ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ବୁଧବାର ହଠାତ ନିଜ ପଦବୀରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଅନିଲ ବୈଜଲ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣକୁ ନେଇ ଇସ୍ତଫା ଦେଇଥିବା ସେ କହିଛନ୍ତି।

ଉପରାଜ୍ୟପାଳ ଭାବେ ଅନିଲ ବୈଜଲଙ୍କର ୫ ବର୍ଷିଆ କାର୍ଯ୍ୟକାଳ ଗତ ୨୦୨୧ ମସିହା ଡିସେମ୍ବର ୩୧ ତାରିଖରୁ ସମ୍ପୂର୍ଣ୍ଣ ହୋଇସାରିଛି। କୁହାଯାଉଛି ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟକାଳର କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ। ଅନେକ ଘଟଣାକୁ ନେଇ ଦୀର୍ଘ ଦିନ ହେଲା ଦିଲ୍ଲୀର କେଜ୍ରିଓ୍ଵାଲ ସରକାର ଏବଂ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ମଧ୍ୟରେ ତିକ୍ତତା ରହିଥିବା କୁହାଯାଉଛି।

ଅନିଲ ବୈଜଲ ଏକ ବର୍ଷ ପୂର୍ବରୁ ଦିଲ୍ଲୀ ସରକାରଙ୍କ ୧୦୦୦ ବସ୍ କ୍ରୟ ପ୍ରକ୍ରିୟାର ଯାଞ୍ଚକୁ ନେଇ ତିନି ସଦସ୍ୟ ଯୁକ୍ତ ଟିମ୍ ଗଠନ କରିଥିଲେ। ଭାରତୀୟ ଜନତା ପାର୍ଟି ଲଗାତର ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିଲା। ଉପରାଜ୍ୟପାଳ ଗଠନ କରିଥିବା ପ୍ୟାନେଲରେ ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ, ଭିଜିଲାନ୍ସ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଏବଂ ଦିଲ୍ଲୀ ସରକାରଙ୍କ ଟ୍ରାନ୍ସପୋର୍ଟ କମିଶନର ସାମିଲ ଥିଲେ। ଏହି ଘଟଣାକୁ ନେଇ କେଜ୍ରିଓ୍ଵାଲ ସରକାରଙ୍କ ସହିତ ତାଙ୍କର ଖିଟପିଟ ମଧ୍ୟ ହୋଇଥିଲା।

ଏହା ପୂର୍ବରୁ ସ୍ଵାସ୍ଥ୍ୟ ବିଭାଗ ସହ ସମ୍ବନ୍ଧୀତ ଘଟଣାରେ ମଧ୍ୟ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ସହ ସରକାରଙ୍କର ମନୋମାଳିନ୍ୟ ହୋଇଥିଲା। ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଯୋଗୁଁ ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଉପରାଜପାଳ ଅନିଲ ବୈଜଲଙ୍କୁ ଚିଠି ଲେଖି ସରକାରୀ ଡାକ୍ତରଖାନାଗୁଡ଼ିକରେ ଷ୍ଟାଫ ନିଯୁକ୍ତି ପାଇଁ ଆବେଦନ କରିଥିଲେ।

Tags: #Politics #IndianPolitics #AnilBaijalResigns #DelhiLieutenantGovernor

Comment