ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ରାଜ୍ୟସଭା ନିର୍ବାଚନ। ରାଜ୍ୟସଭା ନିର୍ବାଚନକୁ ନେଇ ଏବେ କଂଗ୍ରେସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। କାରଣ ଅଳ୍ପ ଆସନ ପାଇଁ ରହିଛନ୍ତି ଅନେକ ଆଶୟୀ। କାହାକୁ ସନ୍ତୁଷ୍ଟ କରିବେ ପାର୍ଟି ହାଇକମାଣ୍ଡ ତା’ ଉପରେ ସମସ୍ତଙ୍କ ନଜର।

ରାଜ୍ୟସଭାର ୫୭ଟି ଆସନ ପାଇଁ ମଙ୍ଗଳବାର ଦିନ ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସର ୮ଟି ଆସନ ଖାଲି ହେବାକୁ ଯାଉଛି। ଯଦି ସହଯୋଗୀ ଦଳଙ୍କ ସମର୍ଥନ ମିଳିବ ତେବେ କଂଗ୍ରେସରୁ ୧୧ ଜଣ ରାଜ୍ୟସଭାକୁ ଯିବାର ସମ୍ଭାବନା ମଧ୍ୟ ରହିଛି। ତେବେ ଏଭଳି ସ୍ଥିତିରେ ପ୍ରାର୍ଥୀ ଚୟନ କରିବା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି।

ଦେଶର ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପରେ ପରେ ପ୍ରାର୍ଥିପତ୍ର ଦାଖଲ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ମେ’ ୩୧ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି।

ଏବେ ଚିନ୍ତାରେ ହାଇକମାଣ୍ଡ କାହାକୁ ପ୍ରାର୍ଥୀ କରିବେ। ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଯୁବର୍ଗଙ୍କୁ ୫୦ ପ୍ରତିଶତ ଆସନ ଦେବାକୁ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ରାଜ୍ୟସଭାକୁ ଯିବା ପାଇଁ ଆଶା ବାନ୍ଧିଛନ୍ତି। କଂଗ୍ରେସର ବରିଷ୍ଠ ଏବଂ ନୂଆ ପିଢ଼ିଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଦଳ ପକ୍ଷରୁ ଚେଷ୍ଟା ଚାଲିଛି।

ରେସରେ ଅନେକ ଆଶାୟୀ

କଂଗ୍ରେସର ଆଠଜଣ ରାଜ୍ୟସଭା ସାଂସଦଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଛି। ଏହି ଆସନ ପାଇଁ ନର୍ବାଚନ ହେବାକୁ ଥିବାବେଳେ ଆଶାୟୀ ରହିଛନ୍ତି ଅନେକ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ଜୟରାମ ରମେଶ, କପିଲ ସିବଲ, ଛାୟା ଶର୍ମା, ବିବେକ ତନଖା, ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ପ୍ରମୋଦ ତିବାରୀ, କୁମାରୀ ସୈଳଜା, ସଞ୍ଜୟ ନିରୁପମ, ରାଜ ବବ୍ବର ଏବଂ ରାଜୀବ ଶୁକ୍ଳାଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାଙ୍କର ଲମ୍ବା ତାଲିକା ରାଜ୍ୟସଭା ସାଂସଦ ପଦ ପାଇଁ ରହିଛି। କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ ଦଳ ବାଛିବ ନିର୍ଣ୍ଣୟ ହୋଇପାରୁ ନାହିଁ। 

ତାମିଲନାଡ଼ୁ ଆସନରୁ ପି ଚିଦାମ୍ବରମ ଯିବେ ରାଜ୍ୟସଭାକୁ

କଂଗ୍ରେସର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଚଳିତ ଥର ମହାରାଷ୍ଟ୍ର ବଦଳରେ ତାମିଲନାଡ଼ୁ ଆସନରୁ ରାଜ୍ୟସଭାକୁ ଯାଇପାରନ୍ତି ବୋଲି କୁହାଯାଉଛି। କାରଣ କଂଗ୍ରେସ-ଡିଏମକେ ମଧ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଆସନ ସେୟାରିଂରେ ଗୋଟିଏ ରାଜ୍ୟସଭା ଆସନ କଂଗ୍ରେସକୁ ଦେବାକୁ ନିର୍ଣ୍ଣୟ ହୋଇଥିଲା। ଏହି ଆସନ ପାଇଁ ଚିଦାମ୍ବରମଙ୍କ ବ୍ୟତୀତ କଂଗ୍ରେସର ଡାଟା ଆନାଲିସିସ ବିଭାଗର ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ ଆଶାୟୀ ଅଛନ୍ତି। ପ୍ରବୀଣ ଚକ୍ରବର୍ତ୍ତୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟତର ହୋଇଥିବାରୁ ସେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି କୁହାଯାଉଛି। ତେବେ ଏହି ଦୁଇ ଆଶାୟୀଙ୍କ ମଧ୍ୟରୁ କଂଗ୍ରେସ କାହାକୁ ରାଜ୍ୟସଭାକୁ ପଠାଇବ ଦେଖିବାକୁ ବାକି ରହିଲା।

କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବ। ଏଥିରୁ ଦୁଇଟି ଆସନ ବିଜେପି ଏବଂ ଗୋଟିଏ ଆସନରେ କଂଗ୍ରେସର ପ୍ରାର୍ଥୀ ନିର୍ବାଚିତ ହେବା ସୁନିଶ୍ଚିତ। ଅନ୍ୟ ପକ୍ଷରେ କର୍ଣ୍ଣାଟକର କଂଗ୍ରେସ ସଭାପତି ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟାଙ୍କ ସହିତ ସାକ୍ଷାତ କରି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

କିଏ ଯିବେ ରାଜସ୍ଥାନରୁ?

ରାଜ୍ୟସ୍ଥାନର ଚାରିଟି ରାଜ୍ୟସଭା ଅସନ ପାଇଁ ନିର୍ବାଚନ ହେବ। ଏଥିରେ ଦୁଇଟି ଆସନ କଂଗ୍ରେସର। ତେବେ କାହାକୁ ଦଳ ରାଜ୍ୟସଭାକୁ ପଠାଇବ ନିଷ୍ପତ୍ତି ହୋଇପାରି ନାହିଁ। ପୁରୁଖା ନେତାଙ୍କୁ ନା ନୂଆ ସଦସ୍ୟଙ୍କୁ ଏଥର କଂଗ୍ରେସ ପ୍ରାର୍ଥୀ କରିବ ଚିନ୍ତାରେ ଦଳ। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବାକୁ ଦାବି କରାଯାଉଥିବାବେଳେ ଅଜୟ ମାକନ ଏବଂ ରଣଦୀପ ସରଜେବାଲାଙ୍କ ନାଁ ମଧ୍ୟ ଏହି ଦୌଡ଼ରେ ସାମିଲ ରହିଛି।

ମଧ୍ୟପ୍ରଦେଶର ଗୋଟିଏ ଆସନ ପାଇଁ ଅନେକ ଆଶାୟୀ    

ମଧ୍ୟପ୍ରଦେଶରେ ତିନିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଦୁଇଟି ଆସନ ବିଜେପିର ହୋଇଥିବାବେଳେ ଗୋଟିଏ କଂଗ୍ରେସ ଅକ୍ତିଆର କରିବା ସୁନିଶ୍ଚିତ। ବିବେକ ତନଖାଙ୍କୁ ଦଳ ପୁଣିଥରେ ରାଜ୍ୟସଭାକୁ ପାଠଇବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଦଳ ପକ୍ଷରୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବାବେଳେ ଏହି ଦୌଡ଼ରେ ଅନେକ ଆଶାୟୀ ରହିଛନ୍ତି।

ଆନନ୍ଦ ଶର୍ମା ପୁଣି ଯାଇପାରନ୍ତି ରାଜ୍ୟସଭାକୁ

ହିମାଚଳ ପ୍ରଦେଶର ଦୁଇଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଗୋଟିଏ ବିଜେପିର ଏବଂ ଅନ୍ୟଟି କଂଗ୍ରେସର। ଆନନ୍ଦ ଶର୍ମାଙ୍କୁ ରାଜ୍ୟସଭାକୁ ଦଳ ପଠାଇପାରେ ବୋଲି କୁହାଯାଉଛି। ଦଳୀୟ ସଂଗଠନ ପାଇଁ କାମ କରୁଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ହିମାଚଳ ପ୍ରଦେଶ କଂଗ୍ରେସର ସଭାପତି ରାଜୀବ ଶୁକ୍ଳା ରାଜ୍ୟସଭାକୁ ଯିବା ପାଇଁ ସଜ ହେଉଛନ୍ତି। ଆନନ୍ଦ ଶର୍ମା ଏବଂ ରାଜୀବ ଶୁକ୍ଳାଙ୍କ ମଧ୍ୟରୁ ଜଣକ ନାଁରେ ମୋହାର ବାଜିବ ବୋଲି କୁହାଯାଉଛି।

ହରିଆଣାରୁ ଗୋଟିଏ ରାଜ୍ୟସଭା ଆସନ କଂଗ୍ରେସକୁ ମିଳିବାର ସମ୍ଭାବା ରହିଛି। କଂଗ୍ରେସ ପକ୍ଷରୁ କୁମାରୀ ସଇଳଜା ସଭାପତି ପଦବୀ ଛାଡ଼ିବା ପରେ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଭୂପିନ୍ଧର ସିଂ ହୁଡ୍ଡାଙ୍କ ବିଧାନସଭା ନିର୍ବାଚନ ସମୀକ୍ଷାକୁ ଦେଖିଲେ ଦଳ ଜଣେ ବ୍ରାହ୍ମଣ ନେତାଙ୍କୁ ରାଜ୍ୟସଭାକୁ ପଠାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଛତିଶଗଡ଼ର ଦୁଇଟି ରାଜ୍ୟସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ। କିନ୍ତୁ କାହାକୁ ଦଳ ପ୍ରାର୍ଥୀ କରିବ ନିଷ୍ପତ୍ତି ହୋଇନାହିଁ। କିନ୍ତୁ ଜଣେ ରାଷ୍ଟ୍ରୀୟ ନେତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ଚର୍ଚ୍ଚା ହେଉଛି।

ମହାରାଷ୍ଟ୍ରର ଗୋଟିଏ ଆସନ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା

ମହାରାଷ୍ଟ୍ରରୁ କଂଗ୍ରେସର ଗୋଟିଏ ରାଜ୍ୟସଭା ଆସନ ସୁନିଶ୍ଚିତ। କିନ୍ତୁ ଏହି ଆସନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ମହାରାଷ୍ଟ୍ରର ଗୋଟିଏ ଆସନ ପାଇଁ ମିଲିନ୍ଦ ଦେବଡ଼ା, ସଞ୍ଜୟ ନିରୂପମଙ୍କ ସହ ଅନେକ ଆଶାୟୀ ଅଛନ୍ତି। ୟୁପି, ବିହାର ଏବଂ ପଞ୍ଜାବରେ କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ କୌଣସି ସଦସ୍ୟା ଆସୁନାହାନ୍ତି।

ଝାରଖଣ୍ଡରେ ଜେଏମଏମ ସମର୍ଥନ ଦେଲେ କଂଗ୍ରେସକୁ ଗୋଟିଏ ଆସନ ମିଳିପାରିବ ବୋଲି କୁହାଯାଉଛି। ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ କପିଲ ସିବଲ ପ୍ରାର୍ଥୀ ହେବା ନେଇ ଦଳପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ। ତେବେ ଦଳ କାହା ଉପରେ ଭରସା କରି ରାଜ୍ୟସଭାକୁ ପଠାଇବ ତା’ ଉପରେ ସମସ୍ତଙ୍କ ନଜର।

Tags: #Politics #IndianPolitics #Congress #RajyaSabhaElection #Candidates

Comment