବୈଷ୍ଣୋ ଦେବୀ ମନ୍ଦିର, ହନୁମାନ ବାଟିକା, ମନ୍ଦିରା ଡ୍ୟାମ, ବେଦବ୍ୟାସ ଧାମ ଆଦି ବୁଲିପାରିବେ।

Tags: #Tensa #TensaNatureCamp #Sundargarh #OdishaTourism #ଟେନ୍‌ସା #ଟେନ୍‌ସାନେଚରକ୍ୟାମ୍ପ

Comment