ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ନିର୍ବାଚନ ମଇଦାନରେ। ନିଜ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜୋର ସୋର ପ୍ରସ୍ତୁତି ଚଳାଇଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ। ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳଗୁଡ଼ିକ ପକ୍ଷରୁ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି। କିନ୍ତୁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଛନ୍ତି ସାଂସଦ ଅନୁଭବ ମହାନ୍ତି।

ପୂର୍ବରୁ ବିଜେପି ଏବଂ କଂଗ୍ରେସ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବାବେଳେ ମଙ୍ଗଳବାର ଦିନ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୂର୍ବପରି ଏଥର ମଧ୍ୟ ଅଭିନେତାରୁ ନେତା ପାଲଟିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବାଦ ଦିଆଯାଇଛି। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଲାଗି ରହିଥିବା ବୈବାହିକ ଝଡ଼କୁ ନେଇ ଅନୁଭବଙ୍କୁ ଦଳ କଣଠେସା କରୁଥିବା ଚର୍ଚ୍ଚା ହେଉଛି। ତେଣୁ ବାରମ୍ବାର ତାଙ୍କୁ ଦଳ କୌଣସି ନିର୍ବାଚନ ପ୍ରଚାରରେ ସାମିଲ କରୁନଥିବା କୁହାଯାଉଛି।

ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ଅନୁଭବ ମହାନ୍ତି

ଦଳରେ ରହିଥିଲେ ମଧ୍ୟ ବିଜେଡି ଅନୁଭବ ମହାନ୍ତିଙ୍କୁ ଗୁରୁତ୍ଵ ଦେଉନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ବିଜେଡିର କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁଭବ ମହାନ୍ତିଙ୍କୁ ସାମିଲ କରାଯାଉନଥିବା ଦେଖିବାକୁ ମିଳୁଛି। ଏହାର ସଦ୍ୟ ଉଦାହରଣ ଆଜି ମଧ୍ୟ ଦେଖିବାକୁ ମିଳିଛି। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୂଳରୁ ଶେଷ ଯାଏଁ କେଉଁଠି ବି ଅନୁଭବ ମହାନ୍ତିଙ୍କ ନାଁ ଦେଖିବାକୁ ମିଳିଲା ନାହିଁ। ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଦଳର ଷ୍ଟାର ପ୍ରଚାରକ ତାଲିକରୁ ବାଦ ପଡ଼ିଛନ୍ତି ସାଂସଦ ଅନୁଭବ ମହାନ୍ତି।

ପିପିଲି ବିଧାନସଭା ଉପନିର୍ବାଚନ ବେଳେ ମଧ୍ୟ ବାଦ ପଡ଼ିଥିଲେ ଅନୁଭବ

ଗତ ୨୦୨୧ ମସିହା ଏପ୍ରିଲ ୧୭ ତାରିଖ ପିପିଲି ବିଧାନସଭା ଉପନିର୍ବାଚନ ସମୟରେ ମଧ୍ୟ ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଅନୁଭବ ମହାନ୍ତିଙ୍କୁ ବାଦ ଦିଆଯାଇଥିଲା। ଏହା ପୂର୍ବରୁ ୨୦୨୦ ନଭେମ୍ବର ୩ ତାରିଖରେ ହୋଇଥିବା ତିର୍ତ୍ତୋଲ ଏବଂ ବାଲେଶ୍ଵର ସଦର ଉପନିର୍ବାଚନ ସମୟରେ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇନଥିଲା ଅନୁଭବ ମହାନ୍ତିଙ୍କୁ।

କୌଣସି ନିର୍ବାଚନରେ ଦଳର ଷ୍ଟାର ପ୍ରଚାରକଙ୍କ ଗହଣରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳୁନାହିଁ। ପତ୍ନୀଙ୍କ ସହ ଲାଗି ରହିଥିବା ଘରୋଇ କଳି ଅନୁଭବଙ୍କ ରାଜନୈତିକ କ୍ୟାରିଅର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥିବା ଆଲୋଚନା ହେଉଛି।

Tags: #Election #Politics #OdishaPolitics #AnubhavMohanty #ElectionCampaign #BJD

Comment