ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ବିଜେଡି ପ୍ରାର୍ଥୀ। ଆଜି, ମେ’ ୩୧ ତାରିଖ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ୪ ବିଜେଡି ପ୍ରାର୍ଥୀ ଡକ୍ଟର ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲୋତା ଦେଓ ଏବଂ ନିରଞ୍ଜନ ବିଶି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବହୁ ବିରଷ୍ଠ ବିଧାୟକ ଏବଂ ମନ୍ତ୍ରୀ, ବହୁ ତୁଙ୍ଗ ନେତା, ପ୍ରସନ୍ନ ପଟଶାଣୀ ଏବଂ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଗତ ୨୯ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ଲାଗି ୪ ଜଣ ପ୍ରାର୍ଥୀ ଡକ୍ଟର ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲୋତା ଦେଓ ଏବଂ ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରିଥିଲେ। ମାନସ ସଙ୍ଗରାଜ, ସୁଲୋତା ଦେଓ ଏବଂ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ଯିବାକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଥିବାବେଳେ ଦ୍ୱିତୀୟ ଥର ଲାଗି ସସ୍ମିତ ପାତ୍ର ରାଜ୍ୟସଭାକୁ ଯିବେ।

ଆସନ୍ତା ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିଦିନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଡକ୍ଟର ସସ୍ମିତ ପାତ୍ର

୨୦୧୯ ମସିହା ବିଧାନସଭା ନିର୍ବାଚନରେ ନିର୍ବାଚିତ ହେବା ପରେ ପ୍ରତାପ ଦେବ ରାଜ୍ୟସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା। ପୁଣି ଥରେ ଦଳ ତାଙ୍କ ଉପରେ ଭରସା କରିଛି। ରାଜ୍ୟସଭା ପାଇଁ ବିଜେଡି ସୁପ୍ରିମୋ ତାଙ୍କ ନାଁରେ ମୋହର ମାରିଛନ୍ତି।

ମାନସ ମଙ୍ଗରାଜ

ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ ମାନସ ମଙ୍ଗରାଜ। ପ୍ରଥମେ ସେ କଂଗ୍ରେସରେ ଏବଂ ପରେ ବିଜେଡିରେ ଯୋଗ ଦେଇଥିଲେ। ଚିଲିକା ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏବେ ସେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଥିଲେ। ରାଜ୍ୟସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ମାନସ ମଙ୍ଗରାଜ ନିଜ ପଦବୀରୁ ଗତ ୩୦ ତାରିଖରେ ଇସ୍ତଫା ଦେଇଥିଲେ। ଦଳର ସଂଗଠନ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଂସଦରେ ଓଡ଼ିଶାର ଦାବିଗୁଡ଼ିକ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି।

ସୁଲତା ଦେଓ

ସୁଲୋତା ଦେଓଙ୍କର ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ସରପଞ୍ଚ ଭାବେ ନିଜର ରାଜନୈତିକ ଜୀବନରେ ପ୍ରଥମ ସଫଳତା ହାସଲ କରିଥିଲେ। ସେ ଜିଲ୍ଲା ପରିଷଦ ସଦସ୍ୟା ମଧ୍ୟ ନିର୍ବାଚିତ ହୋଇଛନ୍ତି। ସେବେଠାରୁ ସକ୍ରିୟ ରାଜନୀତିରେ ରହି ସଫଳତା ହାସଲ କରିଚାଲିଛନ୍ତି। ସେ ସମାଜସେବୀ ତଥା ବିଜେଡିର ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଉଥିଲେ। ଏବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଅଛନ୍ତି ସୁଲତା ଦେଓ। 

ନିରଞ୍ଜନ ବିଶି

ନିରଞ୍ଜନ ବିଶିଙ୍କ ନାଁ ଅଚାନକ ରାଜ୍ୟସଭା ପାଇଁ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚକିତ କରିଦେଇଥିଲେ। ପଶ୍ଚିମ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ନିରଞ୍ଜନ ବିଶି। ସେ ଏବେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି। ରାଜ୍ୟସଭା ଟିକେଟ୍ ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାରଙ୍କ ଯୋଜନାକୁ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କାମ କରିବେ ବୋଲି କହିଛନ୍ତି ନିରଞ୍ଜନ ବିଶି।

ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେବ। ଏହା ସହ କଟକ ମହାନଗର ନିଗମ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଥିଲେ ସୁବାସ ସିଂ। ଏହି ଆସନ ପାଇଁ ଉପନିର୍ବାଚନ ହେବ। ମୋଟ ଚାରିଟି ଆସନ ପୂରଣ ହେବ। ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ ବୋଲି କୁହାଯାଉଛି।

Tags: #Politics #OdishaPolitics #Election #RajyaSabhaElection #BJP

Comment