ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜବାଦୀ ପାର୍ଟି ରାଜ୍ୟସଭାକୁ ପଠାଇବା ପାଇଁ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ସମାଜପାଦୀ ପାର୍ଟି ଡିମ୍ପଲ ଯାଦବ, କପିଲ ସିବଲ ଏବଂ ଜାଭେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠଇବାକୁ ନିଷ୍ପତ୍ତି ନେଇଛି। ଡିମ୍ପଲ ଯାଦବ ହେଉଛନ୍ତି ଅଖିଳେଶ ଯାଦବଙ୍କ ପତ୍ନୀ।

ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭାକୁ ଯିବାକୁ ଥିବା ପ୍ରାର୍ଥୀ କପିଲ ସିବଲ ପୂର୍ବରୁ କଂଗ୍ରେସରୁ ରାଜ୍ୟସଭା ସାଂସଦ ରହିସାରିଛନ୍ତି। ଏହା ସହ ଜାଭେଦ ଅଲୀ ଖାନଙ୍କର ମଧ୍ୟ ପୂର୍ବରୁ ରାଜ୍ୟସଭା ସାଂସଦ ହେବାର ଅଭିଜ୍ଞତା ରହିଛି। ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ପରେ କପିଲ ସିବଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ଖୋଦ ଅଖିଳେଶ ଯାଦବ ଉପସ୍ଥିତ ଥିଲେ।

ଉତ୍ତରପ୍ରଦେଶରେ ରାଜ୍ୟସଭାର ୧୧ଟି ଆସନ ପାଇଁ ମେ’ ୨୪ ତାରିଖରୁ ପ୍ରାର୍ଥିପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟି ପକ୍ଷରୁ ତିନିଜଣ ରାଜ୍ୟସଭାକୁ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ପାଞ୍ଚଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। କୁମ୍ଭର ରେବତୀ ରମନ ସିଂହ, ବିଶ୍ଵମ୍ବର ପ୍ରସାଦ ନିଷାଦ ଏବଂ ଚୌଧୁରୀ ସୁଖରାମ ସିଂହ ଯାଦବଙ୍କର କାର୍ଯ୍ୟକାଳ ଆସନ୍ତା ଜୁଲାଇ ୪ ତାରିଖରେ ଶେଷ ହେବାକୁ ଯାଉଛି। ଖାଲି ହେବାଯାଉଥିବା ତିନି ଆସନ ଲାଗି ଡିମ୍ପଲ, ସିବଲ ଏବଂ ଜାଭେଦ ଅଲ୍ଲୀ ଙ୍କୁ ଚୟନ କରିଛି ଦଳ।

କଂଗ୍ରେସର ହାତଛାଡ଼ି ସମାଜବାଦୀ ପାର୍ଟିରେ ସାମିଲ ହେଲେ ସିବଲ

ସମାଜବାଦୀ ପାର୍ଟିରେ ମିଶିବା ପୂର୍ବରୁ କପିଲ ସିବଲଙ୍କୁ ନେଇ ଅନେକ ଆକଳନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଇବା ନିଷ୍ପତ୍ତି କଂଗ୍ରେସକୁ ଶକ୍ତ ଧକ୍କା ଲାଗିବ ବୋଲି କୁହାଯାଉଛି। ମେ’ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ କପିଲ ସିବଲ। ରାଜ୍ୟସଭା ପାଇଁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବା ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ପକ୍ଷରୁ କପିଲ ସିବଲ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସବୁ କଳ୍ପାଜଳ୍ପନାର ଅନ୍ତ ହୋଇଛି।

୨୦୧୬ ମସିହାରେ କପିଲ ସିବଲ ପୂର୍ବରୁ କ୍ଷମତାରେ ଥିବା ସମାଜବାଦୀ ପାର୍ଟି ଦ୍ଵାରା ସମର୍ଥିତ କଂଗ୍ରେସ ଆଶାୟୀ ଭାବେ ଉତ୍ତରପ୍ରଦେଶରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ। ବର୍ତ୍ତମାନ କଂଗ୍ରେସ ପାଖରେ ରାଜ୍ୟ ବିଧାନସଭା ପାଇଁ ମାତ୍ର ଦୁଇଜଣ ବିଧାୟକ ଅଛନ୍ତି। ପୂର୍ବରୁ ଅଖିଳେଶ ଯାଦବ କହିଥିଲେ ଜଣେ ମୁସଲିମ ନେତାଙ୍କୁ ରାଜ୍ୟସଭାକୁ ପଠାଯିବା ଆବଶ୍ୟକ। ଏହା ପରେ ଇମରାନ ମସୁଦ, ସଲୀମ ମେରବାନୀ ଏବଂ ଜାଭେଦ ଅଲ୍ଲୀଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା। ଦେଶର ଦଳ ମୁଖିଆଙ୍କ ନିଷ୍ପତ୍ତି କ୍ରମେ ଜାଭେଦ ଅଲୀ ଖାନଙ୍କ ନାଁ ତାଲିକାରେ ଚଢ଼ିଛି।

Tags: #Politics #IndianPolitics #SamajbadiParty #RajyasabhaElection

Comment