ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଡିସେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଜିଲ୍ଲାର ୩ଟି ସ୍ଥାନରେ ଚାଲିବ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୧୧୬ଟି କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ସେଥିମଧ୍ୟରେ ଅଛନ୍ତି ଯୁକ୍ତ ୨, ଡିଗ୍ରୀ ଏବଂ ବିଭିନ୍ନ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଏହି ପ୍ରତିଯୋଗିତା ଜିଲ୍ଲାର ୩ଟି ଉପଖଣ୍ଡ – ସୁନ୍ଦରଗଡ଼, ପାନପୋଷ ଏବଂ ବଣାଇଁରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ବିଭିନ୍ନ କଲେଜରୁ ଆସିଥିବା ଟିମ ଭିତରେ ଖୋ ଖୋ, କବାଡ଼ି ଏବଂ ଭଲିବଲ ଆଦି ପ୍ରତିଯୋଗିତା ହେବ। ସେହିପରି ଏକକ ଇଭେଣ୍ଟରେ ଦୌଡ଼କୁଦ ସହ ହାଇଜମ୍ପ, ଲଙ୍ଗଜମ୍ପ, ଜ୍ୟାଭଲିନ ଏବଂ ଡିସକିସ୍ ଥ୍ରୋ ଆଦି ପ୍ରତିଯୋଗିତା କରାଯିବ।

ଡିସେମ୍ବର ୧୪ରୁ ୧୭ ତାରିଖ – ଚାରି ଦିନ ଧରି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ପାନପୋଷ ଉପଖଣ୍ଡର ୪୭ଟି କଲେଜର ଛାତ୍ରଛାତ୍ରୀମାନେ ଭାଗନେବେ।

ସେହିପରି ସୁନ୍ଦରଗଡ଼ ଏବଂ ବଣାଇଁ ଉପଖଣ୍ଡର କଲେଜଗୁଡ଼ିକ ପାଇଁ ଡିସେମ୍ବର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଆୟୋଜନ କରାଯିବ। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ ୪୮ଟି କଲେଜ ଏବଂ ବଣାଇଁ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ହେବାକୁ ଥିବା ପ୍ରତିଯୋଗିତାରେ ୨୧ଟି କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଦଳଗତ ପ୍ରତିଯୋଗିତାରେ ପୁରସ୍କାର ବାବଦରେ ବିଜେତା ଓ ଉପ-ବିଜେତା ଟିମକୁ ମାନପତ୍ର, ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ଏକକ ଇଭେଣ୍ଟରେ ହେବାକୁ ଥିବା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ବାବଦରେ ମାନପତ୍ର, ପଦକ ଏବଂ ଅର୍ଥରାଶି ପ୍ରଦାନ କରାଯିବ।

୨୦୨୩ ଜାନୁଆରି ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ। ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଯୋଡ଼ି ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

Tags: #Sports #Competition #InterCollegeSportsCompetitions #SundargarhDist #HockeyWorldCup

Comment