ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ଏବଂ ବିଜେଡି ପରେ କଂଗ୍ରେସ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି। ଏହି ଆସନ ପାଇଁ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ନାଁ ସୋମବାର ଘୋଷଣା କରିଛି କଂଗ୍ରେସ। କିଶୋର ପଟେଲଙ୍କର ରାଜନୀତିରେ ଭଲ ଅଭିକ୍ଷତା ସହ ଦକ୍ଷତା ରହିଛି। ତେଣୁ ଦଳ ତାଙ୍କ ଉପରେ ଯଥେଷ୍ଟ ଆଶା ରଖିଛି।

କିଶୋର ପଟେଲଙ୍କ ଭଳି ଜଣେ ପୁରୁଖା ଓ ଅନୁଭବୀ ନେତା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ଉଭୟ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ଥିବା କୁହାଯାଉଛି। ପୁଣି ଥରେ କଂଗ୍ରେସ ନିଜ ପୁରୁଣା ଗଡ଼ରେ ସ୍ଥିତି ମଜବୁତ କରିବ ବୋଲି ଆଶା ରଖିଛି ଦଳ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହେବା ପରେ ବିଭିନ୍ନ ଦଳ ପ୍ରାର୍ଥୀ ବାଛିବାକୁ ଲାଗିପଡ଼ିଥିଲେ। କଂଗ୍ରେସ ପକ୍ଷରୁ ଏହି ଆସନ ପାଇଁ ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଏହି ରେସ୍‌ରେ ସବୁଠାରୁ ଆଗରେ ରହିଥିଲେ କିଶୋର ପଟେଲ। ଦଳ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବାକୁ ଚୂଡ଼ାନ୍ତ କରିଥିବା ଦୁଇ ଦିନ ପୂର୍ବରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସଙ୍କେତ ଦେଇଥିଲେ। ଆଜି ବିଧିବଦ୍ଧ ଭାବେ ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି।

Tags: #Politics #Election #OdishaElection #ByElection #BrajarajNagarAssemblyByElection #Cogress #KishorPatel

Comment