ଓଡ଼ିଶାଲାଇଭ୍ ବ୍ୟୁରୋ
- ବସୁନ୍ଧରା ଯୋଜନାରେ ୧୭ ଜଣ ଭୂମିହୀନଙ୍କୁ ଜମିପଟ୍ଟା
- ୯ ପଞ୍ଚାୟତର ଅନୁମୋଦିତ ୬୭୫ ପ୍ରକଳ୍ପ ଲାଗି କାର୍ଯ୍ୟାଦେଶ ପ୍ରଦାନ
ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ସୋମବାର ଦିନ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲୋକମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନାରେ କୋଇଡ଼ା ବ୍ଳକର ୧୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି।
‘‘ସୁନ୍ଦରଗଡ଼ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମରେ ଜନ ସହଭାଗିତାର ଗୁରୁତ୍ଵ ଅଧିକ। ତେଣୁ ସାଧାରଣ ଲୋକେ ଜିଲ୍ଲା ପ୍ରଶାସନର ବିଭିନ୍ନ ଯୋଜନା ସମ୍ବନ୍ଧରେ ଜାଣିବା ସହ ନିଜର ସମସ୍ୟା ଓ ଅଭିଯୋଗକୁ ଗ୍ରାମସଭା ମାଧ୍ୟମରେ ପାରିତ କରି ପ୍ରଶାସନ ପାଖକୁ ଆଣିଲେ ଏହାର ସମାଧାନ କରାଯିବ। ଏହା ସହ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଗ୍ରାମସଭାରେ ଆଲୋଚନା ହେବା ଜରୁରୀ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଜନ ଶୁଣାଣି ଅବସରରେ କୋଇଡ଼ା ବ୍ଲକ ଅଧୀନ ୯ଟି ଗ୍ରାମପଞ୍ଚାୟତରେ (ପାଟମୁଣ୍ଡା, ମାଲଦା, କାଶିରା, କୋଇଡ଼ା, କାଲଟା, ଡେଙ୍ଗୁଳା, ଟେନସା, ଗୋପନା, ବିମଳାଗଡ଼) ଗ୍ରାମସଭା ମାଧ୍ୟମରେ ପାରିତ ୬୭୫ ପ୍ରକଳ୍ପର କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଉପରୋକ୍ତ ପଞ୍ଚାୟତରେ ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରି ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ, ପୋଖରୀ ପୁନରୁଦ୍ଧାର, ଜଳସେଚନ, ହାଇମାଷ୍ଟ ଓ ଷ୍ଟ୍ରିଟ୍ ଲାଇଟ୍, ବିଦ୍ୟୁତ୍ ଯୋଗାଣ, ନୂଆ ଅଙ୍ଗନବାଡ଼ି ଗୃହ ନିର୍ମାଣ, ଟ୍ରକ ପାର୍କିଂ ସ୍ଥଳ ନିର୍ମାଣ, ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି। ଏହିସବୁ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେବ।
ଏହା ବ୍ୟତୀତ ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ମା’ ଗୃହ ପ୍ରତିଷ୍ଠା, ମୋବାଇଲ ମେଡିକାଲ ଭ୍ୟାନ ସଂଖ୍ୟାରେ ବୃଦ୍ଧି, କାଶିରାଠାରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ରହିଛି। ଏଥିସହ କୋଇଡ଼ାସ୍ଥିତ ଆଇଟିଆଇ କେନ୍ଦ୍ରରେ ହଷ୍ଟେଲ ସୁବିଧା ସହିତ ଚଳିତ ଶିକ୍ଷାବର୍ଷଠାରୁ ପାଠପଢ଼ା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ନିୟମିତ ବିଦ୍ୟୁତ ଓ ଜଳ ଯୋଗାଣ ସହିତ ୭ରୁ ୮ ଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ଗୃହ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।
ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲଲାଟ କୁମାର ଲୁହା, କୋଇଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଡେପୁଟି କଲେକ୍ଟର (ଜରୁରିକାଳୀନ) କୁନ୍ତୀ ରାଣୀ ନାଏକ, ବଣାଇଁ ଅତିରିକ୍ତ ଏସପି ସୟଦ ମୁଜିବୁର ରହେମାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, କୋଇଡ଼ା ତହସିଲଦାର ଡି.ଏସ୍ ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Tags: #JointPublicHearing #KoidaBlock #SundargarhDist