ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। କୋଭିଡ ସ୍ଥିତି ସୁଧୁରି କଟକଣା ହଟିବା ପରେ ଚଳିତ ରଥଯାତ୍ରାରେ ସାମିଲ ହେବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି। ଏଥର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭକ୍ତଙ୍କ ଗହଣରେ ହେବ। ରଥଯାତ୍ରାକୁ ନେଇ ସୋମବାର ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

କୋଭିଡ ମହାମାରୀ ପାଇଁ ଗତ ଦୁଇ ବର୍ଷ ବିନା ଶ୍ରଦ୍ଧାଳୁରେ ସମ୍ପନ୍ନ ହୋଇଥିଲା ରଥଯାତ୍ରା। ଏଥର ରଥଯାତ୍ରାରେ ଭକ୍ତଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଥିବାରୁ ଭକ୍ତଙ୍କ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି। ଭିଡ଼କୁ କିଭଳି ନିୟନ୍ତ୍ରଣ କରି ରଥଯାତ୍ରା ସୂଚାରୁ ରୂପେ ଅନୁଷ୍ଠିତ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଦୁଇବର୍ଷ ପରେ ରଥ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଥିବାରୁ ଶ୍ରୀଗୁଣ୍ଡିଚା ଦିନ ପ୍ରାୟ ୧୫ ଲକ୍ଷ ଭକ୍ତ ପୁରୀରେ ଏକାଠି ହେବା ନେଇ ଆକଳନ କରାଯାଉଛି। ଘୋଷଯାତ୍ରାରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ସହରରେ ସିସିଟିଭିର ବ୍ୟବସ୍ଥା କରାଯାଇ ସ୍ଥିତି ଉପରେ ନଜର ରଖାଯିବ।

ସ୍ୱାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମନ୍ୱୟ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ଚଳିତ ରଥଯାତ୍ରାରେ ୨୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ଏବଂ ଆଇନ ଶୃଙ୍ଖଳା ଦୃଷ୍ଟିରୁ ୧୦୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Tags: #PuriShreeJagannath #CarFestival #Covid19 #RathaYatra

Comment