ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁକଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ସୋମବାର ନବୀନ ନିବାସରେ ବିଧିବଦ୍ଧ ଭାବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଅଳକା ମହାନ୍ତିଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହି ଦୌଡ଼ିରେ ଅନେକ ଆଶାୟୀ ରହିଥିଲେ। ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁକୁ ନେଇ ମଧ୍ୟ ଜୋରସୋର ଚର୍ଚ୍ଚା ହେଉଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି ଅଳକାଙ୍କ ନାଁ ଘୋଷଣା କରି ସବୁ ଚର୍ଚ୍ଚା ଉପରେ ବିରାମ ଲାଗଇଛନ୍ତି।

ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। ୨୦୨୧ ମସିହା ଡିସେମ୍ବର ମାସରେ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ହୋଇଥିଲା। ତାଙ୍କ ଦେହାନ୍ତ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲିପଡ଼ିଥିଲା। ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଥିଲା। ତାରିଖ ଘୋଷଣା ହେବା ପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

ବିଜେଡିର ପୁରୁଣା ପରମ୍ପରା ରହିଛି କୌଣସି ଦଳୀୟ ନେତାଙ୍କର ବିୟୋଗ ଘଟିଲେ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରାଯିବ। ବିଶେଷ କରି ମୃତକଙ୍କ ପତ୍ନୀ କିମ୍ବା ପୁଅଙ୍କୁ ଦଳ ପ୍ରାଧାନ୍ୟ ଦେଇଥାଏ। ପୂର୍ବରୁ ଅନେକ ପ୍ରମାଣ ମଧ୍ୟ ରହିଛି। ବିଜେଡିର ଏହି ପୁରୁଣା ପରମ୍ପରା ଆଧାରରେ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିବା କୁହାଯାଉଛି।

ଅନ୍ୟ ପଟେ ସ୍ଵାମୀଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ସେ କହିଛନ୍ତି ତାଙ୍କ ସ୍ଵାମୀ ବ୍ରଜରାଜନଗର ଏବଂ ବ୍ରଜରାଜନଗର ବାସିନ୍ଦାଙ୍କ ବିକାଶ ପାଇଁ ଅନେକ ସ୍ଵପ୍ନ ଦେଖିଥିଲେ। ସେଗୁଡ଼ିକ ମଧ୍ୟରୁ କିଛି ପୂରଣ ହୋଇଥିବାବେଳେ ଅନେକ ବାକି ରହିଯାଇଛି। ନିର୍ବାଚନ ଜିତିଲେ ସ୍ଵାମୀଙ୍କର ସ୍ଵପ୍ନ ପୂରଣ କରିବା ଉପରେ ଗୁରୁତ୍ଵ ଦେବେ ବୋଲି ସେ କହିଛନ୍ତି।

ନିର୍ବାଚନ ମୈଦାନକୁ ଯିବା ଆଗରୁ ସେ ଦଳୀୟ କର୍ମୀ ଏବଂ ବ୍ରଜରାଜନଗର ବାସିନ୍ଦାଙ୍କ ସହଯୋଗ ଲୋଡ଼ିଛନ୍ତି। ବଜେପି ପକ୍ଷରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ବ୍ରଜରାଜନଗର ନିର୍ବାଚନ ମୈଦାନରେ ଦୁଇ ଜଣ ନାରୀନେତ୍ରୀଙ୍କ ମଧ୍ୟରେ ଏଥର କଡ଼ା ମୁକାବିଲା ଦେଖିବାକୁ ମିଳିବ।

Tags: #Election #OdishaElection #ByElection #BrajarajnagarByElection #Politics #BJD #CMOdisha

Comment