ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର କ୍ୟାମ୍ପେନ ‘ମୁଁ ବି ଭୋଟ ଦେବି’
  • ଚଳିତ ଥର ହେବ ୩୦ ମଡେଲ ବୁଥ, ୫ଟି ପିଙ୍କ ବୁଥ
  • ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
  • ଭୋଟ ଦେବେ ୨,୧୪,୮୭୮ ଭୋଟର
  • ଏଥର ଜୋଡ଼ି ହେଲେ ୧୩୩ ନୂଆ ଭୋଟର
  • ୫୦ ପ୍ରତିଶତ ବୁଥରେ ହେବ ଓ୍ଵେବ କାଷ୍ଟିଂ
  • ଶାରୀରିକ ଅକ୍ଷମ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା
  • ଚଳିତ ଥର ଜୋଡ଼ି ହେଲା ୨୨ଟି ନୂଆ ବୁଥ
  • କୋଭିଡ ନିୟମ ଅନୁସାରେ ଭୋଟ ଗ୍ରହଣ
  • ମତଦାନ ବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ନିର୍ଣ୍ଣୟ ହୋଇସାରିଛି। ପ୍ରାର୍ଥିପତ୍ର ଦାଖଲ, ପ୍ରତ୍ୟାହାର ହେବା ସହ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛନ୍ତି। ମୋଟ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୩ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ବର୍ତ୍ତମାନ ନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କରିବା ଏବଂ ନିର୍ବାଚନ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଶୁକ୍ରବାର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ନିର୍ବାଚନ ଲାଗି ସବୁ ପ୍ରକାର ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ବ୍ରଜରାଜନଗର। ମୋଟ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨,୧୪,୮୭୮ ଜଣ ଭୋଟର। ମୋଟ ଭୋଟରଙ୍କ ମଧ୍ୟରେ ୩,୫୨୦ ଜଣ ପିଡବ୍ଲ୍ୟୁଡି ଭୋଟର, ୧,୬୨୮ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ଵ ଭୋଟର ଏବଂ ୨୧୪ ଜଣ ଚାକିରିଆ ଭୋଟର ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ଦିନଠାରୁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି। ନୂଆ ଭୋଟରଙ୍କୁ ସାମିଲ କରାଯିବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟ ଗ୍ରହଣ ପାଇଁ ଆଶ୍ୟକୀୟ ଇଭିଏମ୍ ଏବଂ ଭିଭିପାଟ ମେସିନ ଉପଲବ୍ଧ ରହିଛି। ୩୧୯ଟି ବାଲାଟ ୟୁନିଟ, ୩୧୯ଟି କଣ୍ଟ୍ରୋଲ ୟୁନିଟ ଏବଂ ୪୧୯ ୟୁନିଟ ଭିଭି ପାଟ ଉପଲବ୍ଧ ରହିଛି। 

ଚଳିତ ଥର ସ୍କୁଲଗୁଡ଼ିକର ନାଁ ବଦଳିଛି। ଭୋଟରମାନେ ଦ୍ୱନ୍ଦ୍ୱରେ ନପଡ଼ି ପୂର୍ବରୁ ଯାଞ୍ଚ କରାଇବାକୁ ମୁଖ୍ୟ ନର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି।

ମୋଟ ବୁଥ ସଂଖ୍ୟା ୨୫୭ ରହିଥିଲା। କିନ୍ତୁ କୋଭିଡ କଟକଣା ପାଇଁ ଏଥର ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି। ୨୨ଟି ନୂଆ ବୁଥ ଜୋଡ଼ା ଯିବା ପରେ ଏବେ ବୁଥ ସଂଖ୍ୟା ୨୭୯ଟି ହୋଇଛି। ୨୨ଟି ଅତିରିକ୍ତ ବୁଥ ମଧ୍ୟରୁ ୧୯ଟି ବୁଥ ଗୋଟିଏ ବିଲ୍ଡିଂରେ ରହିଛି ୩ଟି ଅଲଗା ବୁଥ ନିକଟ ବିଲ୍ଡିଂରେ କରାଯାଇଛି।

ଏହାଛଡା କରୋନା ଓ ଅନ୍ୟାନ୍ୟ ଦୃଷ୍ଟିରୁ ୫୨୫ ଜଣ ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ। ଯାଞ୍ଚ ପରେ ୩୨୫ ଜଣ ପୋଷ୍ଟାଲ ଭୋଟ ଦେବାକୁ ଯୋଗ୍ୟ ଥିବା ସ୍ପଷ୍ଟ ହୋଇଛି। ତେଣୁ ଆସନ୍ତା ଶନିବାରଠାରୁ ସେମାନଙ୍କ ନିକଟରୁ ପୋଷ୍ଟାଲ ଭୋଟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଯେଉଁମାନେ ପୋଷ୍ଟାଲ ଭୋଟ ଦେବେ ବୋଲି ସ୍ଥିର ହୋଇଛି, ସେମାନେ ବୁଥକୁ ଯାଇ ଭୋଟ ଦେଇପାରିବେ ନାହିଁ। ଏଥିପାଇଁ ସ୍ପେସାଲ ପୋଲିଂ ପାର୍ଟି, ମାଇକ୍ରୋ ଅବଜରର୍ଭର, ଭିଡିଓଗ୍ରାଫର, ରୁଟ ଚାର୍ଟ ସହ ସ୍ଵତନ୍ତ୍ର ଗାଡ଼ି ଏବଂ ପୋଲିସ୍ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ରୁଟ ଚାର୍ଟର କପି ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଦିଆଯାଇଛି। ଏହା ସହ ଚାକିରିଆ ଭୋଟରମାନଙ୍କ ପାଖକୁ ଇଲେକ୍ଟ୍ରୋନିକ ମାଧ୍ୟମରେ ବାଲାଟ ପେପର ପଠାଯାଇ ଥିବା ସେ କହିଛନ୍ତି।

ଜୁନ ୩ରେ ଭୋଟ ଗଣତି ହେବ। ସକାଳ ୮ ସୁଦ୍ଧା ପୋଷ୍ଟାଲରୁ ପୋଷ୍ଟାଲ ବାଲଟ ପେପର ଆସିଲେ ସେ ସବୁକୁ ଗଣତି କରାଯିବ। ସମୟ ବାହାରେ ଆସିଲେ ଗଣତିକୁ ନିଆଯିବ ନାହିଁ। ଠିକ୍ ସମୟରେ ଗଣତି କେନ୍ଦ୍ରରେ ବାଲଟ ପେପର ପହଞ୍ଚାଇବା ପାଇଁ ପୋଷ୍ଟାଲ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସୁଶୀଲ ଲୋହାନୀ କହିଛନ୍ତି।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ମୋଟ ୧,୩୯୬ ପୋଲିଂ ପାର୍ଟି ବୁଥଗୁଡ଼ିକରେ ନିଯୁକ୍ତ ହେବେ। ଝାରସୁଗୁଡ଼ା ଇଂଜିନିଅରିଂ କଲେଜରେ ପୋଲିଂ ପାର୍ଟିମାନେ ପହଞ୍ଚିବା ପରେ ସେହିଠାରୁ ସେମାନେ ବିଭିନ୍ନ ବୁଥକୁ ଯିବେ। ଏଥିପାଇଁ ମୋଟ ୩୮୦ ଗାଡ଼ିର ଆବଶ୍ୟକତା ରହିଛି।

ଭୋଟରଙ୍କ ପାଇଁ ୧,୯୫୦ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି। ଏଥିରେ ଭୋଟରମାନେ ଭୋଟ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ୬୧ ମାଇକ୍ରୋ ଅବଜର୍ଭର ସମ୍ବେଦନଶୀଳ ବୁଥଗୁଡ଼ିକର ନିରୀକ୍ଷଣ କରିବେ। ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ ହେବ। ସିସିଟିଭି କ୍ୟାମେରା ଲଗାଯାଇ ବୁଥଗୁଡ଼ିକୁ ଅନୁଧ୍ୟାନ କରାଯିବ। ଆବଶ୍ୟକ ପଡ଼ିଲେ ଭିଡିଓ ଗ୍ରାଫିର ବ୍ୟବସ୍ଥା ମଧ୍ୟ କରାଯିବ।

ଭୋଟରଙ୍କୁ ଭୋଟ ଦେବା ନିମନ୍ତେ ଆକୃଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର କ୍ୟାମ୍ପେନ ଆରମ୍ଭ ହୋଇଛି ‘ମୁଁ ବି ଭୋଟ ଦେବି’। ଭୋଟ ଗ୍ରହଣ ସମୟରେ ଭୋଟର ସହାୟତା କେନ୍ଦ୍ର ଖୋଯିବା ସହ ଶାରୀରିକ ଅକ୍ଷମ ଭୋଟରଙ୍କ ପାଇଁ ଗାଡ଼ି ଏବଂ ହ୍ଵିଲ ଚେଆର ବ୍ୟବସ୍ଥା କରାଯିବ। ଏହା ସହ ଅନ୍ଧ ଭୋଟରମାନେ ନିଜ ସାଙ୍ଗରେ ଜଣକୁ ଆଣି ଭୋଟ ଦେବାର ବ୍ୟବସ୍ଥା ରହିଛି।

ମୋଟ ୨୭୯ ବୁଥ୍ ମଧ୍ୟରୁ ୩୦ଟି ମଡେଲ ବୁଥ ଏବଂ ୫ଟି ପିଙ୍କ ବୁଥ ରହିବ। ବୁଥଗୁଡ଼ିକରେ ଭୋଟରଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯିବ। ଯଥେଷ୍ଟ ପରିମାଣରେ ପାନୀୟ ଜଳ ମହଜୁଦ ରଖାଯିବ। ପ୍ରତି ବୁଥରେ ଉପସ୍ଥିତ ରହିବାକୁ ସ୍ଵାସ୍ଥ୍ୟ ବିଭାଗକୁ କୁହାଯାଇଛି। ଭୋଟ ଗ୍ରହଣ କୋଭିଡ଼ କଟକଣା ମଧ୍ୟରେ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି। ଭୋଟରମାନଙ୍କୁ ମାସ୍କ ପରିଧାନ କରିବାକୁ ପରାମର୍ଶ ଦେବା ସହ ସାଇନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।

ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରିବାକୁ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ବେଦନଶୀଳ ବୁଥକୁଡ଼ିକ ଉପରେ ତୀକ୍ଷ୍ନ ନଜର ରଖାଯିବ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #Election #ByElection #Voting #BrajarajnagarByElection

Comment