ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ବର୍ଷ ପରେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉତ୍ସବରେ ସାମିଲ ହେବେ ଶ୍ରଦ୍ଧାଳୁ। କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହେଉଥିଲେ ଭକ୍ତ। ଆସନ୍ତା ଜୁନ୍ ଏବଂ ଜୁଲାଇ ମାସ ବେଳକୁ କୋଭିଡ ସ୍ଥିତି ଭଲ ରହିଲେ ରଥଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ଅନୁମତି ମିଳିବ ବୋଲି ଗୁରୁବାର ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ଜିଲ୍ଲାପାଳ କହିଛନ୍ତି ଯଦି କୋଭିଡ ସ୍ଥିତି ନବିଗିଡ଼େ ତେବେ ବିଗତ ବର୍ଷର ରଥଯାତ୍ରାଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଦୁଇଗୁଣା ଅଧିକ ଭକ୍ତ ଏ ବର୍ଷର ରଥଯାତ୍ରାରେ ସାମିଲ ହୋଇପାରନ୍ତି। ରଥଯାତ୍ରା ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ରଥ ନିର୍ମାଣ ସାଙ୍ଗକୁ ରଥ ସାମଗ୍ରୀ, ସ୍ଵାସ୍ଥ୍ୟ ଏବଂ ପରିମଳ ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି ଏବଂ ବିଜୁଳି ଯୋଗାଣ ଆଦିର ସୁବନ୍ଦୋବସ୍ତ ନେଇ ବୈଠକରେ ଆଲୋଚନା ହୋଇଥିଲା।

ରଥ ଯାତ୍ରା ସମୟରେ କୋଭିଡର ସ୍ଥିତି ବଢ଼ିଲେ ପରିସ୍ଥିତକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଯଦି ଚଳିତ ଥର କଟକଣାମୁକ୍ତ ରଥଯାତ୍ରା ହୁଏ ତେବେ ଭକ୍ତଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଆଜିର ବୈଠକରେ ଭକ୍ତଙ୍କ ସମାଗମ ଏବଂ ଭିଡ଼ ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଗତ ମେ’ ୩ ତାରିଖ ଅକ୍ଷୟ ତୃତୀୟ ଅବସରରେ ରଥ ନିର୍ମାରଣ ଶୁଭାରମ୍ଭ କରାଯିବା ପରେ ମେ’ ୪ ତାରିଖରୁ ଶ୍ରୀନିଅର ନିକଟ ରଥଖଳାରେ ରଥ ନିର୍ମାଣ କାମ ଜୋରସୋର ଆରମ୍ଭ ହୋଇଛି। ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ପୁରୀ ସହର।

Tags: #PuriCarFestival #ShreeJagannath #ShreeMandir #PuriCollector

Comment