ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ କରିଛନ୍ତି ଭୋଟର। ସନ୍ଧ୍ୟା ୬ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ସୁରକ୍ଷା ପାଇଁ ବୁଥଗୁଡ଼ିକରେ ୧୦୦୦ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର। ମୋଟ ୨,୧୪,୮୭୮ ଜଣ ଭୋଟର ମତଦାନ କରିଛନ୍ତି।

ବିଧାନସଭା ଉପନିର୍ବାଚନ ପାଇଁ ୨୭୯ଟି ବୁଥରେ ମତଦାନ ହୋଇଛି। ପୂର୍ବରୁ ୨୫୭ଟି ବୁଥ ରହିଥିବାବେଳେ କୋଭିଡ କଟକଣା ଯୋଗୁଁ ଚଳିତ ନିର୍ବାଚନ ପାଇଁ ଅଧିକ ୨୨ଟି ନୂଆ ବୁଥ୍ ଯୋଡ଼ା ଯାଇଛି। ମୋଟ ବୁଥ ମଧ୍ୟରୁ ୩୦ଟି ମଡେଲ ବୁଥ ଏବଂ ୫ଟି ପିଙ୍କ ବୁଥ କରାଯାଇଛି। ନିର୍ବାଚନ ପରିଚାଳନା ନିମନ୍ତେ ବୁଥଗୁଡ଼ିକରେ ନିୟୋଜିତ ହୋଇଛନ୍ତି ପ୍ରାୟ ୧,୨୨୮ ପୋଲିଂ ପାର୍ଟି। ୬୦ଟି ବୁଥ ସମ୍ବେଦନଶୀଳ ହୋଇଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମ୍ବେଦନଶୀଳ ବୁଥକୁଡ଼ିକ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଭୋଟରଙ୍କ ସୁବିଧା ଦୃଷ୍ଟିରୁ ବୁଥଗୁଡ଼ିକରେ ଯଥେଷ୍ଟ ପରିମାଣର ପାନୀୟ ଜଳ ମହଜୁଦ ରଖାଯାଇଛି। ପ୍ରତି ବୁଥରେ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ନିୟୋଜିତ ରହିଛନ୍ତି।

Tags: #Politics #Elction #OdishaElection #BYElection #BrajarajnagarElection #Voting

Comment