ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହେବେ ବୋଲି ଏଆଇସିସି ପକ୍ଷରୁ ସୋମବାର ଘୋଷଣା କରାଯାଇଛି।

ଶରତ ପଟ୍ଟନାୟକ ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ରହିସାରିଛନ୍ତି। ଦ୍ଵିତୀୟ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ଵ ତୁଲାଇବେ ଶରତ ପଟ୍ଟନାୟକ। ପୂର୍ବରୁ ମଧ୍ୟ ସେ ଏହି ଗୁରୁଦାୟିତ୍ଵ ତୁଲାଇ ସାରିଛନ୍ତି। ୨୦୦୧ରୁ ୨୦୦୪ ମସିହା ପର୍ଯ୍ୟନ୍ତ ପିସିସି ସଭାପତି ପଦବୀରେ ରହିଥିଲେ ଶରତ ପଟ୍ଟନାୟକ।

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାଁ ଘୋଷଣା କରାଯିବା ପୂର୍ବରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିଲେ ପିସିସି ହାଇକମାଣ୍ଡ ସୋନିଆ ଗାନ୍ଧୀ।

୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ପରେ ସମସ୍ତ ରାଜ୍ୟର ସଭାପତିଙ୍କୁ ଇସ୍ତଫା ଦେବାକୁ ପାର୍ଟି ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ। ସେହିଦିନଠାରୁ ଓଡ଼ିଶା ପିସିସି ମଙ୍ଗ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ଏହି ଗାଦିକୁ ନେଇ ଦଳୀୟ କନ୍ଦଳ ମଧ୍ୟ ପଦାରେ ପଡ଼ିଲା। କଂଗ୍ରେସ ବିଧାୟକମାନେ ଅଡ଼ି ବସିଥିଲେ ବିଧାୟକଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି କରିବାକୁ।

ଓଡ଼ିଶାର କଂଗ୍ରେସ ବିଧାୟକମାନେ ଦିଲ୍ଲୀ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କଲେ। ବିଧାୟକଙ୍କ ମଧ୍ୟରୁ ଜଣକୁ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ଵ ଦେବାକୁ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନାବେଳେ ଅନୁରୋଧ ମଧ୍ୟ କରିଥିଲେ। ପିସିସି ସଭାପତି ଦୌଡ଼ରେ କଂଗ୍ରେସରୁ ଅନେକ ଦାବିଦାର ମଧ୍ୟ ଥିଲେ। ଏହି ଦୌଡ଼ରେ ସବୁଠାରୁ ଆଗରେ ରହିଥିଲା ଶରତ ପଟ୍ଟନାୟକଙ୍କ ନାଁ। ସରତ ପଟ୍ଟନାୟକଙ୍କର ଦିଲ୍ଲୀରେ ଭଲ ସମ୍ପର୍କ ରହିଥିବାରୁ ପାର୍ଟି ହାଇକମାଣ୍ଡ ତାଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #PCCPresident #IndianPolitics #Congress #SaratPatnaik

Comment