ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଅସାନି’ ଲାଗି ସତର୍କ ରହିଛନ୍ତି ରାଜ୍ୟବାସୀ। ସରକାରଙ୍କ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବୁଧବାର ବାତ୍ୟା ନେଇ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ଅସାନି’। ସିଭିୟର ସାଇକ୍ଲୋନ କେବଳ ସାଇକ୍ଲୋନରେ ପରିଣତ ହୋଇଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାତ୍ୟା ‘ଅସାନି’ ଗୋପାଳପୁରଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିଲୋମିଟର ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି। ବାତ୍ୟା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୦ ଜିଲ୍ଲା ମଧ୍ୟରୁ ୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷା ନେଇ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଏବଂ ବାଲେଶ୍ଵର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ‘ଅସାନି’ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କାକିନାଡ଼ା ଏବଂ ବିଶାଖାପାଟଣା ମଧ୍ୟରେ ‘ଅସାନି’ ସ୍ଥଳ ଭାଗ ଛୁଇଁବାର ସମ୍ଭାବାନ ରହିଛି। ସ୍ଥଳ ଭାଗ ଛୁଇଁବା ପରେ ଏହା ରିକର୍ଭ କରି ପୁନଃ ସମୁଦ୍ର ମଧ୍ୟକୁ ଯିବ ବୋଲି ଅନୁମାନ କରାଯାଉଛି। ସମୁଦ୍ରକୁ ପୁନର୍ବାର ପ୍ରବେଶ କରିବା ପରେ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭବାନା ନାହିଁ।

Tags: #Cyclone #Weather #Asani #HeavyRainfall #YellowWarnigForRainfall

Comment