ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆସନ୍ତା ଏପ୍ରିଲ ୨୯ ତାରିଖଠାରୁ ପୁରୀ ଶ୍ରୀମନ୍ଦିର ମଧ୍ୟକୁ ପଶ୍ଚିମଦ୍ଵାର ଦେଇ ମଧ୍ୟ ଭକ୍ତମାନେ ପ୍ରବେଶ କରି ବଡ଼ ଠାକୁରଙ୍କୁ ଦର୍ଶନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଭକ୍ତମାନେ ସିଂହଦ୍ଵାର ଏବଂ ପଶ୍ଚିମଦ୍ଵାର ଦେଇ ପ୍ରବେଶ କରିବା ପରେ ଉତ୍ତର ଏବଂ ଦକ୍ଷିଣଦ୍ଵାର ଦେଇ ପ୍ରସ୍ଥାନ କରିବେ। ଏହା ସହିତ ସିଂହଦ୍ଵାରରେ ଥିବା ସେଡକୁ ପଶ୍ଚିମଦ୍ଵାରକୁ ସ୍ଥାନାନ୍ତର କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ମେ’ ୩ ତାରିଖରେ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ଏହି ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ। ସେହିଦିନ ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନୀତି ସବ୍‌କମିଟି ଏବଂ ଛତିଶାନିଯୋଗ ବୈଠକରେ ଚନ୍ଦନଯାତ୍ରା, ଭଉଁରୀ ଯାତ୍ରା ଆଦିର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସୂଚନା ଦେଇଛନ୍ତି।

ସିଂହଦ୍ଵାରରେ ରହିଥିବା ସେଡକୁ ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ପଶ୍ଚିମ ଦ୍ଵାରକୁ ସ୍ଥାନାନ୍ତର କରାଯିବ। ଭକ୍ତମାନେ ଆସନ୍ତା ୨୯ ତାରିଖଠାରୁ ଉଭୟ ସିଂହଦ୍ଵାର ଏବଂ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ। ପୂର୍ବରୁ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଥିଲା, ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଚାରିଦ୍ଵାର ପଟୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରି ବଡ଼ଠାକୁରଙ୍କ ଦର୍ଶନ ପାଇଁ ଅନୁମତି ଲାଗି ଦାବି ହୋଇଆସୁଥିଲା।

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡକ୍ଟର କନଓ୍ଵର ବିଶାଳ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Tags: #Puri #ShreeMandira #ShreeJagannathTemple #Entry #PaschimaDwara

Comment